ଭଦ୍ରକ: ଭଦ୍ରକ ଜିଲ୍ଲାର ବରପଦା ଇଞ୍ଜିନିୟରିଂ କଳେଜ କର୍ମଚାରୀ ମାନେ ୧୭ ମାସର  ଦରମା ନପା‌ଇ ଧାରଣାରେ ବସିଛନ୍ତି। ପ୍ରବଳ ଖରାତାତି ଭିତରେ ଭୋକ ଉପବାସରେ ବିତୁଛି ସେମାନଙ୍କର ଜୀବନ। ଆଜି ଧାରଣାକୁ ୨୫ ଦିନ ବିତିଯାଇଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏପରିକି ରାଜ୍ୟ ସରକାର ମଧ୍ୟ ଏଇ ଅସହାୟ କର୍ମଚାରୀଙ୍କର ଦୁଃଖ ବୁଝୁ ନାହାଁନ୍ତି। କଲେଜରେ ଇଞ୍ଜିନିୟରିଂ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଠାରୁ କେତେ ଟଙ୍କା ସେମାନଙ୍କ ଫି ବାବଦରେ ଆଦାୟ ହୋଇଛି। ତାର ହିସାବ କଲେଜ କର୍ତ୍ତୃପକ୍ଷ କର୍ମଚାରୀ କମିଟି ଆଗରେ ପ୍ରକାଶ କରିବା ଉଚିତ। କଲେଜର ବାର୍ଷିକ ଆୟ କେତେ ହେଉଛି। କେଉଁ କେଉଁ ବାବଦରେ କେତେ ଟଙ୍କା ବ୍ୟୟ କରାଯାଉଛି। ତାର ମଧ୍ୟ ତଥ୍ୟ ପ୍ରଦାନ କରାଯିବାର ଅଛି। ଗୋଟିଏ ପଟରେ କର୍ମଚାରୀ ଦାବି କରୁଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ଠାରୁ ସେମାନଙ୍କର ଫି ବାବଦର ଅର୍ଥ ଠିକ୍‌ ଭାବେ ଆଦାୟ ହେଉଥିବା ବେଳେ କର୍ମଚାରୀଙ୍କର ଦରମା ଦେବା ବେଳକୁ କଲେଜ କତ୍ତୃପକ୍ଷ କାହିଁକି ପଛଘୁଞ୍ଚା ଦେଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ୧୭ ମାସର ଦରମାକୁ କାହିଁକି କତ୍ତୃପକ୍ଷ ଦେଉ ନାହାନ୍ତି। ଏବାଦରେ ଜିଲ୍ଳା ପ୍ରଶାସନ ପକ୍ଷରୁ କଣ ତଦନ୍ତ କରାଯାଇଛି, ତାହା ସ୍ପଷ୍ଟ ହେବା ଉଚିତ ବୋଲି ଆନ୍ଦୋଳନରେ ବସିଥିବା କର୍ମଚାରୀ ମାନେ ଦାବି କରିଛନ୍ତି। ଦୀର୍ଘଦିନ ହେଲା ଦରମା ନପାଇବା କାରଣରୁ କର୍ମଚାରୀ ମାନେ ନିଜର ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡିଛି। ଏମାନଙ୍କର ବିକଳ ଅବସ୍ଥା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତି ବୋଲି ଦାବି କରାଯାଇଛି।

Advertisment

ଜିଲ୍ଲା ପ୍ରଶାସନ ଆନ୍ଦୋଳନରତ କର୍ମଚାରୀଙ୍କର ସମସ୍ୟା ସମାଧାନ ନକଲେ ଆଗାମୀ ଦିନରେ କଲେଜ କର୍ମଚାରୀ ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ବରପଦା କଲେଜର ପରିଚାଳନାଗତ ସମସ୍ୟାକୁ ନେଇ କେବଳ ଭଦ୍ରକରେ ଚର୍ଚ୍ଚା ହେଉ ନାହିଁ। ସାରା ରାଜ୍ୟରେ ଏଇ ଘଟଣାକୁ ନେଇ ଉଠୁଛି ପଡୁଛି। କଲେଜରେ କୋଟି କୋଟି ଟଙ୍କାର ଘୋଟଲା ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ବେଳେ ଏଇ କଲେଜ ପରିଚାଳନା ଦାୟିତ୍ବରେ ରହିଛନ୍ତି ବିଜେଡିର ହେବିୱେଟ୍ ନେତା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ପ୍ରୟାସକାନ୍ତୀ ସାମଲ। ଶ୍ରୀ ସାମଲଙ୍କର ପରିଚାଳନାଗତ ତ୍ରୁଟି ପାଇଁ ଆଜି ରାଜ୍ୟରେ ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜର କର୍ମଚାରୀ ମାନେ ଦରମା ନପାଇ ଭୋକ ଉପବାସରେ କଲେଜ ଫାଟକ ଆଗରେ ୨୫ ଦିନ ଧରି ଧାରଣାରେ ବସିବା ଘଟଣାକୁ ନେଇ ରାଜ୍ୟ ତମାମା ଚର୍ଚ୍ଚା ଲାଗି ରହିଛି। ଆଗାମୀ ଦିନରେ ଏଇ ଘଟଣାକୁ ନେଇ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି। ତାହା ଉପରେ ସମସ୍ତଙ୍କ ନଜର ରହିଛି।