ଗାରୋଇ: ଗ୍ରାମାଂଚଳର ଗରିବ, ଆର୍ଥିକ ଅନଗ୍ରସର ପରିବାରକୁ ବିଦ୍ୟୁତ ସଂଯୋଗ ଦେବା ଲକ୍ଷ୍ୟ ନେଇ ୨୦୧୯ ମସିହା ଅକ୍ଟୋବର ମାସରେ ନାଉଗାଁ ବ୍ଲକ କୋରୁଅ ଗ୍ରାମରେ କାର୍ଯ୍ୟକାରୀ ହୋଇଥିଲା ସୌଭାଗ୍ୟ ଯୋଜନା। ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କ ନିକଟକୁ ବିଦ୍ୟୁତ ସଂଯୋଗ ହେବାର ଦୀର୍ଘ ୪ ବର୍ଷ ପରେ ସିକ୍ୟୁରିଟି ବାବଦରେ ୫୨୦ ଟଙ୍କା ପୈଠ କରିବା ପାଇଁ ଚଳି ମାସରେ ଆସିଥିବା ବିଦ୍ୟୁତ ବିଲ୍ରେ ଉଲ୍ଲେଖ ରହିଛି. ଯାହାକୁ ନେଇ ଉପଭୋକ୍ତା ଚିନ୍ତାରେ ପଡ଼ିଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କୋରୁଅ ପଂଚାୟତର ୧ ରୁ ୬ ନଂ ଓାର୍ଡକୁ ନେଇ କୋରୁଅ ରାଜସ୍ବ ଗ୍ରାମ ଗଠିତ। ୬ଟି ଓାର୍ଡରେ ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟା ୫୧୦ ଜଣ ହୋଇଥିବା ବେଳେ ସେଥି ମଧ୍ୟରୁ ୨୦୦ରୁ ଅଧିକ ପରିବାର ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ଉପଭୋକ୍ତା। ଏହି ଉପଭୋକ୍ତାଙ୍କ ମଧ୍ୟରୁ ଶରତ ଚନ୍ଦ୍ର ନାୟକଙ୍କ ନିକଟକୁ ଚଳିତମାସରେ ଆସିଥିବା ବିଦ୍ୟୁତ ବିଲ୍ରେ ଉଲ୍ଲେଖ ରହିଛି ଯେ, ସେ ଏହି ମାସରେ ୨୩ ୟୁନିଟ୍ ବିଦ୍ୟୁତ ବ୍ୟବହାର କରିଛନ୍ତି। ୟୁନିଟ୍ ପିଛା ୩ ଟଙ୍କା ଦରରେ ବିଲ୍ ୬୯ ଟଙ୍କା ହୋଇଥିବା ବେଳେ ସମୁଦାୟ ବିଲ ୯୧ ଟଙ୍କା ୭୬ ପଇସା ତଥା ଏରିଅର୍ ବାବଦ ଟଙ୍କାକୁ ମିଶାଇ ୫୮୬ ଟଙ୍କା ପୈଠ କରିବେ। ସେହିପରି ହିତାଧିକାରୀ ଲିପ୍ସା ନାୟକଙ୍କ ବିଲରେ ଉଲ୍ଲେଖ ରହିଛି ୦୭/୧୨/୨୦୨୧ ରୁ ୦୭/୦୧/୨୦୨୨ ମଧ୍ୟରେ ସେ ୧୦ ୟୁନିଟ୍ ବିଦ୍ୟୁତ ବ୍ୟବହାର କରିଛନ୍ତି। ବିଦ୍ୟୁତ ବ୍ୟବହାର ଉପରେ ୩ ଟଙ୍କା ଦରରେ ୩୦ ଟଙ୍କା ଓ ଅନ୍ୟାନ୍ୟ ଚାର୍ଜକୁ ମିଶାଇ ୫୧ ଟଙ୍କା ୨୦ ପଇସା ଓ ସିକ୍ୟୁରିଟି ବାବଦରେ ୫୮୭ ଟଙ୍କା ପୈଠ କରିବେ ବୋଲି ବିଲ୍ରେ ଉଲ୍ଲେଖ ରହିଛି। ସେହିପରି ଅନ୍ୟ ଜଣେ ହିତାଧିକାରୀ ପର୍ଶୁରାମ ଦଳାଇଙ୍କ ନିକଟକୁ ୦୭/୧୨/୨୦୨୧ ରୁ ୦୭/୦୧/୨୦୨୨ ପର୍ଯ୍ୟନ୍ତ ଆସିଥିବା ବିଲ୍ରେ ଉଲ୍ଲେଖ ରହିଛି ଯେ, ସେ ୩୩ ୟୁନିଟ୍ ବିଦ୍ୟୁତ ବ୍ୟବହାର କରିଛନ୍ତି। ୟୁନିଟ୍ ପିଛା ୩ ଟଙ୍କା ଏବଂ ଅନ୍ୟାନ୍ୟ ଚାର୍ଜକୁ ମିଶାଇ ୧୩୩ ଟଙ୍କା ୫୭ ପାଇସା ଓ ସେ ପୈଠ କରିବେ ୧୬୮୪ ଟଙ୍କା ଏରିଅର ଟଙ୍କା ମିଶାଇ। ଏହାକୁ ନେଇ ଉପଭୋକ୍ତାଜଣଙ୍କ ଦ୍ବନ୍ଦ୍ବରେ ପଡିଯାଇଛନ୍ତି।
ସେହିପରି ମନୋରମା ସାହୁ ୫ ୟୁନିଟ୍ ବିଦ୍ୟୁତ ବ୍ୟବହାର କରିଛନ୍ତି। ଉପଭୋକ୍ତାଙ୍କ କଞ୍ଜ୍ୟୁମର ନମ୍ବର ୮୮୮୨୬୬୪୭୭୪୫ ଏବଂ ସିକ୍ୟୁରିଟି ବାବଦ ୫୨୦ ଟଙ୍କା ମିଶାଇ ସେ ସମୁଦାୟ ୩୫୪୫ ଟଙ୍କା ବିଦ୍ୟୁତ ବିଲ ପୈଠ କରିବେ। ଏଭଳି ବିଲ ଦେଖି ହିତାଧିକାରୀ ଚକିତ। ସେହିପରି ଲକ୍ଷ୍ମୀଧର ପଣ୍ତାଙ୍କ ଗତ ମାସରେ ୪୦୯ ଟଙ୍କା ବିଲ ଆସିଥିବା ବେଳେ ଚଳିତମାସରେ ୯୧ ୟୁନିଟ ବିଦ୍ୟୁତ ବ୍ୟବହାର କରିଛନ୍ତି। ୟୁନିଟ୍ ପ୍ରତି ୩ ଟଙ୍କା ବବାଦରେ ୩୭୫ ଟଙ୍କା, ଏରିଅର୍ ବାବଦରେ ୫୭୭ ଟଙ୍କାକୁ ମିଶାଇ ସେ ୯୫୨ ଟଙ୍କା ପୈଠ କରିବା ପାଇଁ ତ୍ରୁଟିପୂର୍ଣ୍ଣ ବିଲ୍ ଆସିଥିବା ସେ ଅଭିଯୋଗ କରିଛନ୍ତି। କେବଳ ଏହି ହିତାଧିକାରୀମାନେ ନୁହନ୍ତି, ଏହି ଗ୍ରାମର ୧୦୦ ରୁ ଅଧିକ ହିତାଧିକାରୀଙ୍କ ତ୍ରୁଟିପୂର୍ଣ୍ଣ ବିଲ୍ ତ ଆଉ କାହାର ସିକ୍ୟୁରୁଟି ବାବଦ ଟଙ୍କାକୁ ନେଇ ଉପଭୋକ୍ତା ଚିନ୍ତାରେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମରୁ ନେଇଥିବା ଠିକା ସଂସ୍ଥା ବିଦ୍ୟୁତ ତାର ସଂଯୋଗ ବୋର୍ଡ ଲଗାଇବା ଓ ମିଟର ବାବଦରେ ୫୦୦ ରୁ ୭୦୦ ଟଙ୍କା ନେଇ ସାରିଥିବା ବେଳେ ବର୍ତମାନ ଟାଟା ପାୱାର୍ ଲିମିଟେଡ୍ ସେମାନଙ୍କୁ ଶୋଷଣ କରିବାକୁ ବସିଛି। ମାଗଣା ବିଦ୍ୟୁତ ସଂରଜାମ ମିଳିବା ସହିତ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ କୌଣସି ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ପଡିବନି ବୋଲି ଓ ଅନ୍ୟାନ୍ୟ ବିଦ୍ୟୁତ ଉପକରଣ ମାଗଣାରେ ମିଳିବ ବୋଲି ବିଦ୍ୟୁତ ସଂଯୋଗ ସମୟରେ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦିଆଯାଇଥିଲା। ବର୍ତମାନ ସିକ୍ୟୁରିଟି ଡିପୋଜିଟ୍ ମାଧ୍ୟମରେ ଟାଟା ପାୱାର୍ ଲିମିଟେଡ୍ ଗ୍ରାହକଙ୍କୁ ଲୁଟିବା ଆରମ୍ଭ କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ନାଉଗାଁ ବିଦ୍ୟୁତ ଉପଭୋକ୍ତା ସଂଘର ସମ୍ପାଦକ ସୁବାସ ସ୍ବାଇଁଙ୍କ ମତ, ଟାଟା ପାୱାର ଲିମିଟେଡ୍ ସୌଭାଗ୍ୟ ଯୋଜନା ହିତାଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଉପଭୋକ୍ତାଙ୍କୁ ଲୁଟିବା ଆରମ୍ଭ କରିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ନଦେଲେ ଆଗାମୀ ଦିନରେ ବିଦ୍ୟୁତ ଉପଭୋକ୍ତାଙ୍କୁ ନେଇ ଆନ୍ଦୋଳନ କରାଯିବ। ଏ ସମ୍ପର୍କରେ ନାଉଗାଁ ବିଦ୍ୟୁତ ବିଭାଗର କନିଷ୍ଠଯନ୍ତ୍ରୀ ଦୀପକ ଭୂଇଙ୍କୁ ପଚାରିବାରୁ ଏହି ଅର୍ଥ ସିକ୍ୟୁରିଟି ବାବଦରେ ହିତାଧିକାରୀଙ୍କଠାରୁ ଆଦାୟ କରାଯିବ ପାଇଁ ବିଭାଗରୁ ନିର୍ଦ୍ଦେଶ ଆସିଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/WHATSAPP-IMAGE-2022-01-14-AT-10807-PM_6.jpg)