ଇଏ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବିଜୁଳି ଗଲେ ସାରା ଦିନ ଅନ୍ଧାର

ଗାଡ଼ି/ସାଉଣ୍ତ ଅନୁମତି ପାଇଁ ନୟାନ୍ତ, କାହିଁକି ଅଛି ଡିଜି ଜେନେସେଟ୍‌ ମେସିନ୍‌?

କେନ୍ଦ୍ରାପଡ଼ା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ସାରା ଜିଲ୍ଲା ଏଇଠୁ ନିୟନ୍ତ୍ରଣ ହୁଏ। ଜିଲ୍ଲାପାଳଙ୍କଠୁ ନେଇ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ, ଡେପୁଟି କଲେକ୍ଟର‌୍‌ଙ୍କ ଯାଏ କେତେ ରକମର ଅଧିକାରୀ ଅଛନ୍ତି। ବିଭାଗ ସହିତ କର୍ମଚାରୀଙ୍କ ସ˚ଖ୍ୟା ବି ଅସ˚ଖ୍ୟ। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସାରା ଜିଲ୍ଲାର ଶକ୍ତିକେନ୍ଦ୍ର କୁହାଯାଉଥିବା ଏହି ଜିଲ୍ଳାପାଳ ଅଫିସ୍‌ ବିଜୁଳି ଚାଲିଗଲେ ପୂରା ଦିନ ଅନ୍ଧାରରେ ବୁଡ଼ିରୁହେ। କ˚ପ୍ୟୁଟରଜନିତ କାମ ଠପ୍‌ ହେଇଯାଏ। ଆଜି ଏହାର ତାଜା ଉଦାହରଣ ପ୍ରାର୍ଥୀମାନଙ୍କ ଗାଡ଼ି ଓ ସାଉଣ୍ତ୍‌ ଅନୁମତି ନ ମିଳିବା ଘଟଣାରୁ ଦେଖିବାକୁ ମିଳିଛି। ଲାଇନ୍‌ ନ ଥିବାରୁ କ˚ପ୍ୟୁଟର‌୍‌ରୁ ପ୍ରିଣ୍ଟ୍‌ ହେଇପାରୁନଥିବାର କାରଣ ଦର୍ଶାଇ ଦିନତମାମ ପ୍ରାର୍ଥୀଙ୍କୁ ଅନୁମତିପତ୍ର ଦିଆଯାଇପାରିନାହିଁ। ସ˚ଧ୍ୟା ଯାଏ ବହୁ ପ୍ରାର୍ଥୀଙ୍କ ସମର୍ଥକ ଅଫିସ୍‌ରେ ଡେରା ପକାଇଥିବା ବେଳେ କର୍ମଚାରୀ କରେଣ୍ଟ୍‌ ଅଭାବ ଦର୍ଶାଇ ହାତ ଟେକି ଦେଇଥିବା ଦେଖିବାକୁ ମିଳିଛି। ଜିଲ୍ଲା ମୁଖ୍ୟାଳୟ ଭଳି ଅତି ଗୁରୁତ୍ବପୂର୍ଣ୍ଣ ଅଫିସ୍‌ରେ ଯଦି କରେଣ୍ଟ୍‌ ଗଲେ ବିକଳ୍ପ ବ୍ୟବସ୍ଥା ସ୍ବରୂପ ଡିଜି ଜେନେସେଟ୍‌ ଚାଲିବ ନାହିଁ; ତା’ ହେଲେ ଧରିନେବାକୁ ପଡ଼ିବ ଯେ ପ୍ରଶାସନିକ ଅଚଳାବସ୍ଥା ଦୂର କରିବା କ୍ଷେତ୍ରରେ କର୍ତୃପକ୍ଷ କେତେ ଅପାରଗ ଓ ବେଫିକର‌୍‌। ଏ କଥା ନୁହେଁ ଯେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜେନେସେଟ୍‌ ନାହିଁ। କରେଣ୍ଟ୍‌ର ବିକଳ୍ପ ବ୍ୟବସ୍ଥା ସ୍ବରୂପ ଅଫିସ୍‌ ପଛପଟେ ବିରାଟ ଡିଜି ଜେନେସେଟ୍‌ ମେସିନ୍‌ ରହିଛି। କିନ୍ତୁ ତାହା ଖରାପ। ମରାମତି ପ୍ରତି କାହାରି ନିଘା ନାହିଁ।

ଫଳରେ ଆଜି ଦିନ ପ୍ରାୟ ୧୧ଟାରେ କରେଣ୍ଟ ଚାଲିଯିବାରୁ ସାରା ଦିନ ଅଫିସ୍‌ ଅନ୍ଧାର ରହିଥିବା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ବହୁ ପ୍ରାର୍ଥୀ ସେମାନଙ୍କ ଗାଡ଼ି ଓ ସାଉଣ୍ତ୍‌ ଅନୁମତିପତ୍ର ପାଇପାରିନାହାନ୍ତି। ଲାଇନ୍‌ ନ ଥିବାରୁ କ˚ପ୍ୟୁଟର‌୍‌ ବନ୍ଦ। ପ୍ରିଣ୍ଟ୍‌ ବି ବାହାରୁନାହିଁ। ଏଭଳି ସ୍ଥିତିରେ ଅନୁମତିପତ୍ର ନ ପାଇଁ ବହୁ ପ୍ରାର୍ଥୀଙ୍କ ସମର୍ଥକ ଅସନ୍ତୋଷ ପ୍ରକାଶ କରିଥିଲେ। ଏମିତିକି ସଂଧ୍ୟା ଯାଏ ଅନେକ ଅପେକ୍ଷା କରି ବସିଥିବା ଦେଖିବାକୁ ମିଳିଥିଲା। ମାର୍ଶାଘାଇ ବଛରାଇ ପ˚ଚାୟତର ଅର୍ଜୁନ କୁମାର ସ୍ବାଇଁ କହିଛନ୍ତି ଯେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଗାଡ଼ି ଓ ସାଉଣ୍ତ୍‌ ଅନୁମତି ପାଇଁ ଦିନ ସାଢେ଼ ୧୧ଟାରେ ଆସିଲୁଣି। କିନ୍ତୁ କରେଣ୍ଟ୍‌ ନ ଥିବା ଦର୍ଶାଇ ଅପେକ୍ଷା କରିବାକୁ କହିଲେ। ସ˚ଧ୍ୟା ପ୍ରାୟ ସାଢେ଼ ୫ଟାରେ କରେଣ୍ଟ୍‌ ଆସିବା ପରେ ପ୍ରିଣ୍ଟ୍‌ ବାହାର କରି ଅନୁମତିପତ୍ର ଦେଲେ। ପ୍ରଶାସନର ଅବ୍ୟବସ୍ଥା ପାଇଁ ଗୋଟିଏ ଦିନ ଆଜି ଆମର ବରବାଦ୍‌ ହେଲା ବୋଲି ଶ୍ରୀ ସ୍ବାଇଁ ଅସନ୍ତୋଷ ପ୍ରକାଶ କରି କହିଛନ୍ତି। ଅନ୍ୟପକ୍ଷରେ କାର୍ଯ୍ୟରତ କର୍ମଚାରୀଙ୍କ କହିବା କଥା ହେଉଛି, ଜେନେସେଟ୍‌ ମେସିନ୍‌ ଅଚଳ ରହିଛି। ସେଥିପାଇଁ କରେଣ୍ଟ୍‌ ଗଲେ ଅଫିସ୍‌ ଅନ୍ଧାର ରହୁଛି। କ˚ପ୍ୟୁଟର ଛାଡ଼ି ଅନ୍ୟ କାମ ହେଇପାରୁଛି। ହେଲେ ଅନୁମତିପତ୍ର ପ୍ରିଣ୍ଟ୍‌ ବାହାର କରି ଦିଆଯାଉଥିବାରୁ କରେଣ୍ଟ୍‌ ଅଭାବରୁ ଏହା ସମ୍ଭବ ହେଇପାରୁନାହିଁ। ଉପଜିଲ୍ଲାପାଳ ନିର˚ଜନ ବେହେରାଙ୍କ କହିବା କଥା ହେଉଛି, ଏହି ସମସ୍ୟା ଖୁବ୍‌ ଶୀଘ୍ର ସମାଧାନ କରାଯିବ। ନିର୍ବାଚନ ଭଳି ଅତି ଜରୁରି କାର୍ଯ୍ୟ ସମୟରେ ଅଚଳ ଜେନେସେଟ୍‌ ମେସିନ୍‌କୁ ସଚଳ କରାନଯିବା କର୍ତୃପକ୍ଷଙ୍କ ଦାୟିତ୍ବହୀନତା ତଥା ଖାମଖିଆଲ ମନୋଭାବକୁ ପଦାରେ ପକାଇ ଦେଉଥିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର