ଶିକାର ପାଇଁ ମଣିଷ ଚିହ୍ନି ପାରୁନାହାନ୍ତି ଶିକାରୀ; ବାର୍‌ହା ଭାବି କଲେଜ ଛାତ୍ରୀଙ୍କୁ ଗୁଳି, ୨ ଅଭିଯୁକ୍ତ ଅଟକ

ସୁନ୍ଦରଗଡ଼: ଆଜି ଦିନ ସାଢେ ୧୧ଟାରେ ଧରୁଆଡିହି ଥାନା କୁଲଟା ପଞ୍ଚାୟତ ଲମଟି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଖ ଜଙ୍ଗଲରେ ବାର୍‌ହା ଭାବି ଜଣେ ଯୁବତୀଙ୍କ ଉପରକୁ ଗୁଳି ଚଳାଇଛନ୍ତି ଶିକାରୀ। ଗୁଳିମାଡ଼ରେ ଯୁବତୀ ଆହତ ହୋଇଥିବାବେଳେ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁଳି ଯୁବତୀଙ୍କ ପିଚାରେ ବାଜିଛି।

ଆହତ ଯୁବତୀ ହେଲେ ଉର୍ବଶୀ ନାଏକ(୧୮)। ତାଙ୍କ ନିଜ ଗାଁ ଧୁମାଗଡା। ସେ ଲମଟିସ୍ଥିତ ମାମୁ ଘରେ ରହି ବିରବିରା କଲେଜରେ ପଢୁଛନ୍ତି। ଆଜି ପାଖ ଜଙ୍ଗଲକୁ ଗାଁ ମହିଳାଙ୍କ ସହ ଶୁଖିଲା ଜାଳେଣି ଲଟା ଆଣିବାକୁ ପାଖ ଜଙ୍ଗଲକୁ ଯାଇଥିଲେ। ଠିକ୍ ଏହି ସମୟରେ ଶିକାର ପାଇଁ ଜଙ୍ଗଲ ଭିତରେ ପଶିଥିବା ଅଭିଯୁକ୍ତ ଖଡ଼ଖଡ଼ ଶବ୍ଦ ଶୁଣି ବାର୍‌ହା ଭାବି ଶବ୍ଦ ଆସୁଥିବା ସ୍ଥାନକୁ ଲକ୍ଷ୍ୟ କରି ଗୁଳି ଚଳାଇ ଦେଇଥିଲେ। ତାହା ଯୁବତୀଙ୍କ ଦେହରେ ବାଜିଥିଲା। ଘଟଣାସ୍ଥଳରୁ ଆହତ ଯୁବତୀଙ୍କୁ ଅନ୍ୟ ମହିଳାମାନେ ଉଦ୍ଧାର କରି ଗାଁକୁ ଆଣିଥିଲେ। ସେଠାରୁ ଡାକ୍ତରଖାନା ଅଣାଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି। ଅଭିଯୁକ୍ତଙ୍କ ନାମ ଜଣା ପଡିନାହିଁ। ଘଟଣାଟି ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର