ଲକ୍ଷ୍ମୀପୁର: ସୀମା ସୁରକ୍ଷା ବାହିନୀ (ବି.ଏସ୍‌.ଏଫ୍‌)ର ୧୩୯ ବାଟାଲିଅନ୍‌ ଓ ନେହରୁ ଯୁବ କେନ୍ଦ୍ର କୋରାପୁଟ ଆନୁକୁଲ୍ୟରେ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଦଶଜଣ ଛାତ୍ର ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ପରିଭ୍ରମଣରେ ବାହାରିଛନ୍ତି। ଏଇ ଛାତ୍ରମାନଙ୍କ ସହ ରହିଛନ୍ତି ବି.ଏସ୍‌ଏଫ୍‌ର ଜଣେ ଯବାନ। ଏହି ଅବସରରେ ସେ ସେମାନଙ୍କୁ ନେଇ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲାଇବା ସହ ଭୁବନେଶ୍ୱରର ବିଷିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକୁ ଦେଖାଇବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Advertisment

ଏହି ଅବସରରେ ଦଶ ଜଣ ଛାତ୍ରଙ୍କୁ ନେଇ ଭୁବନେଶ୍ୱରର ବିଭିନ୍ନ ସାଂସ୍କୃତିକ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ପାଇଁ ମଧ୍ୟ ସ୍ଥିର କରାଯାଇଛି। ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ କିଛି ଛାତ୍ର ଜମ୍ମୁ ଗସ୍ତକରି ଫେରିଥିବା ବେଳେ ଆଗକୁ ଆହୁରି ୪୦ ଜଣ ଛାତ୍ରଛାତ୍ରୀ କୋଲକାତା ପରିଦର୍ଶନରେ ଯିବେ ବୋଲି ବି.ଏସ୍‌.ଏଫ୍‌ ତରଫରୁ ସୂଚନା ମିଳିଛି।

ଲକ୍ଷ୍ମୀପୁର ଭଳି ଉପାନ୍ତ ତଥା ଦୁର୍ଗମ ଅଞ୍ଚଳର ଆଦିବାସୀ ଅଧ୍ୟୁଷିତ ଗରିବ ଛାତ୍ରଛାତ୍ରୀ ପର୍ଯ୍ୟଟନ ସ୍ଥଳଗୁଡ଼ିକ ବୁଲିବାର ସୁଯୋଗ ପାଉ ନ ଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରର ସୂଚନା ପାଇପାରୁ ନାହାଁନ୍ତି। ତେଣୁ ଏପରି ଏକ ଅଭିନବ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଏହ ଅଚଂଳରେ ରହିଥିବା ବି.ଏସ୍‌.ଏଫ୍‌ର ଏହା ଏକ ଅଭିନବ ପ୍ରୟାସ ବୋଲି କହିଛନ୍ତି ସୁବେଦାର ଦିଲୀପ ସିଂ।

ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ବୀରେନ ଶତପଥୀ ଓ ଡ.ପ୍ରକାଶ କୁମାର ସେନାପତିଙ୍କ ସମେତ ମହାବିଦ୍ୟାଳୟର ବହୁ କର୍ମଚାରୀ ଓ ନେହରୁ ଯୁବ କେନ୍ଦ୍ରର ସଦସ୍ୟ ବି.ଏସ୍‌.ଏଫ୍‌ର ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ବି.ଏସ୍‌.ଏଫ କର୍ମଚାରୀମାନଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି। ଏଥି ସହ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାହାରିଥିବା ଏହି ସାତଦିନିଆ ଯାତ୍ରାର ସଫଳତା ସଫଳ କାମନା କରିଛନ୍ତି।