କେନ୍ଦୁଝରରେ ତୁଷାରପାତ: ହାଡ଼ଭଙ୍ଗା ଶୀତରେ ଲୋକେ ବେହାଲ

କେନ୍ଦୁଝର: ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ କେନ୍ଦୁଝରର ହାଡଭଙ୍ଗା ଶୀତ ଲୋକଙ୍କୁ ବେହାଲ କରିଦେଇଛି । ଗତ କିଛିଦିନ ହେଲା ପାରଦ ତଳକୁ ଖସିବାରେ ଲାଗିଛି । ଗତକାଲି ରାତି କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି । କେନ୍ଦ୍ରୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଗତ ୨୨ ତାରିଖରେ କେନ୍ଦୁଝରରେ ତାମପାତ୍ରା ୯ ଡିଗ୍ରିକୁ ଖସି ଆସିଥିବା ବେଳେ ଗତକାଲି ୮.୮ ଡିଗ୍ରି ସେଲସିୟସ ରହିଥିଲା । ଫଳରେ କେନ୍ଦୁଝର ସଦର ବ୍ଲକ କାଦଗଡ, ଭାଲୁପାଳସାହି, ମୁକୁନା, ବାଉରୀପଦା ସମେତ ଜିଲ୍ଲାର କାଞ୍ଜିପାଣି, କିରିବୁରୁ ଏବଂ ଅନ୍ୟାନ୍ୟ ସ୍ଥାନରେ ତୁଷାରପାତ ହୋଇଥିବାର ସୂଚନା ମିଳିଛି ।

କାଦଗଡ, ଭାଲୁପାଳ ସାହି, ବାଉରୀପଦାର ନଦୀକୂଳ ସ୍ଥା‌ନରେ ଲୋକମାନେ ଧାନ ଚାଷ କରିଥିଲେ । ସେହିଠାରେ ମେସିନ ଦ୍ବାରା ଧାନ ଅମଳ କରିବା ପରେ ନଡାକୁ ପକାଇ ଦେଇଥିଲେ । ସେହି ନଡାଗଦାରେ ଆଜି ସକାଳେ ତୁଷାର ପଡିଥିବାର ଲୋକମାନେ ଦେଖିବାକୁ ପାଇଥିଲେ । ତୁଷାର ସକାଳ ସାଢେ ୭ଟା ପର୍ଯ୍ୟନ୍ତ ରହିଥିଲା । ଗତବର୍ଷ ମଧ୍ୟ ଏହି ସମସ୍ତ ସ୍ଥାନରେ ତୁଷାରପାତ ହୋଇଥିଲା । ତେବେ କାଞ୍ଜିପାଣି ଅଞ୍ଚଳରେ ଅଧିକ ତୁଷାରପାତ ହେଉଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର