ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ରାଉରକେଲା ଗସ୍ତରେ ଆସି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ରାଜ୍ୟ ନିର୍ବାଚନ କମିସନଙ୍କ ଗାଇଡଲାଇନ ଅନୁସାରେ କିପରି ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରାଯିବ ସେନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ଏହାପରେ ରାଉରକେଲା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଉପସ୍ଥିତ ରହି ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲାପାଳ କହିଥିଲେ ଯେ, ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବାଲାଟ୍ ପେପର, ଭୋଟ ବାକ୍ସ ଏବଂ ଅନ୍ୟାନ୍ୟ ଉପକରଣ ବିଭିନ୍ନ ବ୍ଲକର ଷ୍ଟ୍ରଙ୍ଗ ରୁମ ଗୁଡ଼ିକରେ ସୁରକ୍ଷିତ ଭାବେ ରଖାଯାଇଛି।

ଭୋଟ ଗ୍ରହଣ ପୂର୍ବରୁ ଏସବୁ ନିର୍ଦ୍ଧାରିତ ବୁଥ ମାନଙ୍କରେ ପହଞ୍ଚାଇ ଦିଆଯିବ। ଜିଲ୍ଲାପାଳ ଆହୁରି କହିଥିଲେ ଯେ, ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି। ପ୍ରିଜାଇଡିଙ୍ଗ ଅଫିସର ଓ ପୋଲିଂ ଅଫିସରମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ତାଲିମ ଦିଆଯାଉଛି। କୋଭିଡକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ବୁଷ୍ଟର ଡୋଜ୍ ଦିଆଯାଉଛି। ଜିଲ୍ଲାରେ ମତଦାନ ପାଇଁ ମୋଟ ୩,୬୨୩ଟି ବୁଥ୍ କରାଯାଇଛି। ସେଥିମଧ୍ୟରୁ ୪୨୭ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ଏହି ବୁଥଗୁଡ଼ିକରେ ଶୃଙ୍ଖଳିତ ଭାବେ ନିର୍ବାଚନ ପରିଚାଳନା କରିବା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏହିସବୁ ବୁଥରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି କରାଯିବା ସହ ପୁଲିସ ମୁତୟନର ବ୍ୟବସ୍ଥା କରାଯାଉଛି। ସେହିପରି ଜିଲ୍ଲାର ସୀମାନ୍ତବର୍ତ୍ତି ବ୍ଲକ ଉପରେ ମଧ୍ୟ ପ୍ରଶାସନର ନଜର ରହିଥିବା ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲାରେ ମହିଳା ଭୋଟରଙ୍କ ମତଦାନ ହାର ବୃଦ୍ଧି କରିବା ପାଇଁ ପିଙ୍କ୍ ବୁଥର ପରିକଳ୍ପନା କରାଯାଇଛି। ପ୍ରତ୍ୟେକ ବ୍ଲକ ସଦର ମହକୁମାରେ ଏଥିପାଇଁ ଏକ ସ୍ୱତନ୍ତ୍ର ବୁଥ କରିବାକୁ ନିର୍ବାଚନ କମିସନଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏହି ବୁଥ ଗୁଡ଼ିକରେ ମହିଳା ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସରଙ୍କ ସହିତ ମହିଳା ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ। ରାଜ୍ୟରେ ଫେବ୍ରୁଆରି ୧୬ ତାରିଖରୁ ୨୪ ତାରିଖ ଯାଏଁ ପାଞ୍ଚଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ।

ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୩ ହଜାର ୬୨୩ଟି ବୁଥ୍ କରାଯାଇଛି। ସେଥିମଧ୍ୟରେ ସୁନ୍ଦରଗଡ଼ ପୁଲିସ ଅଧୀନରେ ୨,୩୫୧ଟି ବୁଥ ରହିଛି। ୧୧୬୯ଟି ସମ୍ବେଦନଶୀଳ ଏବଂ ୩୦୯ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ସେହିପରି ରାଉରକେଲା ପୁଲିସ ଅଧୀନରେ ୧,୨୭୨ଟି ବୁଥ୍ ରହିଛି। ସେଥିମଧ୍ୟରେ ୫୨୯ଟି ସମ୍ବେଦନଶୀଳ ବୁଥ୍ ରହିଥିବା ବେଳେ ୧୧୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ଚଳିତ ପଞ୍ଚାୟତ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ପ୍ରକ୍ରିୟାରେ ଜନସାଧାରଣ ଭାଗ ନେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ସହିତ ପାନପୋଷ ଉପଖଣ୍ଡ ପାଇଁ ନିୟୋଜିତ ଥିବା ନିର୍ବାଚନ ପର୍ଯ୍ୟବେକ୍ଷକ ଗଙ୍ଗାଧର ନାୟକ, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର ଓ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର