କରୋନା ଭୟ ନା ସମସ୍ୟା ସମାଧାନ ପାଇଁ ପଛଘୁଂଚା; ସାଧାରଣ ଲୋକଙ୍କ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ମୁଖ୍ୟ ଫାଟକ ବନ୍ଦ

ଖୋର୍ଦ୍ଧା: ପୁଣି କରୋନା ଭୂତାଣୁର ନୂଆ ଷ୍ଟ୍ରେନର ସଂକ୍ରମଣକୁ ନେଇ ସତର୍କତା ଜାରି କରାଯାଇଛି। ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ପ୍ରଶାସନ ପକ୍ଷରୁ ଜନସଚେତନତା ସୃଷ୍ଟି କରିବାକୁ ମାଇକ୍ ଯୋଗେ ମଧ୍ୟ ବ୍ୟାପକ ପ୍ରଚାର କରାଯାଉଛି। ତେବେ ଏସବୁ ମଧ୍ୟରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଜବ ପଦକ୍ଷେପ ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଛି। ଏକ ଲୋକସେବା ପାଇଁ ଉଦ୍ଦିଷ୍ଟ ଜିଲ୍ଲାର ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଏଭଳି ପଦକ୍ଷେପକୁ ନେଇ ସାଧାରଣରେ  ଭ୍ରୁକୁଂଚନ ସୃଷ୍ଟି ହୋଇଛି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଗାଁ ଗହଳିରୁ ଅଭିଯୋଗ ନେଇ ଆସୁଥିବା ସାଧାରଣ ଲୋକ ଜମା ହୋଇଥିଲେ। ଫାଟକ ନିକଟରେ ଦୁଇଜଣ କର୍ମଚାରୀ ସେମାନଙ୍କ ଆସିବା ଉଦେ୍ଦଶ୍ୟ ଆଦି ପଚାରୁଥିଲେ। ଯେଉଁମାନେ ସରକାରୀ କର୍ମଚାରୀ ସେମାନଙ୍କୁ ଗାଡ଼ି ନେଇ ଭିତରକୁ ଛାଡ଼ିବାକୁ ଅନୁମତି ଦେଉଥିଲେ। ଅନ୍ୟମାନେ ଯେଉଁମାନେ କୌଣସି ଅଭିଯୋଗ ନେଇ ଆସୁଥିଲେ ଜିଲ୍ଲାପାଳ ନାହାନ୍ତି ବୋଲି କେତେକଙ୍କୁ ଫେରାଇ ଦେଉଥିଲେ। ଅଭିଯୋଗ ନେଇ ଆସୁଥିବା ସାଧାରଣ ଲୋକଙ୍କ ମଧ୍ୟରୁ ଯେଉଁମାନେ ଟିକିଏ ଚଢ଼ା ଗଳାରେ କହୁଥିଲେ ସେମାନଙ୍କୁ ଭିତରକୁ ଯିବାକୁ ଅନୁମତି ମିଳୁଥିଲା। ପୂର୍ବେ ମଧ୍ୟ କରୋନା ମହାମାରୀ ସମୟରେ ଅନୁରୂପ ଭାବେ ଜିଲ୍ଲାପାଳ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ଏଭଳି କିଛି ଦିନ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିଥିଲା। ତେବେ ଲୋକଙ୍କ ଅସନ୍ତୋଷ ପରେ ୪-୫ ଦିନ ପରେ ହଟାଇଦିଆଯାଇଥିଲା।

ଯଦି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡ଼ ଯୋଗୁଁ କରୋନା ବ୍ୟାପିବାର ଅଶାଙ୍କା ରହିଛି ତେବେ ଥର୍ମାଲ୍ ସ୍କ୍ରିନିଂ ଆଦିର ବ୍ୟବସ୍ଥା କରି ଛାଡ଼ିବା କଥା। କିନ୍ତୁ ସେଭଳି ନକରି ଗହଳି କମାଇବା ଲକ୍ଷ୍ୟରେ ଏଭଳି ମୁଣ୍ଡଫଟା ଖରାରେ ଗ୍ରାମାଂଚଳରୁ ଆସୁଥିବା ଲୋକଙ୍କୁ ବାହାରକୁ ଏଭଳି କଟକଣା କରିବା ଉଚ୍ଚିତ ନୁହେଁ ବୋଲି ଖୋର୍ଦ୍ଧା ଓକିଲ ସଂଘର ସଭାପତି ଶିଶିର ପରିଡ଼ା କହିଛନ୍ତି। ସେ କହିଛନ୍ତି ଯେ ନିକଟରେ କରୋନା ନେଇ ଜିଲ୍ଳାପାଳଙ୍କ  ଅଧ୍ୟକ୍ଷତାରେ ବୈଠକ ବସିଥିଲା। ସେଠାରେ ମଧ୍ୟ ଏନେଇ ସେ ନିଜେ ଆପତ୍ତି କରିଥିଲେ। ପ୍ରଶାସନ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା ଯେ ଆବଶ୍ୟକ ସଚେତନତା ପରେ କଟକଣାକୁ ଧୀରେ ଧୀରେ ଲାଗୁ କରାଯିବ। କିନ୍ତୁ ଯେଉଁମାନେ ଦୂରାନ୍ତରୁ ସମସ୍ୟା ନେଇ ଆସୁଛନ୍ତି, କରୋନା ଆଳରେ ସେମାନଙ୍କ ସମସ୍ୟାକୁ ଅଣଦେଖା କରିବା ଠିକ୍ ନୁହେଁ।

ଏହାଦ୍ୱାରା ଜନ ଅସନ୍ତୋଷ ବୃଦ୍ଧି ପାଇବ। ସେହିଭଳି ଖୋର୍ଦ୍ଧା ଜିଲ୍ଲା ବିଜେପି ଅଧ୍ୟକ୍ଷ ରଶ୍ମୀ ମହାପାତ୍ର କହିଛନ୍ତି ଯେ କରୋନା ପାଇଁ ପ୍ରାୟ ୧ ବର୍ଷ ଧରି ଲୋକଙ୍କ ସମସ୍ୟାର ସମାଧାନରେ ବିଳମ୍ବ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସର୍ବୋଚ୍ଚ କାର୍ଯ୍ୟାଳୟ। ଯେଉଁମାନଙ୍କ ପଂଚାୟତ, ବ୍ଲକରେ ସମସ୍ୟା ସମାଧାନ ହେଉନାହିଁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଆସ୍ଥା ରଖି  ଆସୁଛନ୍ତି। ଏଣୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଏଭଳି ବନ୍ଦ ରଖିବା ଉଚ୍ଚିତ ନୁହେଁ। କୋଭିଡ୍ ନିୟମ ମଧ୍ୟରେ ଲୋକଙ୍କ ସମସ୍ୟା କଥା ଶୁଣାଯାଉ। ତେବେ ଜିଲ୍ଲାପାଳ ସନତ କୁମାର ମହାନ୍ତି କହିଛନ୍ତି ଯେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଯଥା ଲୋକଙ୍କ ଗହଳି ରହୁଛି। ଦିନକୁ ଶହଶହ ଲୋକ ଆସୁଛନ୍ତି। ଏଣୁ ନିୟନ୍ତ୍ରଣ କରିବା ଆବଶ୍ୟକତା ରହିଛି। ଏଣୁ ଫାଟକ ବନ୍ଦ ରଖି ଲୋକଙ୍କ ଆବଶ୍ୟକତା ଦେଖି ଛଡ଼ାଯାଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନାବଶ୍ୟକ ଗହଳିକୁ ହ୍ରାସ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।

ସମ୍ବନ୍ଧିତ ଖବର