ପ୍ରଶାସନ ନିରବ, କାର୍ଯ୍ୟାନୁଷ୍ଠାନ ନାହିଁ: ଜବରଦଖଲରେ ଶତାୟୁ ଶ୍ରୀକୃଷ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଜମି

ପାରଳାଖେମୁଣ୍ତି : ପାରଳାର ଗୌରବ ଶ୍ରୀକୃଷ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ବହୁ ଜମି ବିଗତ କିଛି ବର୍ଷ ଭିତରେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ମହାବିଦ୍ୟାଳୟଟି ସହର ମଝିରେ ଅବସ୍ଥିତ। ଗୋଟିଏ ପାର୍ଶ୍ବରେ ରହିଛି ୱାର୍ଡ ନମ୍ବର ୧୬ର ସଞ୍ଜୟ ଗାନ୍ଧି କଲୋନି ଏବ˚ ଅପର ପାର୍ଶ୍ବରେ ୱାର୍ଡ ନମ୍ବର ୧୩ ଏବ˚ ୧୪ର ମୁଖ୍ୟବଜାର। ଏହି ଶତାୟୁ ମହାବିଦ୍ୟାଲୟ ନିକଟରେ ଥିବା ଗୁଣ୍ତିଚାମନ୍ଦିର ଜମି ଓ ସଞ୍ଜୟ ଗାନ୍ଧି କଲୋନିକୁ ଯୋଡ଼ିଥିବା ସୀମାରେ ବିଗତ କିଛି ବର୍ଷ ମଧ୍ୟରେ କ୍ରମାଗତ ଭାବେ ଜବରଦଖଲ ଜାରି ରହିଛି। ଏହାକୁ ନେଇ କଲେଜ କର୍ତ୍ତୃପକ୍ଷ ନିରୁପାୟ ହୋଇ ପଡ଼ିଛନ୍ତି। ଏହାର କାରଣ ହେଉଛି, ୧୬ ନମ୍ବର ୱାର୍ଡଟି ଏକ ବସ୍ତି ଅଞ୍ଚଳ ଏବ˚ ଏଠାରେ ଦିନ ମଜୁରିଆ ଶ୍ରେଣୀ ଓ ବିପିଏଲ ପରିବାର ଅଧିକ ବସବାସ କରୁଛନ୍ତି।

ପ୍ରଥମେ ଏମାନେ ଛୋଟ କୁଡ଼ିଆ ଏବ˚ ଚାଳଘର କରି ଏହି ଜମିରେ ଅସ୍ଥାୟୀ ଭାବେ ରହିବା ଆରମ୍ଭ କରିଥିଲେ। କାଳକ୍ରମେ କିଛି ବର୍ଷ ଭିତରେ ଜମିମାଫିଆଙ୍କ ଲୋଲୁପ ଦୃଷ୍ଟିରେ ପଡ଼ିଥିଲା ଏହି ମୂଲ୍ୟବାନ ଜମି। ଏବେ ଏହି ଅଞ୍ଚଳରେ ଧୀରେ ଧୀରେ ପକ୍କାଘର ନିର୍ମାଣ ସହ ମହାବିଦ୍ୟାଳୟ ସୀମା ଭିତରକୁ ପ୍ରବେଶ କରି ସାରିଲେଣି ଜମି ମାଫିଆ। ମହାବିଦ୍ୟାଳୟର ପ୍ରମୁଖ ଫାଟକର ବାମ ପାର୍ଶ୍ବରେ ରହିଛି ପୁରାତନ ଛାତ୍ର ସ˚ସଦର ଏକ ବିଶ୍ରାମ ଗୃହ ଏବ˚ ଉକ୍ତ ଜମି ଆଗରେ ପ୍ରାୟ ଚାରିରୁ ପାଞ୍ଚ ଏକର ଜମି ଅଛି, ଯେଉଁଠି ବହୁ ବର୍ଷ ପୂର୍ବରୁ ଏକ ପୋଖରୀ ଏବ˚ ବଗିଚା ଥିଲା। ଜବରଦଖଲକାରୀଙ୍କ ଅନୁପ୍ରବେଶ ପରେ ଏହି ପୋଖରୀ ଏବ˚ ବଗିଚା ନଷ୍ଟ ହୋଇ ପୋତି ହୋଇଯିବା ସହ ବର୍ତ୍ତମାନ ଗାଈ ଏବ˚ ମଇଁଷି ଗୁହାଳରେ ପରିବର୍ତ୍ତନ ହୋଇ ସାରିଲାଣି।

ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ.ଭଜମନ ବେହେରା ଏଠାରେ ଦୁଇ ଦଶନ୍ଧିରୁ ଅଧିକ କାଳ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି। ମହାବିଦ୍ୟାଳୟର ଏପରି ସ୍ଥିତି ଦେଖି ସେ ମର୍ମାହତ। ପ୍ରଶାସନ ଓ ପୁଲିସର ଦ୍ବାରସ୍ଥ ହୋଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଜବରଦଖଲକାରୀଙ୍କୁ ହଟାଇବାରେ ବିଫଳ ହୋଇଥିବା ନେଇ ସ୍ବୀକାର କରିଛନ୍ତି। ତାଙ୍କ କହିବା ହେଲା, ରାଜନୈତିକ ପ୍ରଭାବ ଓ ଚାପ ଯୋଗୁଁ କୁଡ଼ିଆ ଘର ଗୁଡ଼ିକୁ ଭାଙ୍ଗିବା କାଠିକର ପାଠ। କିଛି ବର୍ଷ ପୂର୍ବେ ରାଜସ୍ବ ବିଭାଗ, ପୁଲିସ ଏବ˚ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁପ୍ରବେଶକାରୀଙ୍କୁ ହଟାଇବା ପାଇଁ ପ୍ରଥମ ପ୍ରୟାସ ଆରମ୍ଭ କରି ବିଫଳ ହୋଇଥିଲେ। ମହାବିଦ୍ୟାଳୟ ଖେଳପଡ଼ିଆକୁ ଲାଗି ରହିଥିବା ୩ ଏକରରୁ ଅଧିକ ଜମିରେ ମାଳମାଳ ଗୃହପାଳିତ ପଶୁ ଗୁହାଳ ବଢ଼ିବାରେ ଲାଗିଛି। ଏହାସହ ଜବରଦଖଲକାରୀ ଯାତାୟାତ ପାଇଁ ଖେଳପଡ଼ିଆ ଦେଇ ଏକ ରାସ୍ତା ନିର୍ମାଣ କରିଛନ୍ତି ଏବ˚ ଏହାକୁ ନିୟମିତ ବ୍ୟବହାର କରାଯାଉଛି।

ଆଗକୁ ପୌର ନିର୍ବାଚନ ରହିଥିବା ଯୋଗୁଁ ବସ୍ତିବାସିନ୍ଦାଙ୍କ ବିରୋଧରେ ପାଟି ଫିଟାଇବାକୁ କାହାର ସାହସ ନାହିଁ। ବର୍ତ୍ତମାନ ରାଜ୍ୟ ସରକାର ‘ସହରାଞ୍ଚଳ ଜାଗା ମିସନ୍‌’ ଯୋଜନା ଘୋଷଣା କରିବା ପରେ ଅଧିକ ଉତ୍ସାହିତ ହୋଇଛନ୍ତି ବସ୍ତି ବାସିନ୍ଦା। ସେମାନେ ବର୍ତ୍ତମାନ ଆଶା ରଖିଛନ୍ତି, ଯେ କୌଣସି ଜାଗାରେ ଘରଟିଏ କରିଦେଲେ ସରକାର ପଟ୍ଟା‌ ଦେଇଦେବେ। ଏହି ଲାଳସାରେ ମହାବିଦ୍ୟାଳୟର ଜମି ଜବରଦଖଲ ସମସ୍ୟା ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର