ଖାସମୁଣ୍ତାରେ ବେନାମୀ ଯୁକ୍ତ୨ କଲେଜ: ଅନୁବନ୍ଧନ ନାହିଁ, ଚାଲିଛି ଆଡ୍‌ମିସନ୍‌

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଚଲାଉଛନ୍ତି କଲେଜ

ରାଜନଗର: କଲେଜ୍ ଖୋଲିବା ପାଇଁ କୌଣସି ସ୍ବୀକୃତି ମିଳିନାହିଁ। ମାତ୍ର ବେନାମୀ କଲେଜ ଖୋଲାଯାଇ ଛାତ୍ରଛାତ୍ରୀଙ୍କ ନାମ ଲେଖାଯାଉଛି। ଏପରିକି କଲେଜର ନାଁ ସହିତ ସାଇନ୍‌ବୋର୍ଡ ମରାଯାଇଛି। ସେଥିରେ ୨୦୨୧–୨୨ ଶିକ୍ଷାବର୍ଷ ପାଇଁ ଯୁକ୍ତ ୨ ଶ୍ରେଣୀରେ ନାମ ଲେଖାଯାଉଛି ବୋଲି ବି ଉଲ୍ଲେଖ କରାଯାଇଛି। ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଲୋଭିତ କରି ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଏହି ବେନାମୀ କଲେଜ ଖୋଲିବା ସହ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ଏହି ଶିକ୍ଷକଜଣଙ୍କ ନିଜ ଘରେ ଏହି କଲେଜ ଖୋଲିବା ସହ ଏ ନେଇ ବଙ୍ଗୀୟ ଭାଷାଭାଷୀ ପଞ୍ଚାୟତଗୁଡ଼ିକରେ ସୂଚନା ଫଳକ ମାରିଛନ୍ତି। ଏପରିକି ସେଠାକାର ଲୋକଙ୍କୁ ପ୍ରଲୋଭିତ କରି ବିଭିନ୍ନ କଲେଜରୁ ଛାତ୍ରଛାତ୍ରୀଙ୍କ ଟିସି ନେଇ ଏହି ବେନାମୀ କଲେଜରେ ନାମ ଲେଖାଇଥିବା ଅଭିଯୋଗ ହୋଇଛ। ରାଜନଗର ବ୍ଲକର ଶେଷ ପ୍ରାନ୍ତରେ ଥିବା ବଙ୍ଗୀୟ ଭାଷାଭାଷୀ ଅଞ୍ଚଳ ବାଘମାରୀ ପଞ୍ଚାୟତର ଖାସମୁଣ୍ତା। ଏହି ଗାଁରେ ‘ଶ୍ରୀ ଗଣେଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ ୨ କଲେଜ)’ ଖୋଲାଯାଇଥିବା ନେଇ ସାଇନ୍‌ବୋର୍ଡ ମରାଯାଇଛି। ଏହି ଫଳକରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମ ଲେଖା ଚାଲୁଥିବା ଉଲ୍ଲେଖ ରହିଛି। ଗୋଟିଏ ମାତ୍ର ଘରେ ଡେସ୍କ, ବେଂଚ ପକାଇ ପିଲାଙ୍କୁ ପାଠ ମଧ୍ୟ ପଢ଼ାଯାଉଛି। ଏହି ଶ୍ରୀ ଗଣେଶ ଯୁକ୍ତ କଲେଜରେ ୫୫ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ପାଠ ପଢୁଥିବା ଜଣାପଡିଛି। ଅଧିକାଂଶ ଛାତ୍ରଛାତ୍ରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଯୁକ୍ତ ୨ କଳାରେ ନାମ ଲେଖାଇଥିଲେ।

ସେମାନଙ୍କୁ ପ୍ରଲୋଭିତ କରି ସରକାରୀ ମହାବିଦ୍ୟାଳୟଗୁଡ଼ିକରୁ ଟିସି ନେଇ ଏହି ବେନାମୀ କଲେଜରେ ନାମ ଲେଖାଯାଇଛି। କୌଣସି ମହାବିଦ୍ୟାଳୟ ଖୋଲିବା ପାଇଁ ଗଣଶିକ୍ଷା ବିଭାଗର ଅସ୍ଥାୟୀ ଅନୁବନ୍ଧନ ଦରକାର। କିଛିଦିନ ଧରି ମହାବିଦ୍ୟାଳୟ ଚାଲିବା ପରେ ସ୍ଥାୟୀ ଅନୁବନ୍ଧନ ମିଳିଥାଏ। ଏହା ପରେ ଛାତ୍ରଛାତ୍ରୀଙ୍କୁ ଆଡମିସନ କରି ପାଠ ପଢ଼ାଯାଇଥାଏ ଏବଂ ସେହି କଲେଜ ନାଁରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତି। ମାତ୍ର ଖାସମୁଣ୍ତା ଶ୍ରୀ ଗଣେଶ ଯୁକ୍ତ ୨ କଲେଜକୁ ସରକାରଙ୍କ ଶିକ୍ଷା ବିଭାଗର କୌଣସି ସ୍ବୀକୃତି ମିଳିନାହିଁ। ଏପରିସ୍ଥଳେ କିପରି ବେନାମୀ କଲେଜ ଖୋଲାଗଲା ଓ ନାମଲେଖା ଚାଲିଛି ସେ ନେଇ ବିସ୍ମୟ ସୃଷ୍ଟି ହୋଇଛି।
ଏହି କଲେଜ ଚଳାଉଥିବା ଖାସମୁଣ୍ତା ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ତରୁଣ କୁମାର ମାଇତିଙ୍କ କହିବା କଥା ହେଲା, ମୁଁ ପିଲା ଯୋଗାଡ଼ କରୁଛି, କଲେଜରେ ପାଠ ପଢ଼ା କଥା ବୁଝୁଛି। କଲେଜର ସ୍ବୀକୃତି ମିଳିନାହିଁ। ଏ ସଂପର୍କରେ ମୁଁ କିଛି କହିପାରିବି ନାହିଁ ଏବଂ ମୋର ଭାଇ ବାଲେଶ୍ବରରେ ରହି ଅଫିସିଆଲି କଥା ବୁଝାବୁଝି କରୁଛି ବୋଲି କହିଛନ୍ତି। ତରୁଣ କୁମାର ମାଇତି ଖାସମୁଣ୍ତା ପ୍ରାଥମିକ ବିଦ୍ୟାଳୟର ଜଣେ ସରକାରୀ ଶିକ୍ଷକ। ଜଣେ ସରକାରୀ ଶିକ୍ଷକ ହୋଇ କିପରି ନିଜ ଘରେ ବେନାମୀ କଲେଜ ଖୋଲିଛନ୍ତି ଏବଂ ଏହି କଲେଜର ପ୍ରଚାରପତ୍ରରେ ନିଜର ମୋବାଇଲ ନମ୍ବର ଦେଇଛନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର