ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁରେ ଜଣେ କଲେଜ ପଢୁଆ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। କଲେଜ ଛାତ୍ରୀଙ୍କର ଆଜି ସକାଳ ୮ଟାରେ ନଦୀ ପାଣିରେ ବୁଡି ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣକ ହେଲେ ଟୁନି ପନକା।
ସୂଚନା ଅନୁଯାୟୀ ବୋରିଗାଁ ଡୁମର ପନକାଙ୍କ ଝିଅ ଟୁନି ଆଜି ସକାଳ ୮ଟାରେ ୩ ଜଣ ସାଥୀ ଝିଅଙ୍କ ସହ ମିଶି ନିକଟ ଭାସ୍କେଲ ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ଗାଧୋଇବା ସମୟରେ ଅସାବଧାନତା ବଶତଃ ଟୁନିଙ୍କ ଗୋଡ଼ ଖସିଯାଇଥିଲା। ସେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ଏହା ଦେଖି ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚିତ୍କାର କରିଥିଲେ।
ଗ୍ରାମବାସୀ ନଦୀ ଗର୍ଭରୁ ଟୁନି ପନକାକୁ ଉଦ୍ଧାର କରିଥିଲେ ସୁଦ୍ଧା ତାର ମୃତ୍ୟୁ ଘଟିଥିଲା। ଗ୍ରାମବାସୀଙ୍କ ଠାରୁ ଖବର ମିଳିବା ପରେ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳକୁ ପହଞ୍ଚି ଥିଲେ। କିନ୍ତୁ ଏହା ପୂର୍ବରୁ ଟୁନିଙ୍କର ମୃତ୍ୟୁ ହୋଇସାରିଥିଲା।
ଏ ନେଇ ନାବାଳିକା ଟୁନିଙ୍କର ବାପା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ମୃତଦେହ ଜବତ କରିଥିଲା। ଅପରାହ୍ନରେ ଶବ ବ୍ୟବଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଘଟଣାର ତଦନ୍ତ କରୁଛନ୍ତି ପୁଲିସ ଏଏସ୍ଆଇ ପୁଷ୍ପଲତା ସୁନାନି।
ସୂଚନା ଥାଉ କି ଟୁନି ଡାବୁଗାଁସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ ଯୁକ୍ତ ୨ କଳା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଅକ୍ଟୋବର ୧୧ ତାରିଖରେ ସେ ନବରଂଗପୁର କଲେଜରେ ଯୁକ୍ତ ୩ରେ ନାମ ଲେଖାଇଥାନ୍ତେ। କିନ୍ତୁ ଆଜି ତାଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି। ତାଙ୍କର ମୃତ୍ୟୁରେ ପରିବାର, ଗ୍ରାମବାସୀ, ଭୈରବ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକାଙ୍କ ସହ ଛାତ୍ରଛାତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।