ରାଉରକେଲା: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଶିଳ୍ପାଞ୍ଚଳସ୍ଥିତ ପୂଜା ସ୍ପଞ୍ଜ ଆଇରନ କାରଖାନାରେ ଗ୍ୟାସ୍‌ ଲିକ୍‌ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ କମ୍ପାନି ତରଫରୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ଆଜି କମ୍ପାନି ପକ୍ଷରୁ ଫ୍ରାନସିସ୍‌ କେର୍କେଟାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ଓ ଅନ୍ତେଷ୍ଟି କ୍ରିୟା ପାଇଁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ସେହିଭଳି ଅଜୟ ସାମଦଙ୍କ ପରିବାର ଲୋକଙ୍କୁ କମ୍ପାନି କ୍ଷତିପୂରଣ ବାବଦରେ ଅଢ଼େଇ ଲକ୍ଷ ଟଙ୍କା ଓ ଅନ୍ତେଷ୍ଟି ପାଇଁ ୫୦ ହଜାର ଟଙ୍କା ପ୍ରଦାନ କରିଛି।

Advertisment

ତେବେ କମ୍ପାନି ତରଫରୁ କ୍ଷତିପୂରଣମୂଳକ ସହାୟତା ପ୍ରଦାନ କରାଯିବା ପରେ ସରକାରୀ ହସ୍‌ପିଟାଲରୁ ଶବସଂସ୍କାର ପାଇଁ ୨ ମୃତଦେହକୁ ସେମାନଙ୍କ ପରିବାର ଲୋକେ ଘରକୁ ନେଇଛନ୍ତି। କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ସ୍ଥାନୀୟ କାର୍ଯ୍ୟାଳୟ ତରଫରୁ ଘଟଣାର ତଦନ୍ତ ଜାରି ରହିଛି।

publive-image

ସୂଚନାଯୋଗ୍ୟ ପୂଜା ସ୍ପଞ୍ଜ କାରଖାନାର ବର୍ଣ୍ଣିଂ ବିଭାଗରେ ଗ୍ୟାସ ଲିକ୍‌ ହୋଇ ସୋମବାର ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଫ୍ରାନସିସ୍‌ କେର୍କେଟା ଓ ଅଜୟ ସାମଦ ଗୁରତର ଆହତ ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।