ଦେବଗଡ଼: କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ପଲସମା ଗ୍ରାମରେ ଆଜି ଦେବଗଡ଼ ଜିଲ୍ଲାପାଳଙ୍କ ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତା ରୋକ କରିଥିବା ଜଣାପଡିଛି l
ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୨ଟା ସମୟରେ ପଲସମା ଗ୍ରାମର ରବି ବାଗାର (୪୦) ଏକ ସାଇକେଲ ଯୋଗେ ଗାଁ ପୋଖରୀକୁ ଗାଧେଇବାକୁ ଯାଉଥିଲେ। ଏହି ସମୟରେ ଦେବଗଡ଼ ପଟୁ ଅନୁଗୁଳ ଅଭିମୁଖେ ଯାଉଥିବା ଦେବଗଡ଼ ଜିଲ୍ଲାପାଳଙ୍କ ସ୍କୋର୍ପିଓ ଗାଡି (ଓଡି -୨୮-ଏ-୦୬୮୯) ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା l ଏହି ଦୁର୍ଘଟଣାରେ ଗାଡିର ନମ୍ବର ପ୍ଲେଟ ଖସି ପଡିଥିବାରୁ ଏହା ଜିଲ୍ଲାପାଳଙ୍କ ଗାଡି ବୋଲି ଗ୍ରାମବାସୀ ମାନେ ଜାଣିବାକୁ ପାଇଥିଲେ l
ସେହିପରି ଗୁରୁତର ରବିକୁ ଖଇରପାଲି ଫାଣ୍ଡି ପୁଲିସ ଫାଣ୍ଡି ଗାଡ଼ିରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପାଇଁ ଆଣୁଥିବା ବେଳେ ବାଟରେ ଆମ୍ବୁଲାନ୍ସରେ ବସାଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ଜିଲ୍ଲାପାଳଙ୍କ ଗାଡି ଦୁର୍ଘଟଣା ଘଟାଇ ଫେରାର ହୋଇଯିବା ଜଣା ପଡିବା ପରେ ସ୍ଥାନୀୟ ଲୋକେ ପଳସମା ଗ୍ରାମ ଦେଇ ଯାଇଥିବା ରାଞ୍ଚି - ବିଜୟୱାଡା ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ ଆରମ୍ଭ କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ କୁଣ୍ଢେଇଗୋଳା ଥାନା ଅଧିକାରୀ ନିରୁପମା ଜେନା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଥିବା ଜଣା ପଡିଛି l
ତେବେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ତାଙ୍କ ଗାଡି ଦୁର୍ଘଟଣା ଘଟାଇ ଫେରାର ହେବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅଧିକ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡିଛି l ପରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଆହାତ ରବିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/WhatsApp-Image-2020-12-27-at-15.22.39.jpeg)