ଧନକଉଡ଼ା: ଧନକଉଡ଼ା ବ୍ଲକ୍‌ ଅନ୍ତର୍ଗତ କର୍ଡୋଲା ଗ୍ରାମରେ ସୋମବାର ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ଗାଁର ୱାର୍ଡ ସଭ୍ୟ ସୁଦାମ ସେଠ୍‌ଙ୍କ ସହ ୨ ଜଣ ଆହତ ହୋଇଛନ୍ତି। ବୁର୍ଲା ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି।

Advertisment

ମିଳିଥିବା ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାରେ ନାମ ନ ଥିବାରୁ ସୋମବାର କର୍ଡୋଲା ଗାଁ ଏକ ସାହିର କିଛି ଯୁବକ ୱାର୍ଡ ମେମ୍ବର ସୁଦାମ ସେଠ୍‌ଙ୍କୁ ଅଭିଯୋଗ କରିଥିଲେ। ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ସମ୍ପୃକ୍ତ ଯୁବକମାନେ ଗାଳିଗୁଲଜ କରିବାରୁ ସୁଦାମ ଚିପିଲିମା ଫାଣ୍ଡିରେ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ଚିପିଲିମା ଫାଣ୍ଡି ପୁଲିସ ସମ୍ପୃକ୍ତ ଯୁବକମାନଙ୍କୁ ଫାଣ୍ଡିକୁ ଡାକିଥିଲେ। ଏହି ସମୟରେ ସୁଦାମ ଓ ତାଙ୍କର ପୁତୁରା ବି ଚିପିଲିମା ଫାଣ୍ଡିକୁ ଆସିଥିଲେ। ସେଠାରେ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏପରିକି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ମାଡ଼ପିଟ୍‌ ପର୍ଯ୍ୟନ୍ତ କଥା ଯାଇଥିଲା। ଏଥିରେ ୱାର୍ଡ ସଭ୍ୟ ସୁଦାମ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ଗୋଷ୍ଠୀର ଅନିଲ ରନବିଡ଼ା ମଧ୍ୟ ଆହତ ହୋଇ ବୁର୍ଲା ବଡ଼ଡାକ୍ତରଖାନାରେ ଚିକିତ୍ସା ହୋଇଥିବାର ଚିପିଲିମା ଫାଣ୍ଡି ଅଧିକାରୀ କହିଛନ୍ତି। ତେବେ ଏହି ଘଟଣାରେ ପୁଲିସ ସୁଦାମଙ୍କ ପରିବାରର ୪ ଜଣ ଓ ଅନ୍ୟ ଗୋଷ୍ଠୀର ୫ ଜଣ ଯୁବକଙ୍କୁ ବୁର୍ଲା ଥାନାରେ ଅଟକ ରଖିଥିଲେ। ସୋମବାରଠାରୁ ଏହି ଘଟଣାକୁ ନେଇ କର୍ଡୋଲା ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଏହି ଗାଁରେ ରାତିରେ ପୁଲିସ ମୁତୟନ କରାଯାଇଥିଲା।

ତେବେ ମଙ୍ଗଳବାର ସକାଳେ ବହୁ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଚିପିଲିମା ଫାଣ୍ଡି ଘେରାଉ କରିଥିଲେ। ଏହି ଘଟଣାରେ ସେମାନେ ଫାଣ୍ଡି ଅଧିକାରୀଙ୍କୁ ଶତାଧିକ ଗ୍ରାମବାସୀଙ୍କ ସ୍ଵାକ୍ଷରିତ ଥିବା ଏକ ଏତଲା ଦେଇଥିଲେ। ସେମାନେ ସୁଦାମଙ୍କ ପରିବାର ଲୋକଙ୍କୁ ଛାଡ଼ି ଦେବାକୁ କହିଥିଲେ। ଗଣ୍ଡଗୋଳ କରିଥିବା ଅନ୍ୟ ପକ୍ଷର ଯୁବକମାନେ ଗାଁରେ ମଦ ପିଇ ଅଶାନ୍ତ ବାତାବରଣ ସୃଷ୍ଟି କରୁଥିବାରୁ ଗାଁରେ ମହିଳାମାନେ ସୁରକ୍ଷିତ ନୁହନ୍ତି ବୋଲି ଉଲ୍ଲେଖ କରିଛନ୍ତି। ପୁଲିସ ଏକପ‌ାଖିଆ ନିଷ୍ପତ୍ତି ନେଉଥିବା ସେମାନେ ଅଭିଯୋଗ କରିଥିଲେ। ଫଳରେ ଚିପିଲିମା ଫାଣ୍ଡିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ଚିପିଲିମା ଫାଣ୍ଡି ଅଧିକାରୀ ତପନ ପଧାନ ବୁର୍ଲା ଥାନାକୁ ଜଣାଇଥିଲେ। ପରେ ଡିଏସ୍‌ପି ଓ ବୁର୍ଲା ଆଇଆଇସି ଆସି ଲୋକଙ୍କ ସହିତ ଆଲୋଚନା କରିଥିଲେ। କିନ୍ତୁ କିଛି ସମାଧାନର ରାସ୍ତା ବାହାରି ନ ଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ଗ୍ରାମବାସୀମାନଙ୍କ ପକ୍ଷରୁ କେତେକ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସହିତ ଆଲୋଚନା ପାଇଁ ବୁର୍ଲା ଥାନାକୁ ଡକାଯାଇଥିବାର ଖବର ମିଳିଛି।