କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ ଗାଦି ମାଡ଼ିବସିଛନ୍ତି କର୍ମଚାରୀ; ଫାଇଲ୍‌ ମଗାଇଲେ ଜିଲ୍ଲାପାଳ

ଯାଞ୍ଚ ପରେ ପଦକ୍ଷେପ; ଚିନ୍ତାରେ କର୍ମଚାରୀ, ନେତାଙ୍କ ପାଖେ ଲବିକୁ ନେଇ ଚର୍ଚ୍ଚା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ କାମ କରୁଥିବା ଅଧିକା˚ଶ କର୍ମଚାରୀଙ୍କ ବଦଳି ହେଉନି। କାହାର ୩୦ ବର୍ଷ ବିତିଗଲାଣି ତ’ କାହାର ୨୫ବର୍ଷ। ଅନେକ ତ ଚାକିରି ଏଇଠୁ ଆରମ୍ଭ କରି ଅବସର ବି ନେଇ ସାରିଲେଣି। ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଲାଗୁ କରିଥିବା ବହୁ ପ୍ରଚଳିତ ‘ମୋ ସରକାର ଓ ୫-ଟି ନୀତି’ ଏଠି ମୂଲ୍ୟହୀନ, ଅପ୍ରାସଙ୍ଗିକ ହୋଇପଡ଼ିଛି। ଅଥଚ, ଜିଲ୍ଲାପାଳଙ୍କ ହାତରେ ପୌର କର୍ମଚାରୀଙ୍କ ବଦଳି କ୍ଷମତା ଥାଇ ସୁଦ୍ଧା ତାହା କାର୍ଯ୍ୟକାରୀ ହେଉନାହିଁ।

ଏ ସ˚କ୍ରାନ୍ତରେ ଲଗାତାର ‘ସମ୍ବାଦ’ରେ କର୍ମଚାରୀଙ୍କ କାର୍ଯ୍ୟକାଳ ଅବଧି ତାଲିକାକୁ ନେଇ ବିସ୍ତୃତ ଖବର ପ୍ରକାଶ ପାଇବା ପରେ ମ୍ୟୁନିସିପାଲିଟିରେ କମ୍ପନ ସୃଷ୍ଟି ହୋଇଛି। ସାରା ଜିଲ୍ଲାରେ ବି ଏହି ପ୍ରସଙ୍ଗକୁ ଚର୍ଚ୍ଚା ଲାଗି ରହିଥିବା ବେଳେ ଅନ୍ୟପଟେ ଦଶନ୍ଧି ଦଶନ୍ଧି ଧରି ଗାଦି ମାଡ଼ି ବସିଥିବା କର୍ମଚାରୀଙ୍କର ଖବରକୁ ହୋସ୍‌ ଉଡ଼ିଗଲାଣି। ଅନେକ ତ ନେତାଙ୍କ ପାଖେ ବଦଳି ଯେପରି ନ ହୁଏ, ସେଥିପାଇଁ ଲବି ଆରମ୍ଭ କରିଦେଲେଣି ବୋଲି ଚର୍ଚ୍ଚା ହେଲାଣି। ଏଭଳି ସ୍ଥିତିରେ ବିରୋଧୀ ବିଜେପି ତ କର୍ମଚାରୀଙ୍କ ବଦଳି କରାନଗଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିବା ବେଳେ କ˚ଗ୍ରେସ କହିଛି ନିୟମ କାହିଁକି କାର୍ଯ୍ୟକାରୀ ହେଉନି, ତାର ଉତ୍ତର ବଦଳି କ୍ଷମତା ପାଇଥିବା ଜିଲ୍ଲାପାଳ ହିଁ ଦେଇପାରିବେ।

ଦଳମତ ନିର୍ବିଶେଷରେ ସବୁ ମହଲରୁ ବ୍ୟବସ୍ଥାରେ ସ୍ବଚ୍ଛତା ପାଇଁ ବଦଳି ଦାବି ଉଠୁଥିବା ବେଳେ ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଚାରି ବର୍ଷ ତଳୁ ନଗର ଉନ୍ନୟନ ବିଭାଗ ପୌର କର୍ମଚାରୀଙ୍କ ବଦଳିକୁ ନେଇ ଯେଉଁ ଚିଠି ଜାରି କରିଥିଲା, ସେ ସ˚ପର୍କରେ ଅବଗତ ଅଛି। କିନ୍ତୁ ବଦଳି ନିୟମ କାର୍ଯ୍ୟକାରୀ କରିବା ପୂର୍ବରୁ କେତୋଟି ଦିଗ ପ୍ରତି ଧ୍ୟା‌ନ ଦେବାର ଅଛି। ମ୍ୟୁନିସିପାଲିଟିରେ ଯେହେତୁ ବିଭିନ୍ନ କ୍ୟାଡର‌୍‌ର କର୍ମଚାରୀ ଅଛନ୍ତି, ତେଣୁ ସେମାନଙ୍କ ଚାକିରି ସ˚କ୍ରାନ୍ତୀୟ ଫାଇଲ୍‌ ଯାଞ୍ଚ କରାଯିବ। ଯେଉଁମାନେ ବଦଳି ପରିସରଭୁକ୍ତରେ ଆସିବେ, ସେମାନଙ୍କୁ ନିୟମାନୁଯାୟୀ ଜିଲ୍ଲା ଭିତରେ ଅଦଳବଦଳ କରାଯିବ। ଜିଲ୍ଲାପାଳଙ୍କ ଏପ୍ରକାର ସକରାତ୍ମକ ଆଭିମୁଖ୍ୟ ସୂଚାଇ ଦେଇଛି ଯେ ଦଶନ୍ଧି ଦଶନ୍ଧି ଧରି ଗାଦି ମାଡ଼ି ବସି ଅଖଣ୍ତ କ୍ଷମତା ଉପଭୋଗ କରୁଥିବା କର୍ମଚାରୀଙ୍କ କାର୍ଯ୍ୟକାଳ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ ଆଉ ବେଶୀ ଦିନ ନୁହେଁ। କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ତାଇ ମ୍ୟୁନିସିପାଲିଟି ମଧ୍ୟରେ କର୍ମଚାରୀଙ୍କ ଅଦଳବଦଳ ଯେ ଆଗାମୀ ଦିନରେ ହେବାକୁ ଯାଉଛି, ଏ ସମ୍ଭାବନା ଦେଖାଦେଇଛି।

ସମ୍ବନ୍ଧିତ ଖବର