କୁସୁମପୁଟ-ମଜୁରାଗୁଡା ମାଇନର କେନାଲ କାମରେ ଚଂଚକତା ଅଭିଯୋଗ କଲା ପାଣି ପଂଚାୟତ

ଜୟପୁର: ଉପରକୋଲାବ ଜଳସେଚନ ପ୍ରକଳ୍ପର କୁସୁମପୁଟ-ମଜୁରାଗୁଡା (କୁମୁଲିପୁଟ) ପାର୍ଶ୍ବ ଦେଇ ଯାଇଥିବା ମାଇନର କେନାଲ କାମରେ ବ୍ୟାପକ ଚଂଚକତା କରି ଅନିମିୟତତା କରୁଥିବା ଅଭିଯୋଗ କରିଛନ୍ତି କୁମୁଲିପୁଟ ଗଙ୍ଗାମାଁ ପାଣି ପଂଚାୟତର ସଭାପତି ଦିବାକର ପାଇକ, ଓ ସଂପାଦକ ଚନ୍ଦ୍ରମୋହନ ଗୌଡ଼। ଏ ନେଇ ଜିଲ୍ଲାପାଳଙ୍କୁ ପାଣିପଂଚାୟତ ପକ୍ଷରୁ ଅଭିଯୋଗ କରାଯାଇଛି। ଭଲଥିବା କେନାଲକୁ ଜେସିବି ଲଗାଇ ଖୋଳା ଯାଉଛି। କେନାଲର ସୁରକ୍ଷା ପାଇଁ ରହିଥିବା ଦୁଇପାର୍ଶ୍ବର କଂକ୍ରିଟ ପ୍ୟାକକୁ ହଟାଇ ଦିଆଯାଉଛି। ସେଭଳି କେନାଲ ପାର୍ଶ୍ବ ଦେଇ ଯାଇଥିବା ପିଚୁ ରାସ୍ତା ଉପରେ ହିଁ ମାଟି ପକାଯାଉଛି ବୋଲି ଅଭିଯୋଗପତ୍ରରେ ଦର୍ଶାଯାଇଛି। ଏଭଳିକି ଏହି କେନାଲର କାମ କରିବା ପୂର୍ବରୁ ପାଣିପଂଚାୟତର କର୍ମକର୍ତ୍ତା ଓ ସଭ୍ୟମାନଙ୍କ ସହ ଆଲୋଚନା ନ କରି ଅଚାନକ ଭାବେ ଏଭଳି କରିବା କେତେ ଦୁର ଯୁକ୍ତିଯୁକ୍ତ।

କେନାଲର ହୁଡ଼ାକୁ ଜେସିବିରେ ଭାଙ୍ଗି ମନଇଛା କାମ କରିବା କେତେ ଦୂର ଠିକ। କିଭଳି କେନାଲର ମରାମତି କରାଗଲେ ଉପରମୁଣ୍ଡ ସହ ତଳମୁଣ୍ଡର ଚାଷୀ ପାଣି ପାଇପାରିବେ ସେ ସଂପର୍କରେ ଆଲୋଚନା କରି ନିର୍ମାଣ କାମର ଯୋଜନା କରିବା କଥା। କିନ୍ତୁ ସେଭଳି କିଛି ନ କରାଯାଇ ମନଇଛା ଭଲ ଥିବା କେନାଲକୁ ଖୋଳି ଦିଆଯାଉଛି। ସାମାନ୍ୟ ବର୍ଷା ହେବା ମାତ୍ରକେ କେନାଲକୁ ଯୋଜନାବଦ୍ଧ ଭାବେ ରକ୍ଷଣାବେକ୍ଷଣ କରୁନଥିବାରୁ ପାଣି ସବୁ କୁମୁଲିପୁଟ ନିକଟରେ ଜାତୀୟ ରାଜପଥ ଉପରେ ଯାଇ ଜମା ହେଉଛି ବୋଲି ଅଭିଯୋଗ କରିଛନ୍ତି। ଇନଟେକ୍ ୱେଲକୁ ସଫା କରିବା ସହ କିଭଳି କେନାଲର ମରାମତି କଲେ ସଠିକ ଭାବେ ପାଣି ତଳମୁଣ୍ଡ ପର୍ଯ୍ୟନ୍ତ ଯାଇ ପାରିବ ସେ ସଂପର୍କରେ ଆଲୋଚନା କରିବା କଥା। କିନ୍ତୁ ତାହା ହୋଇ ପାରିନି ବୋଲି ପାଣିପଂଚାୟତର କର୍ମକର୍ତ୍ତା ଓ ସଭ୍ୟ ମାନେ ଅଭିଯୋଗ କରିଛନ୍ତି। ଏହାର ସଠିକ ଯାଂଚ କରି କିଭଳି ଚାଷୀ ମାନେ ଉପରମୁଣ୍ଡରୁ ତଳମୁଣ୍ଡ ପର୍ଯ୍ୟନ୍ତ ଉପକୃତ ହୋଇ ପାରିବେ ସେ ଦିଗରେ ଯୋଜନା କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର