ଖୋର୍ଦ୍ଧା: ଆଜି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ତମାଖୁ ନିୟନ୍ତ୍ରଣ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ବିଦ୍ୟାଳୟ ନିକଟରେ ତମାଖୁ ବିକ୍ରି ଓ ବ୍ୟବହାର ଉପରେ ନିୟନ୍ତ୍ରଣ ଓ କଟକଣା ନେଇ ସଚେତନତା ସୃଷ୍ଟି କରାଯିବା ନିମନ୍ତେ ୯୦ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇଛି। ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା ସୂଚନାନୁସାରେ, ଚଳିତବର୍ଷ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ନିକଟରେ ନିଶାଦ୍ରବ୍ୟ, ତମାଖୁ ଆଦି ବିକ୍ରି କରୁଥିବା ଅଭିଯୋଗରେ ୧୬୧ଜଣଙ୍କ ଠାରୁ ୨୧,୭୮୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହାସହ ୬୦ଟି ବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତମାଖୁ ବ୍ୟବହାର ବିରୋଧରେ ସଚେତନତା ସୃଷ୍ଟି କରିବାକୁ ୯୦ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇଛି।
ସରକାରୀ, ବେସରକାରୀ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ତମାଖୁ ମୁକ୍ତ, କୋଟପା ଆଇନର କାର୍ଯ୍ୟକାରିତା, ବିଜ୍ଞାପନ ମାଧ୍ୟମରେ ସତର୍କ ସୂଚନା ଓ ତମାଖୁ ବ୍ୟବହାର ଯୋଗୁଁ ସ୍ୱାସ୍ଥ୍ୟ ହାନୀ ସମ୍ପର୍କରେ ବ୍ୟାପକ ସଚେତନତା କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତବନ୍ଧୁ ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ୍କେ ମୁର୍ମୁ, ଡିପିଏଚ୍ଓ ଡଃ. ପ୍ରଶାନ୍ତ ଦାଶ, ଏଡିଏମ୍ଓ ଡଃ. ବିଶ୍ୱମୋହନ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳୀ ମିଶ୍ର, ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଡଃ. ଅମ୍ରିତା ପ୍ରୀତିନନ୍ଦା, ଅବକାରୀ ଉପଆରକ୍ଷୀ ଅଧୀକ୍ଷକ ସୁମିତ୍ରା ଓରାମ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସୁଶାନ୍ତ କୁମାର ବଡ଼ୁ ପ୍ରମୁଖ ଉପସ୍ଥିତ ଥିଲେ।