ଜିଲ୍ଲାସ୍ତରୀୟ ମାଣ୍ଡିଆ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ

ଖୋର୍ଦ୍ଧା: ଲୋକଙ୍କ ମଧ୍ୟରେ ମାଣ୍ଡିଆର ସୁଗୁଣାବଳୀ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ୨୦୨୩ ବର୍ଷକୁ ମିଲେଟ୍‌ (ମାଣ୍ଡିଆ) ବର୍ଷ ଭାବେ ଦେଶରେ ପାଳନ କରାଯାଉଛି। ଏହି ଅବସରରେ ବୁଧବାର ଜିଲ୍ଲାସ୍ତରୀୟ ମାଣ୍ଡିଆ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବୁଧବାର ଜିଲ୍ଲା ମୁଖ୍ୟକୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ କୁମାର ପରିଡ଼ା ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ନିଜ ବକ୍ତବ୍ୟରେ ମାଣ୍ଡିଆରେ ଥିବା ପୁଷ୍ଟିକର ତତ୍ବ ସମ୍ପର୍କରେ ଆଲୋଚନା କରିବା ସହ ଏହାକୁ ନିଜର ଖାଦ୍ୟପେୟରେ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଭିନ୍ନ ସ୍ବୟଂସହାୟିକା ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇଥିଲେ। ମାଣ୍ଡିଆରୁ ୧୦୦ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଥିଲେ।

ଏହି ପ୍ରତିଯୋଗିତାରେ ଦେବଯାନୀ ଦାଶ ପ୍ରଥମ, ପୁଷ୍ପଲତା ବେହେରା ଦ୍ବିତୀୟ ଓସୋନାଲି ସ୍ବର୍ଣ୍ଣଲତା ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକ ଦିଗାମ୍ବର ବିଶ୍ବାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୂପମା ପାଣି, ଉପ-ଉଦ୍ୟାନ ନିର୍ଦ୍ଦେଶକ ଉର୍ମିଳା ମହାପାତ୍ର, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ. ଯଶୋବନ୍ତ ପ୍ରଧାନ, ଅତିରିକ୍ତ ମତ୍ସ୍ୟ ସମ୍ପଦ ଅଧିକାରୀ ସଂଜୟ କୁମାର ବଡ଼ତ୍ୟା, ସରକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ସ୍ମିତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ମିଲେଟ୍‌ ମିଶନର ସଂଯୋଜକା ଜେସିକା ସାହୁ, ହିସାବ ରକ୍ଷକ ସୁରେନ୍ଦ୍ର କୁମାର ପରିଡ଼ା, ଆତ୍ମା ହିସାବ ରକ୍ଷକ ସତ୍ୟଜିତ ପ୍ରତାପ ସିଂହଙ୍କ ସମେତ ବାଣପୁର, ଟାଙ୍ଗୀ, ଖୋର୍ଦ୍ଧାର ଗୋଷ୍ଠୀ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀମାନେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର