ଦୁର୍ନୀତିର ଗନ୍ତାଘର ପାଲଟିଛି ଗିନ୍ଦିଲାପାଲି : ଚୋରି ହୋଇଗଲା କମ୍ୟୁନିଟି ସେଣ୍ଟର!

ସମ୍ବଲପୁର: ଦୁର୍ନୀତିର ଗନ୍ତାଘର ପାଲଟିଛି ମହାନଗର ଉପକଣ୍ଠରେ ରହିଥିବା କଳାମାଟି ପଞ୍ଚାୟତ ଗିନ୍ଦିଲାପାଲି ଗ୍ରାମ। ସମସ୍ତ ସାଧନ ଥାଇ ମଧ୍ୟ ଗ୍ରାମରେ ପାନୀୟ ଜଳର କିଭଳି କୃତ୍ରିମ ସମସ୍ୟା ସୃଷ୍ଟି କରାଯାଇଛି ସେନେଇ ବୁଧବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ବୁଧବାର ଏହି ଗ୍ରାମର ଆଉ ଏକ ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି। ୨୦୧୫ ମସିହାରେ ତତ୍କାଳୀନ ରେଙ୍ଗାଲି ବିଧାୟକ ରମେଶ ପଟୁଆଙ୍କ ପ୍ରସ୍ତାବରେ ୩ ଲକ୍ଷ ଟଙ୍କା ବ୍ୟାୟ ଅଟକଳରେ ଗିନ୍ଦିଲାପାଲି ଗ୍ରାମ ବାହାରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯାଇଥିଲା। ୨୦୧୮ ମସିହାରେ ଏହି କମ୍ୟୁନିଟି ସେଣ୍ଟର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଥିବା ନେଇ ଫଳକରେ ଉଲ୍ଲେଖ ରହିଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଉକ୍ତ କମ୍ୟୁନିଟି ସେଣ୍ଟର କେଉଁଠି ଅଛି ତାହା ଖୋଜିଲେ ବି ଦେଖିବାକୁ ମିଳୁନି। ଘଟଣା ସମ୍ପର୍କରେ ବିଡିଓ ବସନ୍ତ ହାତୀଙ୍କୁ ପଚାରିବାରେ, ତୁରନ୍ତ ଏହି ଘଟଣା ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଥିଲେ।

ପ୍ରତି ଗ୍ରାମରେ ଲୋକଙ୍କ ଚିତ୍ତବିନୋଦନ ପାଇଁ ଏକ କମ୍ୟୁନିଟି ସେଣ୍ଟର ଖୋଲିବାକୁ ସରକାରଙ୍କ ପକ୍ଷରୁ ଯୋଜନା ଆରମ୍ଭ ହୋଇଥିଲା। ଗିନ୍ଦିଲାପାଲି ଗ୍ରାମରେ ରହିଥିବା ପୁରୁଣା କ୍ଲବ ଘରଟି ଭାଙ୍ଗି ପଡ଼ିଥିବାରୁ ଏଠାରେ ମଧ୍ୟ ଏକ ନୂତନ କମ୍ୟୁନିଟି ସେଣ୍ଟର ଖୋଲିବା ପାଇଁ ପଞ୍ଚାୟତ ପକ୍ଷରୁ ପ୍ରସ୍ତାବ ଯିବା ପରେ ୩ ଲକ୍ଷ ଟଙ୍କା ମଞ୍ଜୁରି ହୋଇଥିଲା। ୨୦୧୫ ଜୁନ୍‌ ମାସରେ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ୨୦୧୮ ମସିହା ବେଳକୁ ଏହି କମ୍ୟୁନିଟି ସେଣ୍ଟର ନିର୍ମାଣ କାର୍ଯ୍ୟ କେବଳ ପ୍ଲିନ୍ଥ ଲେଭଲ ଯାଏ ହିଁ କରାଯାଇଥିଲା।

ମାତ୍ର ତରବରିଆ ଭାବେ ଫଳକରେ କାର୍ଯ୍ୟ ଶେଷ ହୋଇଥିବା ଦର୍ଶାଇ ଏହି କମ୍ୟୁନିଟି ସେଣ୍ଟର ପାଇଁ ଆସିଥିବା ଟଙ୍କାକୁ କିଛି ଠିକାଦାର ଓ ପଞ୍ଚାୟତର କର୍ମଚାରୀ ଚଳୁ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯେଉଁ ନିହଁ କାମ ମଧ୍ୟ ହୋଇଥିଲା ତାହା ଅତି ନିକୃଷ୍ଟ ଧରଣର ରହିଥିଲା। ଫଳରେ ୩ ବର୍ଷରେ ଉକ୍ତ ନିହଁରୁ ପଥର ଖସିଯିବା ସହ ରକ୍ଷଣାବେକ୍ଷଣ ଅଭାବରୁ ନିହଁ ଚତୁଃପାର୍ଶ୍ବରେ ଜଙ୍ଗଲ ସୃଷ୍ଟି ହୋଇ ତାହା ଲୁଚିଗଲାଣି। ପିଲର ପାଇଁ ଯେଉଁ ଲୁହା ଛଡ଼ ବ୍ୟବହାର କରାଯାଇଥିଲା ତାହା ମଧ୍ୟ ଅତି ନିମ୍ନ ମାନର ହୋଇଥିବାରୁ ଏବେ ତାକୁ ଛୁଇଁବା ମାତ୍ରେ ହିଁ ତାହା ଝଡ଼ି ପଡ଼ୁଛି। ତେଣୁ ଉକ୍ତ କମ୍ୟୁନିଟି ସେଣ୍ଟର ପାଇଁ ଯାହା ବି ଖର୍ଚ୍ଚ ହୋଇଥିଲା ତାହା ଏବେ ମୂଲ୍ୟହୀନ ହୋଇ ପଡ଼ିଛି। କିନ୍ତୁ କମ୍ୟୁନିଟି ସେଣ୍ଟର କେବଳ ନିହଁ ଯାଏ ‌ନିର୍ମାଣ ହୋଇଥିବା ସମୟରେ କିଭଳି କାର୍ଯ୍ୟ ଶେଷ ବୋଲି ଉଲ୍ଲେଖ କରାଯାଇ ବିଲ୍‌ ପାସ୍‌ ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର