ବୀରମହାରାଜପୁର: ରାତିରେ ଖାଇ ସାରି ନିଜ ରୁମ୍ରେ ଶୋଇଥିବା କଲେଜ ଛାତ୍ରଙ୍କ ବିଷଧର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ବଡଖମାର ଗାଆଁର ଯୁକ୍ତ ଦୁଇ କଳା ଛାତ୍ର ବିଭୂଦତ୍ତ ପ୍ରଧାନ ( ୧୯) ଏହି ଘଟଣାର ଶିକାର ହୋଇଛନ୍ତି।
ସୁବଳୟା ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୃତକ ବିଭୂଦତ୍ତ ସୋନପୁର-ରାଜ କଲେଜରେ ଯୁକ୍ତ ଦୁଇ କଳା ଛାତ୍ର ଥିଲେ। ସେ ସୋନପୁର ଗଡଭିତର ଠାରେ ଏକ ଭଡ଼ା ଘରେ ସମ୍ପର୍କୀୟ ମାମୁଁ ଅଜିତ୍ ପ୍ରଧାନଙ୍କ ସହ ରହୁଥିଲେ। କରୋନା କଟକଣା ଯୋଗୁଁ କଲେଜ ବନ୍ଦ ଥିଲେ ସୁଦ୍ଧା ମାମୁଁ ଭଣଜା ଏକାଠି ରହି ପାଠ ପଢୁଥିଲେ। ଶନିବାର ରାତିରେ ମୃତକ ବିଭୁଦତ୍ତ ଅଣ୍ଟା ବିନ୍ଧୁଛି କହି ଖଟରେ ନଶୋଇ ତଳେ ଶୋଇଥିଲେ। ରାତି ପ୍ରାୟ ତିନିଟାରେ କ’ଣ କାମୁଡ଼ି ଦେଲା କହି ଜୋର୍ରେ ପାଟି କରିଥିଲେ। ପାଟି ଶୁଣି ମାମୁଁ ଅଜିତ୍ ଲାଇଟ୍ ଜାଳି ଦେଖିବାରୁ ସେଠାରେ ଏକ ବଡ଼ ଚିତିସାପ ଥିଲା।
ଏହାପରେ ଅଜିତ ବିଭୁଦତ୍ତର ପରିବାର ଲୋକଙ୍କୁ ଫୋନ୍ କରି ଘଟଣା ବିଷୟରେ ଜଣାଇବାରୁ ପରିବାର ଲୋକେ ତୁରନ୍ତ ଘରକୁ ଆଣିବାକୁ କହିଥିଲେ। ଅଜିତ ଏକଗାଡି ଭଡା କରି ବିଭୁଦତ୍ତର ନିଜ ଗାଁ ବଡ଼ ଖମଖରକୁ ନେଇଥିଲେ। ଗାଁରୁ ତାଙ୍କୁ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ ପରିବାର ଲୋକେ । ଡାକ୍ତରଖାନାରେ ବିଭୁଦତ୍ତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏସମ୍ପର୍କରେ ସୁବଳୟା ଥାନାରେ ଅଜିତ୍ ଏକ ଲିଖିତ ଅଭିଯୋଗ କରିଥିଲେ। ସୁବଳୟା ପୁଲିସ ବୀରମହାରାଜପୁର ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ସୁବଳୟା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି ସବ୍ ଇନ୍ସପେକ୍ଟର ଦୀପ୍ତି ରଞ୍ଜନ ଦିଗାଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/194363ea-5f7b-41c7-b819-3d9cf8f80aef.jpg)