ଆଳୁ ବ୍ୟବସାୟୀଙ୍କ ସହ ଆଲୋଚନା କଲେ କମିସନର, ଯୋଗାଣ ଅଧିକାରୀ

ହୋଲସେଲରେ ମହଜୁଦ, ଖୁଚୁରା ବଜାରରୁ ଉଭାନ 

ରାଉରକେଲା: ୧୫ ଦିନ ଲକ୍ଡାଉନ୍ ଘୋଷଣା ପରେ ସହରବାସୀ ଛାନିଆ । ଆଗାମି ୧୫ ଦିନ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଜିନିଷ ମିଳିବ ନାହିଁ ଗୁଜବ ପ୍ରଚାର ହେବା ପରେ କଲୋନି, ବସ୍ତିର ଶହ ଶହ ଲୋକ ଭିଡ ଜମାଇଥିଲେ ବଜାରରେ। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ସହରର ପ୍ରମୁଖ ବଜାରରେ ଲୋକଙ୍କ ନାହିଁ ନଥିବା ଭିଡ୍ ଜମିଥିଲା। ବିଶେଷ କରି ଆଳୁ, ପିଆଜ ବଜାରରେ ଲୋକଙ୍କର ଥିଲା ଅସମ୍ଭାଳ ଭିଡ। ଯେଉଁମାନେ ୨/୩ କିଲୋ ଆଳୁ, ପିଆଜ କିଣୁଥିଲେ ସେମାନେ ୧୦ରୁ ୨୦ କିଲୋ ଆଳୁ କିଣି ନେଇଥିଲେ। ସେମିତି ୫ରୁ ୧୦ କେଜି ପିଆଜ କିଣି ନେଉଥିଲେ।  ଏମିତି କିଛି ଲୋକ ବସ୍ତା ବସ୍ତା ଆଳୁ ବୋହି ନେବାକୁ ପଛାଇ ନଥିଲେ।

ସେମିତି ପ୍ଲାଣ୍ଟସାଇଟ୍ ହୋଲସେଲ ଆଳୁ ଗୋଦାମରେ ଖୁଚୁରା ବେପାରୀଙ୍କ ଭିଡ ବି କମ୍ ଥିଲା। ସ୍ଥିତି ଏମିତି ହୋଇଥିଲା ଯେ ହୋଲସେଲ ଗୋଦାମରେ କ୍ବିଣ୍ଟାଲ କ୍ବିଣ୍ଟାଲ ଆଳୁ ମହଜଦୁ ଥିଲାବେଳେ ଅଧିକାଂଶ ଖୁଚୁରା ଦୋକାନରେ ଆଳୁ ଉଭାନ ହୋଇଯାଇଥିଲା। ସମସ୍ତେ ସାମାଜିକ ଦୂରତା କଟକଣାକୁ ଯେମିତି ଭୁଲି ଯାଇଥିଲେ। ଟ୍ରାଫିକ୍ଗେଟ୍, ପାନପୋଷ ଏନ୍ଏସି ମାର୍କେଟ, ସେକ୍ଟର-୧୯ ଇସ୍ପାତ ମାର୍କେଟ, ବାସନ୍ତି କଲୋନି, ସେକ୍ଟର-୧୯, ସେକ୍ଟର-୧ ଏନ୍ଏସି ମାର୍କେଟ, ଫର୍ଟିଲାଇଜର ଆଳୁ ଓ ପିଆଜ ମାର୍କେଟରେ ଏମିତି ସ୍ଥିତି ଦେଖିବାକୁ ମିଳିଥିଲା ଆଳୁ ଓ ପିଆଜ କିଣିବାକୁ ଆସୁଥିବା କିଛି ଗ୍ରାହକଙ୍କୁ ଫେରି ଯିବାକୁ ବାଧ୍ୟ ହୋଇଥିଲେ।

ଗୁଜରର ଫାଇଦା ଉଠାଇଥିଲେ କିଛି ଖୁଚୁରା, ହୋଲସେଲ ବେପାରୀ। ଚଢ଼ା ଦରରେ ବିକିଥିଲେ। ଆଳୁ, ପିଆଜ କଳାବଜାରୀ ହେଉଥିବା ଖବର ପାଇ ସହକାରୀ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କ ନେତୃତ୍ବରେ ଯୋଗାଣ ବିଭାଗର ଏକ ଟିମ୍ ଡେଲିମାର୍କେଟ, ପ୍ଲାଣ୍ଟସାଇଟ୍ ହୋଲ୍ସେଲ୍ ଦୋକାନରେ ଚଢ଼ଉ କରିଥିଲେ। ନିର୍ଦ୍ଧାରିତ ଦାମ ଠାରୁ ଅଧିକ ଦରରେ ନ ବିକିବାକୁ ଉଭୟ ଖୁଚୁରା ଓ ହୋଲସେଲ ବ୍ୟବସାୟୀଙ୍କୁ ଦାଗିଦ୍ କରିଥିଲେ। ପରେ ଉଦିତନଗର ପଡିଆରେ ସହରର ଆଳୁ, ପିଆଜ , ଚାଉଳ ଓ ଡାଲି ହୋଲସେଲର ବ୍ୟବସାୟୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା।

ରାଉରକେଲା ମହାନଗର କମିଶନର ଦିବ୍ୟଜ୍ୟୋତି ପରିଡା, ସହକାରୀ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଅତିରିକ୍ତ ଏସ୍ପି ଏସ୍.କେ. ଭୋଇ, ପ୍ଲାଣ୍ଟସାଇଟ୍ ଅଧିକାରୀ ଅନିଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କମିଶନର ଶ୍ରୀ ପରିଡା ଅତ୍ୟାବଶ୍ୟକ ସାମାଗ୍ରୀ ବିକିବା ସମୟରେ କୋଭିଡ୍ ନିୟମକୁ କଡାକଡି ପାଳନ କରିବାକୁ ଉପସ୍ଥିତ ବ୍ୟବସାୟୀଙ୍କୁ ଦାଗିଦ୍ କରିଥିଲେ। କୋଭିଡ ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସହ ଦରକାର ପଡିଲେ ଦୋକାନ ସିଲ୍ କରି ଦିଆଯିବ ବୋଲି ଚେତାବନୀ ଦେଇଥିଲେ। ଆଳୁ, ପିଆଜ, ଡାଲି, ଚାଉଳ କଳାବଜାରୀ ରୋକିବାକୁ  ଚଢ଼ଉକୁ ଜୋରଦାର କରିବାକୁ ସହକାରୀ ଯୋଗାଣ ଅଧିକାରୀଙ୍କୁ କହିଥିଲେ। ରାଉରକେଲା ସହରରେ ଦୈନିକ ୧୦୦ କ୍ବିଣ୍ଟାଲ ଆଳୁର ଆବଶ୍ୟକତା ରହିଛି। ଆଳୁ ହୋଲସେଲରେ କେଜି ପ୍ରତି ୧୬ ଟଙ୍କାରୁ ୧୬ ଟଙ୍କା ୫୦ ପଇସା ରହିଥିଲାବେଳେ ଖୁଚୁରା ବଜାରରେ କେଜି ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି।

ସମ୍ବନ୍ଧିତ ଖବର