ଜିଲ୍ଲାପାଳଙ୍କ ପିଏ ଆତ୍ମହତ୍ୟା ଘଟଣା; ପତ୍ନୀ ବନଜା ଏସପି ସମେତ ୫ ଜଣଙ୍କ ନାମରେ କୋର୍ଟରେ ଏତଲା ଦେଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବହୁ ଚର୍ଚ୍ଚିତ ଘଟଣା ମଧ୍ୟରୁ ତତ୍କାଳୀନ ଜିଲ୍ଲାପାଳ ମନିଷ ଅଗ୍ରଵାଲଙ୍କ ପିଏ ସ୍ବର୍ଗତ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଣି ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ପତ୍ନୀ ବନଜା ପଣ୍ଡା ଏସଡିଜେଏମଙ୍କ କୋର୍ଟରେ ୱାନସିସି ଦାୟର କରିଛନ୍ତି। ଏସପି ରିଶିକେଷ ଖିଲାରୀଙ୍କ ସମେତ ଆଇଆଇସି ରାମ ପ୍ରସାଦ ନାଗ, ଡିଆଇବିର ପୂର୍ବତନ ଇନସପେକ୍ଟର ସୌମ୍ୟ ଶେଖର ତ୍ରିପାଠୀ, କନେଷ୍ଟବଲ ଶ୍ରୀ ପାଢୀ, କୁମାର ମୁନ୍ନା ଏବଂ ରମାକାନ୍ତ ପ୍ରଧାନଙ୍କ ନାମରେ ଏତଲା ଦାୟର କରାଯାଇଛି।

ପୁଲିସ ସ୍ବର୍ଗତ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଦିନ ଠାରୁ ପରିବାରକୁ ଉପେକ୍ଷା କରିଚାଲିଛନ୍ତି ବୋଲି ଅଭିଯୋଗ କରାଯାଇଛି। ତାଙ୍କୁ ପୁଲିସ ତରଫରୁ ଡରାଇବା ଧମକାଇ କେଶକୁ ଉଠାଇ ନେବାକୁ ବାଧ୍ୟ କରାଯାଉଛି। ଏଭଳି ୧୩ଟି ଅଭିଯୋଗ ଏସଡିଜେଏମଙ୍କ କୋର୍ଟରେ ଏତଲା ଦିଆଯାଇଛି। ଏହି ୫ ଜଣଙ୍କ ନାମରେ ତେବେ କେଶ ନମ୍ବର ୫/୨୦୨୧ ୫୦୬, ୨୦୪,୨୦୩, ୨୦୨, ୨୦୧, ୧୯୬,୧୯୩, ୧୯୨,୧୧୯,୧୧୫,୧୦୭, ୧୨୦(ବି) ଏବଂ ୩୪ ଆଇପିସି ଧାରା ଲଗାଯାଇଥିବା ଜଣାପଡିଛି। ଏଥିରେ ସାକ୍ଷୀ ଭାବେ ନିବେଦିତା ପଣ୍ଡା ଏବଂ ବିବେକ ପଣ୍ଡା ରହିଛନ୍ତି।

ପ୍ରକାଶ ଥାଉକି ଜିଲ୍ଲାପାଳଙ୍କ ବିରୋଧରେ କେଶ ରୁଜୁ ନକରିବାରୁ ପତ୍ନୀ ବନଜା ଏସଡିଜେଏମଙ୍କ କୋର୍ଟରେ ହାଜର ହୋଇ ଜିଲ୍ଲାପାଳ ସମେତ ଅନ୍ୟ ତିନି ଜଣଙ୍କ ନାମରେ ଏତଲା ଦାୟର କରିଥିଲେ। ସେତେବେଳେ ମାନ୍ୟବର କୋର୍ଟ ମାଲାକନଗିରି ପୁଲିସକୁ ସେହି କେଶ ହସ୍ତାନ୍ତର କରି ତୁରନ୍ତ କେଶ ରୁଜୁ କରିବାକୁ ନିର୍ଦେଶ ଦେଇଥିଲେ। ତେବେ ଏବେ ଏସପିଙ୍କ ସମେତ ଅନ୍ୟ ୫ ଜଣଙ୍କ ନାମରେ ଏତଲା ଦାୟର ହୋଇଥିବାରୁ ଏହା କି ମୋଡ ନେଉଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର