ରାଜନଗର: ଜଓ୍ୱାଦ ପ୍ରଭାବରେ ରାଜନଗରର ଚାଷୀମାନେ ସୁନାର ଫସଲ ହରାଇ ସରକାରୀ ସହାୟତା ଓ ବୀମା ଅର୍ଥକୁ ଚାହିଁ ରହିଛି। ସରକାର କ୍ଷତିଗ୍ରସ୍ତ ଫସଲ ହେକ୍ଟର ପିଛା ଅଣଜଳସେଚିତ ଜମି ପାଇଁ ୬ହଜାର ୮ଶହ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଛନ୍ତି। ସେ ନେଇ ଏଯାଏ ରାଜନଗର ତହସିଲରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇନି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା କମ୍ପାନି ବୀମା ଅର୍ଥ କମ୍‌ ଦେବା ପାଇଁ ସାଂଘାତିକ ଷଡ଼ଯନ୍ତ୍ର କରିଛି। ଫସଲ କ୍ଷତି ହୋଇଥିବା ଜମିରେ ନ କରି ସାଟେଲାଇଟ ତଥ୍ୟ ମାଧ୍ୟମରେ ଅଧିକ କ୍ଷତି ହୋଇ ନ ଥିବା ଜମିରୁ କ୍ରପ କଟିଂ କରାଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ବୀମା ଅର୍ଥ ନ ଦେବା ପାଇଁ ବୀମା କମ୍ପାନି ଏପରି ଷଡ଼ଯନ୍ତ୍ର କରିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ବାତ୍ୟା ‘ଜଓ୍ୱାଦ’ରେ ରାଜନଗର ଅଂଚଳରେ ବ୍ୟାପକ ଖରିଫ ଧାନ ଫସଲ କ୍ଷତି ହୋଇଛି। ୧୦ଦିନ ହେଲା ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ଏଚଡିଏଫସି ଆଗ୍ରୋ ବୀମା କମ୍ପାନି ପକ୍ଷରୁ ରାଜନଗର ଅଂଚଳରେ କ୍ରପ୍‌ କଟିଂ ସର୍ଭେ କରାଯାଉଛି।

Advertisment

ବୀମା କମ୍ପାନିର କର୍ମଚାରୀଙ୍କ ସହିତ ପରିସଂଖ୍ୟାନ ବିଭାଗର କର୍ମଚାରୀ, କୃଷିବିଭାଗ ଓ ରାଜସ୍ବ ନୀରିକ୍ଷକମାନେ ମିଳିତ ଭାବେ କ୍ରପ କଟିଂ କରୁଥିବା କୁହାଯାଉଛି। ମାତ୍ର କ୍ଷତିଗ୍ରସ୍ତ ଜମି ବଦଳରେ ଅଧିକ କ୍ଷତି ହୋଇ ନ ଥିବା ଜମିରେ କ୍ରପ୍‌ କଟିଂ କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଚାଷୀମାନେ କ୍ଷତିଗ୍ରସ୍ତ ଜମି ଦେଖାଇ କ୍ରପ୍‌ କଟିଂ କରିବାକୁ କହିଲେ ମଧ୍ୟ ବୀମା କମ୍ପାନିର କର୍ମଚାରୀମାନେ ଶୁଣୁନଥିବା ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଏଚଡିଏଫସି ଆଗ୍ରୋ ବୀମା କମ୍ପାନିର କର୍ମଚାରୀ ସୁକୁମାର ମାଇତିଙ୍କ କହିବା କଥା ହେଲା, ପ୍ରତି ପଞ୍ଚାୟତରେ ୪ଟି ପ୍ଲଟ୍‌ରୁ କ୍ରପ୍‌କଟିଂ କରୁଛୁ। ସାଟେଲାଇଟ ସର୍ଭେ ମାଧ୍ୟମରେ ଆମ ପାଖକୁ ଜମି ମାଲିକ ନାଁ, ଖାତା ନଂ. ପ୍ଲଟ ନଂ. ଓ ମୌଜା ନାଁ ଆସିଛି। ସେହି ଆଧାରରେ କ୍ରପ୍‌ କଟିଂ କରୁଛୁ। ଲୋକେ କହୁଥିବା ଜମିରେ ତାହା କରିପାରିବୁ ନାହିଁ ବୋଲି କହିଛନ୍ତି।

ବଡକଥା ହେଲା ଗୋଟିଏ ପଞ୍ଚାୟତକୁ ଗୋଟିଏ ୟୁନିଟ ଭାବେ ଧରାଯାଇଛି। ବୀମା କମ୍ପାନି ପକ୍ଷରୁ ଗୋଟିଏ ପଞ୍ଚାୟତରୁ ୪ଟି ପ୍ଲଟ୍‌ର କ୍ରପ୍‌ କଟିଂ କରାଯାଉଛି। ୪ଟି ପଞ୍ଚାୟତର କ୍ରପ୍‌ କଟିଂକୁ ମିଶାଇ ଯେଉଁ କ୍ଷୟକ୍ଷତି ହାର ବାହାରିବ ସେହି ଆଧାରରେ ବୀମା ସହାୟତା ରାଶି ମିଳିବ। ପୂର୍ବରୁ ଋଣ ପ୍ରଦାନ ବେଳେ ସବୁ ଚାଷୀଙ୍କର ପ୍ରଧାନମନ୍ତ୍ରୀ ଫସଲ ବୀମା କରାଯାଉଥିଲା। ୨ ବର୍ଷ ହେଲା ଫସଲ ବୀମା ପାଇଁ ଇଚ୍ଛା କରୁଥିବା ଚାଷୀଙ୍କ ବୀମା କରାଯାଉଛି। ଋଣ ଅର୍ଥର ୨ ପ୍ରତିଶତ ଫସଲ ବୀମା ପାଇଁ ନିଆଯାଉଛି। ଚାଷୀଙ୍କୁ ସଠିକ ଭାବେ ବୀମା ରାଶି ନ ଦେବା ପାଇଁ ପୂର୍ବରୁ ଯୋଜନାବଦ୍ଧ ଭାବେ ଅଧିକ କ୍ଷତିଗ୍ରସ୍ତ ହୋଇନଥିବା ଜମିର ତାଲିକା ଆଣି କ୍ରପ୍‌ କଟିଂ କରାଯାଉଛି ବୋଲି ରାଜନଗରର ଚାଷୀ ସୁଶାନ୍ତ କୁମାର ସାହୁ, ବୁଦ୍ଧିରାମ ପ୍ରଧାନ, ଗୌରାଙ୍ଗ ରାଉତ, କାଙ୍ଗାଳି ପ୍ରଧାନ, ରଂଜନ କୁମାର ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ, ରାଜନଗର ବ୍ଲକରେ ଚଳିତ ବର୍ଷ ପ୍ରାୟ ୨୨ ହଜାର ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ ହୋଇଥିଲା। ଏହା ଅଣଜଳସେଚିତ ଅଂଚଳ ହୋଇଥିବାରୁ ଏଠାକାର ଚାଷୀ କେବଳ ଖରିଫ ଧାନ ଚାଷ କରିଥାନ୍ତି। ବ୍ଲକର ୪୦ହଜାର ଚାଷୀ ପରିବାର ଧାନ ଚାଷ କରିଥାନ୍ତି। ଚଳିତ ଖରିଫ ଋତୁରେ ପ୍ରଥମେ ମରୁଡି ଯୋଗୁଁ ଚାଷ କାମ ବିଳମ୍ବରେ ହୋଇଥିଲା। ଏଥିପାଇଁ ଅଧିକାଂଶ ଚାଷୀ ଶୀଘ୍ର ଅମଳକ୍ଷମ କିସମର ଧାନ ଚାଷ କରିଥିଲେ। ପ୍ରାୟ ଶହେ ପ୍ରତିଶତ ଧାନ ଫସଲ ପାଚି ସାରିଥିଲା। ଜଓ୍ୱାଦ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ପାଚିଲା ଧାନ ଫସଲ ଉଜୁଡି ଯାଇଛି।