କେନ୍ଦ୍ରାପଡ଼ା: ଗତବର୍ଷ ନାମଲେଖା ଫି’ ଥିଲା ୬ହଜାର ୬୮୪ଟଙ୍କା। ମାତ୍ର ଏଥର ବଢ଼ି ତାହା ହେଇଛି ୧୦ହଜାର ୩୯୨ଟଙ୍କା। ଅର୍ଥାତ୍‌ ବର୍ଷକ ମଧୢରେ ଯୁକ୍ତ ଦୁଇ ବିଜ୍ଞାନ ନାମଲେଖା ଫି’ ପାଖାପାଖି ୫୫ପ୍ରତିଶତ ବୃଦ୍ଧି କରିଦିଆଯାଇଛି। କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟରେ ଯୁକ୍ତି ଦୁଇ ନାମଲେଖାରେ ଏଭଳି ଫି’ ବୃଦ୍ଧିକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ମୁଣ୍ତ ଟେକିଛି। କିଭଳି ଆଉ କାହା ସ୍ବାର୍ଥରେ ନାମଲେଖା ଫି’କୁ ଏକାଥରକେ ପାଞ୍ଚ ଗୁଣରୁ ଅଧିକ ବୃଦ୍ଧି କରି ଦିଆଗଲା ଆଉ ପରିଚାଳନା ସମିତି ଅନୁମୋଦନ କଲା, ତାହା ଏବେ ପ୍ରଶ୍ନର ବିଷୟ ହୋଇଛି। ଜିଲ୍ଲାର ସର୍ବବୃହତ୍‌ ତଥା ରାଜ୍ୟର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ହିସାବରେ କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟ ପରିଗଣିତ ହୁଏ। କଲେଜର ସୁନାମ ରହିଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ପିଲା ଏଠାକୁ ପାଠ ପଢ଼ିବାକୁ ଧାଇଁ ଆସିଥା’ନ୍ତି। କିନ୍ତୁ ଏଥର ଯେଉଁଭଳି ଭାବେ ଯୁକ୍ତ ଦୁଇ ବିଜ୍ଞାନରେ ନାମଲେଖା ଫି’ ବୃଦ୍ଧି କରାଯାଇଛି, ତାହା ଅନେକ ଅଭିଭାବକଙ୍କ ମୁଣ୍ତରେ ଚଡ଼କ ପକାଇ ଦେଇଛି। ଗତବର୍ଷ ଅପେକ୍ଷା ଏଥର ନାମଲେଖା ଫି’ ୫୫ପ୍ରତିଶତରୁ ଅଧିକ ବୃଦ୍ଧି କରାଯାଇଛି। କେଉଁ ଆଧାରରେ ଏଭଳି ଅହେତୁକ ବୃଦ୍ଧି କରାଗଲା, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ତଥ୍ୟ କହୁଛି, ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ମୋଟ୍‌ ସିଟ୍‌ ୫୧୨ଥିବା ବେଳେ କଳାରେ ୩୮୪ ଆଉ ବାଣିଜ୍ୟରେ ୩୫୨ଟି ସିଟ୍‌ ରହିଛି। କିନ୍ତୁ କଳା ଓ ବାଣିଜ୍ୟ ତୁଳନାରେ ଏଥର ବିଜ୍ଞାନ ନାମଲେଖା ଫି’ରେ ଅଧିକ ବୃଦ୍ଧି କରାଯାଇଛି। ଗତବର୍ଷ ବିଜ୍ଞାନ ନାମଲେଖା ଫି’ ୬ହଜାର ୬୮୪ଟଙ୍କା ଥିଲା। ମାତ୍ର ଏଥର ଜେନେରାଲ୍‌ ବର୍ଗରେ ଚାରିଟି ପ୍ରାକ୍ଟିକାଲ୍‌ ବିଷୟ(ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞନ) ରଖି ବିଜ୍ଞାନ ପ୍ରଥମ ବର୍ଷରେ ନାମ ଲେଖାଇଲେ ୧୦ହଜାର ୩୯୨ ଟଙ୍କା ଗଣିବାକୁ ପଡ଼ୁଥିବା ବେଳେ ତିନିଟି ପ୍ରାକ୍ଟିକାଲ୍‌ ବିଷୟ ପାଇଁ(ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପରିସ˚ଖ୍ୟାନ/ଇଲେକ୍ଟ୍ରୋନିକ୍ସ) ୧୦ହଜାର ୨୨୨ଟଙ୍କା ଏବ˚ ଆଇଟି ବିଷୟ ପାଇଁ ୧୩ହଜାର ୨୨୨ଟଙ୍କା ପିଲାମାନେ ଦେଉଛନ୍ତି। ଦଳିତ ବର୍ଗର ଛାତ୍ରଛାତ୍ରୀଙ୍କ ନାମଲେଖା ଫି’ ଏହାଠୁ ଅଳ୍ପ କମ୍‌ ରହିଛି।

Advertisment

ସେହିପରି ଯୁକ୍ତ ଦୁଇ ପ୍ରଥମ ବର୍ଷ କଳାରେ ନାମଲେଖା ଫି’ ୭୬୫୯ଟଙ୍କା ଥିବା ବେଳେ ଗୋଟିଏ ପ୍ରାକ୍ଟିକାଲ୍‌ ବିଷୟ ପାଇଁ ୭୮୨୯ ଏବ˚ ଦୁଇଟି ପ୍ରାକ୍ଟିକାଲ୍‌ ବିଷୟ ପାଇଁ ୭,୯୯୯ଟଙ୍କା ରହିଛି। ବାଣିଜ୍ୟରେ ନାମଲେଖା ଫି’ ଏହାଠୁ ଅଧିକ ରହିଛି। ବିନା ପ୍ରାକ୍ଟିକାଲ୍‌ରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ବାଣିଜ୍ୟ ନାମଲେଖା ପାଇଁ ୭୬୭୯ଟଙ୍କା ଥିବା ବେଳେ ସିଏ ବିଷୟ ପାଇଁ ୮ହଜାର ୩୪୯ ଏବ˚ ଆଇଟି ବିଷୟ ପାଇଁ ୧୦ହଜାର ୮୪୯ଟଙ୍କା ନାମଲେଖା ଫି’ ରହିଛି। କଳା ଓ ବାଣିଜ୍ୟରେ ଯଦିଓ ଗତବର୍ଷ ଅପେକ୍ଷା ଏଥର ଫି’ରେ ବୃଦ୍ଧି କରାଯାଇଛି, ତାହା କିନ୍ତୁ ବିଜ୍ଞାନ ଭଳି ନୁହେଁ। ବିଜ୍ଞାନରେ ପାଞ୍ଚ ଗୁଣରୁ ଅଧିକ ବୃଦ୍ଧିକୁ ସହଜରେ ଅଭିଭାବକ ମାନେ ଗ୍ରହଣ କରିପାରୁନାହାନ୍ତି। ଏହାକୁ ନେଇ ସାଧାରଣର ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କଲେଜ ଅଧୢକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ କହିବା କଥା ହେଉଛି ନାମଲେଖା ଫି’ ବୃଦ୍ଧି ତାଙ୍କ ସମୟରେ ହୋଇନାହିଁ। ପୂର୍ବତନ ଅଧୢକ୍ଷ ପ୍ରଫେସର ରାଜେନ୍ଦ୍ର ନାରାୟଣ ତ୍ରିପାଠୀ ହିଁ ବୃଦ୍ଧି କରାଯାଇଛି। ଏଥିରେ ତାଙ୍କର କିଛି ଭୂମିକା ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି। ହେଲେ ଯେଉଁ ପ୍ରଶ୍ନଟି ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି ଏମିତି କି’ ଆବଶ୍ୟକତା ପଡ଼ିଲା ଯେ ବିଭାଗୀୟ କର୍ତୃପକ୍ଷ ଏକାଥରକେ ୫୫ପ୍ରତିଶତ ଫି’ ବୃଦ୍ଧି ଭଳି ବଡ଼ ନିଷ୍ପତ୍ତି ନେଇଗଲେ? ଏହି ନିଷ୍ପତ୍ତି ନେବା ପୂର୍ବରୁ ଗାଁ ଗହଳିରୁ ପଢ଼ିବାକୁ ଆସୁଥିବା ଗରିବ ମେଧାବି ପିଲାମାନଙ୍କ କଥାକୁ କାହିଁକି ଥରେ ଚିନ୍ତା କରାଗଲା ନାହିଁ? ଉଲ୍ଲେଖଥାଉକି’ ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନ ନାମଲେଖା କଟ୍‌ ଅଫ୍‌ ମାର୍କ ୮୫.୮୭ପ୍ରତିଶତ ରହିଥିବା ବେଳେ କଳାରେ ୭୫.୩୩ ଏବ˚ ବାଣିଜ୍ୟ ୬୧ପ୍ରତିଶତ ରହିଛି।