ସାଙ୍ଗମାନଙ୍କ ବାରଣ ସତ୍ତ୍ୱେ ଗାଧୋଇବା ପାଇଁ ଗଭୀର କେନାଲକୁ ଡେଇଁପଡ଼ିଲେ କଲେଜ ଛାତ୍ର, ମୃତଦେହ ଉଦ୍ଧାର

ସମ୍ବଲପୁର: ସାଙ୍ଗମାନଙ୍କ କଥା ନ ମାନି କେନାଲରେ ଗାଧୋଇବାକୁ ଯାଇ ଆଜି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସମ୍ବଲପୁର ଜିଲ୍ଲାର ଶାସନ ଥାନା ଅନ୍ତର୍ଗତ ବଲବସ୍‌ପୁର ଦେଇ ଯାଇଥିବା ଶାସନ୍‌ କେନାଲରେ ଏହି ଅଭାବନୀୟ ଘଟଣା ଘଟିଛି। ଶାସନ ଥାନା ଅନ୍ତର୍ଗତ କରମଟୋଲି ଗାଁର ବସନ୍ତ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦମକଳ ବାହିନୀ ବସନ୍ତଙ୍କ ମୃତଦେହ ଉଦ୍ଧାର କରିଛି।

ଶାସନ ପୁଲିସ କହିଛି, ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ବସନ୍ତ ଆଜି ମଧ୍ୟାହ୍ନରେ ଗାଁର ମହାବୀର ମୁଣ୍ଡା ଓ ରିଙ୍କୁ ମୁଣ୍ଡାଙ୍କ ସହ ବଲବସ୍‌ପୁର ଅଞ୍ଚଳକୁ ଏକ ମୋଟର୍‌ ସାଇକେଲ୍‌ରେ ବୁଲିବାକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୧ଟାରେ ବସନ୍ତ ଗାଧୋଇବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ କେନାଲରେ ପ୍ରାୟ ୪୦ ଫୁଟ ପାଣି ଥିବାରୁ ବସନ୍ତଙ୍କୁ ମହାବୀର ଓ ରିଙ୍କୁ ବାରଣ କରିଥିଲେ। ମାତ୍ର ବସନ୍ତ ସାଙ୍ଗମାନଙ୍କ କଥା ଶୁଣି ନଥିଲେ। ସେ ହଠାତ୍‌ କେନାଲ ପାଣିକୁ ଡେଇଁଥିଲେ।

ତେବେ ବସନ୍ତ ପାଣିକୁ ଡେଇଁ ପଡ଼ିବା ପରେ ରିଙ୍କୁ ଓ ମହାବୀର ବ୍ୟସ୍ତ ହୋଇପଡ଼ିଥିଲେ। ସେମାନେ ଏବାବଦରେ ସ୍ଥାନୀୟ ଗ୍ରାମବାସୀ ଓ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ଖବର ପାଇ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ପ୍ରାୟ ୧ ଘଣ୍ଟା ଧରି ଅପରେସନ ଚାଲିବା ପରେ ଘଟଣାସ୍ଥଳଠାରୁ ଅଳ୍ପ ଦୂରରେ ବସନ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ପୁଲିସ ବସନ୍ତର ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛି ପୁଲିସ। ସୂଚନାଯୋଗ୍ୟ ବସନ୍ତ ଥିଲେ ବାପା-ମା’ଙ୍କ ଏକମାତ୍ର ପୁଅ।

ସମ୍ବନ୍ଧିତ ଖବର