ଭିକ୍ଷୁକଙ୍କୁ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟ ଚିନ୍ତା: ଟଙ୍କା ସଂଗ୍ରହ କରି ପ୍ରଶାସନକୁ ଦେଲେ

ରାୟଗଡ଼ା: ଭିକ ମାଗି ଚଳୁଛନ୍ତି। କିନ୍ତୁ ବଦନ୍ୟତାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ମାନବିକତାର ନିଆରା ନିଦର୍ଶନ ପ୍ରତିପାଦିତ କରିଛନ୍ତି। କନ୍ଧମାଳ ଜିଲ୍ଲା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦେଇଛନ୍ତି।
ଗଣମାଧ୍ୟମରୁ ଜଗା-କାଳିଆଙ୍କ ବିଷୟରେ ଜାଣିବାକୁ ପାଇଥିଲେ ରାୟଗଡା ସହରର ବହୁ ଭିକ୍ଷୁକ। ଦୁଇ ପିଲା ଯେମିତି ଶୀଘ୍ର ସୁସ୍ଥ ହେବେ ସେଥିପାଇଁ ପ୍ରାର୍ଥନା କରିଥିଲେ। ରାଜ୍ୟ ସରକାର ଉଭୟଙ୍କ ଚିକିତ୍ସା ପାଇଁ ଗୋଟିଏ ଟଙ୍କା ଦେଇଥିବା ଜାଣି ନିଜେ ମଧ୍ୟ କିଛି ସହାୟତା ଦେବାକୁ ଆଗେଇ ଆସିଥିଲେ। ଗୋଟିଏ ହୁଣ୍ଡିରେ ଦୁଇ ଦିନ ଧରି ବୁଲିବା ପରେ ମିଳିଥିବା ଟଙ୍କାକୁ ଜମା କରିଥିଲେ। ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲ୍ଲାପାଳଙ୍କୁ ଭେଟି ଟଙ୍କା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ।

କିନ୍ତୁ ସେହି ସମୟରେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଆରଡ଼ିସିଙ୍କ ସହ ଅଫିସ ତନଖୀ କାର୍ଯ୍ୟରେ ବ୍ୟସ୍ତ ରହିବାରୁ ସମୟ ଦେଇ ପାରିନଥିଲେ। ଜିଲ୍ଲାପାଳଙ୍କ ପରାମର୍ଶକ୍ରମେ ତହସିଲଦାର ଆଲୋକ ପ୍ରଧାନ ଓ ଜରୁରି ଅଧିକାରୀ ପ୍ରିୟ ଦର୍ଶନ ସାହୁ ଟଙ୍କା ହୁଣ୍ଡି ଗ୍ରହଣ କରିଥିଲେ। ହୁଣ୍ଡି ହସ୍ତାନ୍ତର ସମୟରେ ଭିକାରୀ ସଂଘ ପକ୍ଷରୁ ସନ୍ତୋଷ କୁମାର ମିଶ୍ର, ସୌରଜ ଗହିଲ, ଜଗଦୀଶ ହରିଜନ, ଗୋପୀ ନାୟକ, ଘନଶ୍ୟାମ ବାଗ, ହରହରି ଧୋନି, ଆନନ୍ଦ ପାତ୍ର, ଭୁପେନ୍ଦ୍ର ନାୟକ ଉପସ୍ଥିତ ରହିଥିଲେ। ତେବେ ହୁଣ୍ଡି ଖୋଲାଯାଇ ନଥିବାରୁ ସହାୟତା ରାଶି କେତେ ମିଳିଛି ଜଣାପଡି ନାହିଁ।

ସମ୍ବନ୍ଧିତ ଖବର