ଜୟପୁର: ଜୟପୁରରେ ସ୍ନାତକ ଚିତ୍ରକଳା ମହାବିଦ୍ୟାଳୟ ଖୋଲିବ ବୋଲି ଗତ ୯ମାସ ତଳେ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ଏହି ଘୋଷଣା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ବରିଷ୍ଠ ଚିତ୍ରକଳାକାରମାନେ ଖୁସି ଜାହିର କରିଥିଲେ। ତେବେ ତାହା ଏ ପର୍ଯ୍ୟନ୍ତ ଗୋଟିଏ ପଦ୍ମ ବି ନ ଆଗେଇବା ଫଳରେ ଏହି ଶିକ୍ଷାବର୍ଷରେ ଏହା ଆରମ୍ଭ ହେବ କି ବୋଲି ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଗୋଟିଏ ପଟେ ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ୭୫ ବର୍ଷ ପୁର୍ତ୍ତି (ପ୍ଲାଟିନମ ଜୁବୁଲି) ଉତ୍ସବ ପାଳନ ୭୭ବର୍ଷ ପରେ ବି ହୋଇପାରିନି। ଏହି ଦୁଇଟି ଏକା ସହ ହେଲେ ଅଂଚଳବାସୀ ଯେଉଁ ଖୁସି ଅନୁଭବ କରିବା ଯୋଜନା କରିଥିଲେ ତାହା ସମସ୍ତଙ୍କ ପାଇଁ ନିରାଶ ହେବାକୁ ପଡ଼ିଛି। ସୂଚନା ଯୋଗ୍ୟ, ଓଡିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗର ଉପଶାସନ ସଚିବ ନିଜ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ଚିଠି କରି ଏ ନେଇ ଅବଗତ କରିବା ସହ କଲେଜର ଅଧ୍ୟକ୍ଷଙ୍କୁ ଗତ ୨୦୨୨ମସିହା ଅକ୍ଟୋବର ମାସରେ ଜଣାଇଥିଲେ। ଗତ ୨୦୨୨ମସିହା ଅକ୍ଟୋବର ୧୧ତାରିଖ ଦିନ ଓଡିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟକୁ କଳା (ଡିଗ୍ରୀ) ମହାବିଦ୍ୟାଳୟ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ମହାବିଦ୍ୟାଳୟ ୫ ଏକର ଜମି ମଧ୍ୟରେ କରାଯିବାକୁ ନିର୍ଦେଶ ଦିଆଯାଇଥିଲା।
ଜମି ତୁରନ୍ତ ଯୋଗାଇବା ପାଇଁ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଜୟପୁର ତହସିଲଦାର ସ୍ଥାନୀୟ ଜୟନଗର ନିକଟସ୍ଥ ଜଗନ୍ନାଥସାଗର ପାର୍ଶ୍ବରେ ଥିବା ସରକାରୀ ଜମି ମଧ୍ୟରୁ ୫ ଏକର ଜମି ଦେବାକୁ ଚିହ୍ନଟ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଚିହ୍ନଟ କରି ରଖାଯାଇଥିବା ଜମି ସଂଲଗ୍ନରେ ଥିବା ଏହି ଜମି ଦେବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ରାଜ୍ୟରେ ପୂର୍ବରୁ ଖଲ୍ଲିକୋଟ ଓ ବାଲେଶ୍ବରରେ ହିଁ କଳା ମହାବିଦ୍ୟାଳୟ ରହିଥିଲା। ଏତେ ଦୁରକୁ ଯାଇ ଏଠାକାର ବହୁ ଗରିବ, ପଛୁଆ ପିଲା ଏହି ଧନ୍ଦାମୂଳକ ପାଠ୍ୟକ୍ରମ ପଢ଼ିପାରୁନଥିଲେ। ୧୯୪୬ ମସିହାରେ ମହାରାଜା ଶ୍ରୀବିକ୍ରମ ଦେବ ବର୍ମାଙ୍କ ଦ୍ବାରା ଏହି ଚାରୁ ଓ କାରୁକଳା ବିଦ୍ୟାଳୟ ସ୍ଥାପନ କରାଯାଇଥିବା (ଯୁକ୍ତ ଦୁଇ ଧନ୍ଦାମୂଳକ)କୁ କଳା (ଡିଗ୍ରୀ)ମହାବିଦ୍ୟାଳୟ ଭାବେ ପରିବର୍ତ୍ତିତ କରି ନୂଆ ସ୍ବୀକୃତି ମିଳି ପାରିଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ଶହ ଶହ ବିଭିନ୍ନ ବର୍ଗର ଚିତ୍ରକଳାକୁ ପେସା କରୁଥିବା ପିଲାମାନଙ୍କର ଉତ୍ତମ ଭବିଷ୍ୟତ ଗଠନ ହୋଇ ପାରିବ ବୋଲି ବହୁ ବରିଷ୍ଠ ଚିତ୍ରକଳାକାର କହିଛନ୍ତି।
ଚାରୁ ଓ କାରୁକଳା ବିଦ୍ୟାଳୟ ଉପଦେଷ୍ଟା ଯୁଧିଷ୍ଠିର ମଲ୍ଲୀକ ଜିଲ୍ଲାପ୍ରଶାସନକୁ ଏ ନେଇ ଚିଠି କରି ଅବଗତ କରିଥିଲେ ହେଁ କିଛି ବି ଆଗେଇ ନଥିବା କହିଛନ୍ତି। ରାଜ୍ୟ ସରକାର ଏଭଳି ମହତ ଲକ୍ଷ୍ୟ ଘୋଷଣା କରିବା ପରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ, ଲୋକପ୍ରତିନିଧି, ସାଂସଦ, ବିଧାୟକ ଆଦି ଏଦିଗରେ ଯେଭଳି ଦୃଷ୍ଟି ଦେବା କଥା ନ ଦେବା ପଛରେ କାରଣ କଣ ବୋଲି ଅଭିବାଭକ ମହଲରେ ପ୍ରଶ୍ନ ସୃଷ୍ଟି କରିଛି। ଏଭଳି ବିଳମ୍ବ ହେବା ଦ୍ବାରା ଏହି ମହତ୍ବାକ୍ଷାଂକୀ କଳା ମହାବିଦ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର ହୋଇ ଯିବ ନାହିଁ ତ ବୋଲି ବହୁ ବରିଷ୍ଠ ଚିତ୍ରକଳାକାର ଆଶଙ୍କା ପ୍ରକଟ କରିଛନ୍ତି।