ନିର୍ମାଣାଧୀନ ଜୟପୁର ଏୟାରଷ୍ଟ୍ରିପର ତଦାରଖ କଲେ ନୂଆ ଜିଲ୍ଲାପାଳ

ଜୟପୁର : ଗତ ୬ତାରିଖ ଦିନ ଉଡାନ ଯୋଜନାରେ ନିର୍ମାଣାଧୀନ ଜୟପୁର ଏୟାରଷ୍ଟ୍ରିପ ସଂପ୍ରସାରଣ କାମର ତଦାରଖ କରିଥିଲେ  ଦକ୍ଷିଣାଂଚଳ ଆରଡିସି ଟି.ଆଓ। ଗତ କାଲି କୋରାପୁଟଜିଲ୍ଲାପାଳ ଭାବେ ଦାୟିତ୍ବ ନେବା ପରେ ଆଜି ପ୍ରଥମ କରି ଏହାର ତଦାରଖ କରିବାକୁ ଆସିଥିଲେ ଜିଲ୍ଲାପାଳ ଆବ୍ଦାଲ ଅଖତର ଉପଜିଲ୍ଲାପାଳ ହେମକାନ୍ତ ସୟ, ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ଅରୁଣ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ ଇଂ. ଭାସ୍କର ସାମନ୍ତରାୟ, ଏସଡିଓ ଇଂ.ବିଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।  ଜିଲ୍ଲାପାଳ ଉନ୍ନୟନକାମର ତଦାରଖ କରିବା ସହ ମୁଖ୍ୟତଃ ଏହି  ସଂପ୍ରସାରଣ ଯୋଜନାରେ ବାଧକ ସାଜିଥିବା ଉପର କୋଲାବ ଜଳସେଚନ ପ୍ରକଳ୍ପର ଏୟାରଷ୍ଟ୍ରିପ ପାର୍ଶ୍ବ ଦେଇ ଯାଇଥିବା ଧନପୁର ସବମାଇନର କେନାଲକୁ ବି ଯାଇ ଦେଖିଥିଲେ।

ପ୍ରକାଶ ଯୋଗ୍ୟ, ଉଡାନ – ୧ ଯୋଜନାରେ ଜୟପୁର ଏୟାରଷ୍ଟ୍ରିପ ରନୱେର ଲମ୍ବ ୯୧୫ ମିଟର ଏବଂ ଚଉଡା ୨୩ ମିଟର କରିବାକୁ ପ୍ରଥମେ ନିଷ୍ପତି ନିଆ ଯାଇଥିଲା ।  ଏହି କାମ ଶେଷ ହେବା ପରେ ପରବର୍ତୀ ସମୟରେ ଏହାର ସଂପ୍ରସାରଣ କରିବାକୁ ପୁଣି ପ୍ରସ୍ତାବ ଆସିଲା ।  ସେହି ସମୟରେ ରନୱେକୁ ୧୨୦୦ ମିଟର ଲମ୍ବା ଓ ଚଉଡାକୁ ୩୦ ମିଟର କରିବାକୁ ଅଟକଳ କରି ଟେଣ୍ଡର ଆହ୍ୱାନ କରି  ଠିକାଦର ସହ ଚୁକ୍ତି ନାମା କରାଯିବା ସହ କାମ ଆରମ୍ଭ ହୋଇଛି। ରନୱେକୁ  ୧୨୦୦ ମିଟର ପରିବର୍ତେ ୧୫୦୦ ମିଟର କରିବାକୁ ଯୋଜନା କରିଛି  ଜୟପୁର ପୂର୍ତ୍ତ ବିଭାଗ । ୧୫୦୦ ମିଟର ସଂପ୍ରସାରଣ ହେଲେ  ୭୨ ସିଟ ବିଶିଷ୍ଟ ବିମାନ ଚଳାଚଳ କରି ପାରିବ। ନଚେତ କେବଳ ୧୮ସିଟ ହିଁ ଚଳାଚଳ କରିବ।  ତେବେ  ଏହି  ସଂପ୍ରସାରଣ ଯୋଜନାରେ ବାଧକ ସାଜିଛି କୋଲାବ ଜଳସେଚନ ପ୍ରକଳ୍ପର କେନାଲ ।   ଏୟାରଷ୍ଟ୍ରିପ ପାର୍ଶ୍ବ ଦେଇ ଯାଇଥିବା ଧନପୁର ସବମାଇନର କେନାଲ ଉପରେ ସଂପ୍ରସାରଣ ହେଉଥିବା ୧୫୦୦ ମିଟର ରନୱେ ନିର୍ମାଣ କେମିତି ହେବ, ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ସେ ନୂଆରେ ଜିଲ୍ଲାପାଳ ଭାବେ ଯୋଗ ଦେବା ପରେ ଏହା ତାଙ୍କର ପ୍ରଥମ ଗସ୍ତ ଥିଲା।  ଉନ୍ନୟନମୂଳକ କାମ କିଭଳି ଆଗେଇବ ଏହାର ତଦାରଖ କରିବାକୁ ଆସିଥିଲେ ବୋଲି କହିଛନ୍ତି ଜିଲ୍ଲାପାଳ।

 

ସମ୍ବନ୍ଧିତ ଖବର