ନୂଆପଡ଼ା: କମ୍ବିଂ ଅପରେସନ୍ ସମୟରେ ଯବାନ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ ବେଳେ ଜମିରେ ଚାଷକାମ କରୁଥିବା ଦୁଇ ଚାଷୀ ଗୁରୁତର ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ମାଓ ପ୍ରବଣ ଅଞ୍ଚଳ ସୁନାବେଡା ଅଭୟାରଣ୍ୟ ଖୋଲିଭିତର ଗ୍ରାମ ନିକଟରେ ମଙ୍ଗଳବାର ଡିଭିଏଫ୍ ଓ ଏସ୍ଓଜିଙ୍କ ମିଳିତ କମ୍ବିଙ୍ଗ ଅପରେସନ୍ ଚାଲିଥିଲା। ଏହି କମ୍ବିଙ୍ଗ ଅପରେସନ୍ ବେଳେ ଭକ୍ତୁ ଗ୍ରାମର ଦୁଇଜଣ ଚାଷୀଙ୍କ ଶରୀରରେ ଗୁଳି ବାଜିବା ହେତୁ ଦୁହେଁ ଗୁରୁତର ହୋଇଥିଲେ। ଦୁଇ ଗୁରୁତର ଚାଷୀଙ୍କ ନାମ ବିଦ୍ୟା ଚିନ୍ଦା ଓ ଛତର ଚିନ୍ଦା ବୋଲି ଜଣାପଡ଼ିଛି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଦୁହିଁଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରି ଦିଆଯାଇଛି।
/sambad/media/post_attachments/wp-content/uploads/2018/05/66-1-300x160.jpg)
ସୂଚନାଯୋଗ୍ୟ, ଆଜି ଦିନ ୧୦ଟା ସମୟରେ ଖୋଲିଭିତର ଗ୍ରାମରେ ନିଜ ଚାଷ ଜମିରେ ହଳକରି ସାରି ଜଳଖିଆ କରୁଥିବା ବେଳେ ହଠାତ ଯବାନ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ ହେଇଥିଲା। ଏଥିରେ ବିଦ୍ୟା ଚିନ୍ଦା ଓ ଛତର ଚିନ୍ଦା ଉଭୟ ଭୟଭୀତ ହୋଇ ଘରମୁହାଁ ହୋଇଥିଲେ। ଏହି ସମୟରେ ଦୁଇଟି ଗୁଳି ଦୁହିଁଙ୍କ ଦେହରେ ବାଜିଥିଲା। ପୁଲିସ ଦୁହିଁଙ୍କୁ ଘଟଣାସ୍ଥଳରୁ ଗୁୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଛତର ଚିନ୍ଦାଙ୍କ ପେଟ ଭିତରେ ଗୁଳି ରହି ଯାଇଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରି ଦେଇଛନ୍ତି। ମାଓ ଓ ପୁଲିସ ଗୁଳିବିନିମୟ ସମୟରେ କାହାର ଗୁଳି ଏହି ଚାଷୀଙ୍କ ଦେହରେ ବାଜିଛି ତାହା ଏଯାବତ ଅସ୍ପଷ୍ଟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/00-6.jpg)