ଜିଲ୍ଲା ପରିଷଦ ନିର୍ବାଚନରେ ମେଣ୍ଟ ରାଜନୀତିର ପଲ୍ଲା ଭାରି

୩ଥର ପରିଷଦ ଗଠନ କରିଛି ମେଣ୍ଟ, ୨ ଥର ଏକାକି ଗଢ଼ିଥିଲେ କଂଗ୍ରେସ, ବିଜେଡି

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଜିଲ୍ଲା ପରିଷଦ ନିର୍ବାଚନବେଳେ ଦ୍ବିମୁଖୀ ଲଢ଼େଇର ଇତିହାସ ରହିଛି। ପ୍ରାୟତଃ ଦୁଇ ରାଜନୈତିକ ଦଳ ଏକ ତୃତୀୟାଂଶ ଆସନ ଜିଣିନେଇଥାନ୍ତି। ଯଦ୍ବାରା ନିର୍ଦ୍ଦିଷ୍ଟ ଗୋଟିଏ ଦଳକୁ ପୂର୍ଣ୍ଣ ବହୁମତ ମିଳିପାରୁନଥିବାରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋନୟନବେଳେ ମେଣ୍ଟ ରାଜନୀତି ହିଁ ଦେଖିବାକୁ ମିଳିଥାଏ। ସର୍ବାଧିକ ଆସନ ହାସଲ କରିଥିବା ଦଳ ନିଜ ପାଖରେ ଅଧ୍ୟକ୍ଷ ପଦ ରଖୁଥିବାବେଳେ ସମର୍ଥନ ଜଣାଉଥିବା ଦଳକୁ ଉପାଧ୍ୟକ୍ଷ ପଦ ଦିଆଯିବାର ନଜିର ରହିଛି। ୧୯୯୭ ମସିହାରୁ ୨୦୧୭ ଯାଏଁ, ଅନୁଷ୍ଠିତ ମୋଟ୍‌ ୫ଟି ଜିଲ୍ଲା ପରିଷଦ ନିର୍ବାଚନ ମଧ୍ୟରୁ ମୋଟ୍‌ ୩ ଥର(୧୯୯୭, ୨୦୦୭ ଓ ୨୦୧୨) ମେଣ୍ଟ ଦ୍ବାରା ହିଁ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। କେବଳ ଦୁଇଥର(୨୦୧୭ ଓ ୨୦୦୨) ରାଜନୈତିକ ଦଳ ଆବଶ୍ୟକ ମ୍ୟାଜିକ୍‌ ଫିଗର୍‌ ହାସଲ କରି ଏକାକି ପରିଷଦ ଗଠନ କରିଥିଲେ।
ଏଯାବତ୍‌ ମୋଟ୍‌ ୫ ଥର, ଅର୍ଥାତ୍‌ ୧୯୯୭, ୨୦୦୨, ୨୦୦୭, ୨୦୧୨ ଓ ୨୦୧୭ରେ ଜିଲ୍ଲା ପରିଷଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିମଧ୍ୟରୁ କେବଳ ୨ ଥର ଗୋଟିଏ ରାଜନୈତିକ ଦଳ ହିଁ ପରିଷଦ ଗଠନ କରିଥିଲେ। ୧୯୯୭ ମସିହାରେ ଅନୁଷ୍ଠିତ ସର୍ବପ୍ରଥମ ଜିଲ୍ଲା ପରିଷଦ ନିର୍ବାଚନବେଳେ କୌଣସି ଦଳ ଆବଶ୍ୟକ ଆସନ ଜିଣିପାରିନଥିଲା। ସେତେବେଳେ କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ)ର ହର୍ଷିତା ଲୁଗୁନ ଅଧ୍ୟକ୍ଷ ଓ କଂଗ୍ରେସର ପ୍ରତାପ ମହାନ୍ତ ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ନିର୍ବାଚନ, ଅର୍ଥାତ୍‌ ୨୦୦୭ ଜିଲ୍ଲା ପରିଷଦ ନିର୍ବାଚନବେଳେ ମଧ୍ୟ କଂଗ୍ରେସ୍‌-ଜେଏମ୍‌ଏମ୍‌ ମେଣ୍ଟ ଦେଖିବାକୁ ମିଳିଥିଲା। ଉକ୍ତ ନିର୍ବାଚନରେ କଂଗ୍ରେସ ସର୍ବାଧିକ ୧୭ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେଡି ୯ଟି, ବିଜେପି ୬ଟି, ଜେଏମ୍‌ଏମ୍‌ ୨ଟି ଓ ସିପିଏମ୍‌ ୧ ଆସନରେ ବିଜୟୀ ହୋଇଥିଲା। କଂଗ୍ରେସ ସର୍ବାଧିକ ଆସନ ହାତେଇଥିଲେ ମଧ୍ୟ ମ୍ୟାଜିକ୍‌ ଫିଗର୍‌ରୁ ମାତ୍ର ଗୋଟିଏ ଆସନ ପଛରେ ରହିଯାଇଥିଲା। ଏଣୁ ପୁନର୍ବାର କଂଗ୍ରେସ-ଜେଏମ୍‌ଏମ୍‌ ମେଣ୍ଟ୍‌ ହୋଇଥିଲା। ଅପରପକ୍ଷରେ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିବା ସିପିଏମ୍‌ ଏହି ମେଣ୍ଟକୁ ନିଃସର୍ତ୍ତ ସମର୍ଥନ ଜଣାଇଥିଲା। ଶେଷରେ କଂଗ୍ରେସର ସେରୋଫିନା ଟପ୍ପୋ ଅଧ୍ୟକ୍ଷ ଓ ଜେଏମ୍‌ଏମ୍‌ର ସାନିକା କୁଜୁର ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ୨୦୧୭ ମସିହାରେ ଦୁଇ ପୁରୁଣା ପ୍ରତିଦ୍ବନ୍ଦୀ କଂଗ୍ରେସ ଓ ବିଜେଡିର ମେଣ୍ଟ ଦେଖିବାକୁ ମିଳିଥିଲା; ଯାହାକି ସେତେବେଳେ ଭ୍ରୁକୁଞ୍ଚନ ସୃଷ୍ଟି କରିଥିଲା। ଉକ୍ତ ନିର୍ବାଚନରେ ବିଜେଡି ସର୍ବାଧିକ ୧୪ଟି, ବିଜେପି ୧୩ ଓ କଂଗ୍ରେସ ୫ଟି ଆସନ ଜିତିଥିବାବେଳେ ସ୍ବାଧୀନ, ସିପିଆଇ ଓ ସିପିଏମ୍‌ ଗୋଟିଏ ଲେଖାଏଁ ସିଟ୍‌ ଜିଣିଥିଲେ। କଂଗ୍ରେସ-ବିଜେଡି ମେଣ୍ଟ ପରିଷଦ ଗଠନ କରିବାପରେ ବିଜେଡିର ଏକ୍କା ଏକ୍କା ଓ କଂଗ୍ରେସର କାଶୀନାଥ ରାଉତ ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ।
ତେବେ ୨୦୦୨ ଓ ୨୦୧୨ ଜିଲ୍ଲା ପରିଷଦ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି ଦଳଗୁଡ଼ିକ ପରିଷଦ ଗଠନ କରିଥିଲେ। ୨୦୦୨ନିର୍ବାଚନରେ କଂଗ୍ରେସ ଅର୍ଦ୍ଧାଧିକ ଆସନକୁ କବ୍‌ଜା କରିନେଇଥିଲା। ଏଣୁ ଉକ୍ତ ବର୍ଷ କଂଗ୍ରେସର ରଞ୍ଜିତ କିଶାନ ଅଧ୍ୟକ୍ଷ ଓ ନିମନ୍ତୀ ଲୁଗୁନ ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ସେହିଭଳି ୨୦୧୨ ମସିହାରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ବିଜେଡି ୧୯ଟି ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୮ଟି, ସ୍ବାଧୀନ ୭ଟି ଓ ଜେଏମ୍‌ଏମ୍‌ ଗୋଟିଏ ଆସନରେ ବିଜୟୀ ହୋଇଥିଲେ। ଉକ୍ତ ନିର୍ବାଚନରେ ବିଜେପି, ସିପିଆଇ, ସିପିଏମ୍‌ ଦଳ ଗୋଟିଏ ବି ଆସନ ଜିଣିପାରିନଥିଲେ। ବିଜେଡିର ଏକତରଫା ବିଜୟ ପରେ ପିତୃସ ଟପ୍ପୋ ଅଧ୍ୟକ୍ଷ ଓ ସରସ୍ବତୀ ନାଏକ ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ।

ଜିଲ୍ଲା ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ତାଲିକା
ବର୍ଷ ଅଧ୍ୟକ୍ଷ ଉପାଧ୍ୟକ୍ଷ
୨୦୧୭ ଏମ୍ମା ଏକ୍କା(ବିଜେଡି) କାଶୀନାଥ ରାଉତ(କଂଗ୍ରେସ)
୨୦୧୨ ପିତୃସ ଟପ୍ପୋ(ବିଜେଡି) ସରସ୍ବତୀ ଟୁଡ଼ୁ(ବିଜେଡି)
୨୦୦୭ ସେରୋଫୀନା ଟପ୍ପୋ(କଂଗ୍ରେସ) ସାନୀକା କୁଜୁର(ଜେଏମ୍‌ଏମ୍‌)
୨୦୦୨ ରଞ୍ଜିତ କିଶାନ(କଂଗ୍ରେସ) ନୀମନ୍ତୀ ଲୁଗୁନ(କଂଗ୍ରେସ)
୧୯୯୭ ହର୍ଷିତା ଲୁଗୁନ(ଜେଏମ୍‌ଏମ୍‌) ପ୍ରତାପ ମହାନ୍ତ(କଂଗ୍ରେସ)

ସମ୍ବନ୍ଧିତ ଖବର