କୋଭିଡ ଉପଯୋଗୀ ଆଚରଣ ପାଳନ କରିବା ନେଇ ଜନସାଧାରଣଙ୍କୁ ଅନୁରୋଧ କଲେ ଆରଏମ୍‌ସି କମିସନର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ କୋଭିଡର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ମହାନଗର ନିଗମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶେଷକରି କୋଭିଡ ପରୀକ୍ଷା, ଚିକିତ୍ସା ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ ନିୟମ କିପରି ଭଲ ଭାବେ ପାଳନ କରାଯିବ ତାହା ଉପରେ ପ୍ରଶାସନ ଧ୍ୟାନ ଦେଉଛି। ତେଣୁ ଏ ଦିଗରେ ସ୍ଥାନୀୟ ଜନସାଧାରଣ ପ୍ରଶାସନକୁ ସହଯୋଗ କରିବା ପାଇଁ ରାଉରକେଲା ମହାନଗର ନିଗମର କମିସନର ଡାକ୍ତର ଶୁଭଙ୍କର ମହାପାତ୍ର ଅନୁରୋଧ କରିଛନ୍ତି।

ରାଉରକେଲାରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। କୋଭିଡ ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି। କୋଭିଡ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ରାଉରକେଲାରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଗୁଡ଼ିକ ପ୍ରସ୍ତୁତ ରହିଛି। ସେଠାରେ ଆବଶ୍ୟକ ସଂଖ୍ୟକ ବେଡ୍ ଓ ଅକ୍ସିଜେନ୍ ମଧ୍ୟ ମହଜୁଦ ରହିଛି। ତା’ଛଡ଼ା ଟେଷ୍ଟିଂ, ଟ୍ରାକିଂ ଏବଂ ଟିକାକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା ବୋଲି କହିଛନ୍ତି କମିସନର ଡାକ୍ତର ଶୁଭଙ୍କର ମହାପାତ୍ର। ରାଉରକେଲାରେ କୋଭିଡ ପରୀକ୍ଷା ପାଇଁ ୪ଟି କେନ୍ଦ୍ର କରାଯାଇଛି। ଛେଣ୍ଡ୍ ସ୍ଥିତ ଆହୁତି ଭବନ, ସେକ୍ଟର-୧ ସ୍ଥିତ ସେଲ ହେଲଥ ସେଣ୍ଟର, ଇସ୍ପାତ ଜେନେରାଲ ହସ୍ପିଟାଲ ଓ ରାଉରକେଲା ସରକାରୀ ଚିକିତ୍ସାଳୟରେ ମାଗଣାରେ ଉଭୟ ଆରଟିପିସିଆର ଏବଂ ଆଣ୍ଟିଜେନ୍ ପରୀକ୍ଷା କରାଯାଉଛି। ଏହାସହ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଓ ବସ୍ତି ଅଞ୍ଚଳରେ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ କୋଭିଡ ପରୀକ୍ଷା କରାଯାଉଛି। ସେହିପରି ଟିକାକରଣକୁ ବ୍ୟାପକ କରିବା ଉପରେ ରାଉରକେଲା ମହାନଗର ନିଗମ ଗୁରୁତ୍ୱ ଦେଉଛି।

ଏଥିପାଇଁ ସହରରେ ୬ଟି ଟିକାକରଣ କେନ୍ଦ୍ର ରହିଛି। ବିଭିନ୍ନ ବର୍ଗର ଲୋକମାନେ କୋଭିଡ ସତର୍କତା ଭିତରେ ଆସି ଟିକା ନେଉଛନ୍ତି। ନିକଟରେ ସରକାର ଆଗଧାଡ଼ିର କୋଭିଡ ଯୋଦ୍ଧା ଏବଂ ବହୁବିଧ ରୋଗରେ ପୀଡ଼ିତ ୬୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ମାନଙ୍କ ଲାଗି ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ କରିଛନ୍ତି। ରାଉରକେଲାରେ ମଧ୍ୟ ହିତାଧିକାରୀ ମାନଙ୍କୁ ଟିକା ଦିଆଯାଉଛି। ତେଣୁ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ପଞ୍ଜୀକରଣ କରି ଟିକା ନେବାକୁ ରାଉରକେଲା ମହାନଗର ନିଗମ କମିସନର ଅନୁରୋଧ କରିଛନ୍ତି। କୋଭିଡ ଉପଯୋଗୀ ଆଚରଣ ପାଳନ କରିବାକୁ ରାଉରକେଲା ସହରବାସୀଙ୍କୁ କମିସନର ଅପିଲ କରିଛନ୍ତି। ଭଲଭାବେ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଲାଗି ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସର୍ବସାଧାରଣ ସ୍ଥାନ, ହାଟ, ବଜାର ଆଦି ଅଞ୍ଚଳରେ ସରକାରଙ୍କ କୋଭିଡ ନିୟମ ଠିକ ଭାବେ ପାଳନ ହେଉଛି କି ନାହିଁ ତାହା ଅନୁଧ୍ୟାନ କରିବା ପାଇଁ ମହାନଗର ନିଗମ ପକ୍ଷରୁ ୫ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି। ଏହି ସ୍କ୍ୱାଡ୍ ନିୟମିତ ଭାବେ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଉପରେ ନଜର ରଖିଛନ୍ତି। ଏହାସହ କୋଭିଡ ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ସର୍ବସାଧାରଣ ସ୍ଥାନ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ଆଦି ଅଞ୍ଚଳକୁ ବିଶୋଧନ କରାଯାଉଛି। କୋଭିଡ ସମ୍ପର୍କିତ ସୂଚନା ଓ ପରାମର୍ଶ ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୮ ରହିଛି। ଆବଶ୍ୟକ ହେଲେ ଜନସାଧାରଣ ମାଗଣାରେ ଏହି ନମ୍ବରରେ କଲ କରିପାରିବେ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର