ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ନେଇ ପ୍ରମାଣପତ୍ର ଦେଇ ଭୁଲିଗଲେ

ଖୋର୍ଦ୍ଧା: ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୁକ୍ତହସ୍ତରେ ସହାୟତା ଦିଆଯାଉଛି ବୋଲି ରାଜ୍ୟ ସରକାର କହୁଛନ୍ତି, କିନ୍ତୁ ଏହି ପ୍ରତିଶ୍ରୁତି ସ୍ଥଳ ବିଶେଷରେ କାର୍ଯ୍ୟରେ ପ୍ରତିଫଳିତ ହେଉନାହିଁ। ବୋଲଗଡ଼ ବ୍ଲକର ଏକ ମହିଳା ସ୍ୱୟଂ ସହାୟଗ ଗୋଷ୍ଠୀ ସମୂହ ଗତ ୧ ବର୍ଷ ଧରି ନିଜର ସଫଳ ଧୂପକାଠି ଶିଳ୍ପକୁ ବଞ୍ଚାଇବାକୁ ପଂଚାୟତ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି। ବୋଲଗଡ଼ ବ୍ଲକର କେତେକ ସ୍ୱୟଂ ସହାୟିକା ଗୋଷ୍ଠୀର ୩୦ ଜଣ ସଦସ୍ୟା ଏକତ୍ରିତ ହୋଇ ୨୦୧୮ରେ ଯାଜ୍ଞସେନୀ ଉତ୍ପାଦକ ଗୋଷ୍ଠୀ ଗଠନ କରିଥିଲେ। ଏହି ଗୋଷ୍ଠୀ ଏକ ଭଡ଼ା ଘରେ ଧୂପକାଠି ପ୍ରସ୍ତୁତ କରି ଜଗତପୁରର ଆଇଟିସି କମ୍ପାନିକୁ ଦେଉଛନ୍ତି। କେବଳ ଏହାନୁହେଁ ନିଜର ଧୂପକାଠିର ଉକ୍ରୃଷ୍ଟତା ପାଇଁ ବିଭିନ୍ନ ପଲ୍ଲିଶ୍ରୀ ମେଳାରେ ସମ୍ମାନିତ ହେବା ସହ ପ୍ରମାଣପତ୍ର ମଧ୍ୟ ପାଇଛନ୍ତି। ପ୍ରମାଣପତ୍ର ପ୍ରଦାନ ସମୟରେ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ସେମାନଙ୍କୁ ସହାୟତା ଦେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେମାନଙ୍କ ବ୍ୟବସାୟ ବୃଦ୍ଧି ପାଇବାରୁ ଓରମାସକୁ ସାଲତରା ଗାଁରେ ବନ୍ଦ ପଡ଼ିଥିବା ପ୍ରାଥମିକ ବିଦ୍ୟାଳୟ ଘରକୁ ସେମାନଙ୍କୁ ଦେବା ପାଇଁ ଅନୁରୋଧ କରିଥିଲେ।

୨୯ ନଭେମ୍ବର ୨୦୨୨ରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ ସେମାନଙ୍କର ଏହି ପ୍ରସ୍ତାବକୁ ଗ୍ରହଣ କରି ଚିଠି ନଂ ୫୬୩ରେ ବୋଲଗଡ଼ ବିଡିଓଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ଦୁଇ ତିନି ମାସ ଦୌଡ଼ିବା ପରେ ବିଡିଓ ୪ ଫେବ୍ରୁଆରୀ ୨୦୨୩ରେ ଚିଠି ନଂ ୮୧୮ରେ ପଂଚାୟତ କାର୍ଯ୍ୟାଳୟକୁ ଏନେଇ ବ୍ୟବସ୍ଥା କରିବାକୁ ଚିିଠି ଲେଖି ନିଜ ଉପରୁ ଦାୟିତ୍ୱ ଖସାଇ ଦେଇଛନ୍ତି। ପଂଚାୟତ କାର୍ଯ୍ୟାଳୟ ସେମାନଙ୍କୁ ବନ୍ଦ ପଡ଼ିଥିବା ସ୍କୁଲ ଘର ଦେବା ପାଇଁ ଏବେ ଟାଳଟୁଳ ନୀତି ଧରୁଛି। ବର୍ତ୍ତମାନ ପଶ୍ଚିମା ଝଡ଼ ବର୍ଷା ଯୋଗୁଁ ସେମାନଙ୍କ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ଧୂପକାଠି ପ୍ରସ୍ତୁତ ସାମଗ୍ରୀ ନଷ୍ଟ ହୋଇଗଲାଣି। ଯଦି ସେମାନଙ୍କୁ ପ୍ରଶାସନ ସହାୟତା ନକରେ ଗତ ୩ ବର୍ଷ ଧରି ଧୂପକାଠି ପ୍ରସ୍ତୁତ କରି ରୋଜଗାର କରୁଥିବା ମହିଳାମାନେ ବ୍ୟାପକ ଆର୍ଥିକ କ୍ଷତି ସହିବେ। ଏହି କ୍ଷତିକୁ ଭରଣା କରି ପୁଣିଥରେ ବ୍ୟବସାୟକୁ ଠିଆ କରାଇବା ସମ୍ଭବ ହେବନାହିଁ ବୋଲି ଉତ୍ପାଦ ଗୋଷ୍ଠୀର ସଭାପତି ଝରଣା ଦଳେଇ ଓ ସମ୍ପାଦକ ସଂଗୀତା ନାୟକ କହିଛନ୍ତି। ଆଜି ଏନେଇ ସେମାନେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କୁ ଭେଟି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର