ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ସରକାରୀ ମହାବିଦ୍ୟାଳୟରେ ଆଦିବାସୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛି ଆଦିବାସୀ ସୁରକ୍ଷା ମଞ୍ଚ। ଭୟରେ ଛାତ୍ରୀମାନେ ଏ ନେଇ ପ୍ରାଧ୍ୟାପକଙ୍କ ନାଁରେ ଅଭିଯୋଗ କରୁନଥିବା ବେଳେ ନିର୍ଯାତନା ସୀମା ଟପିବା ପରେ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛି ଆଦିବାସୀ ସୁରକ୍ଷା ମଞ୍ଚ। ୫-ଟି ସଚିବଙ୍କୁ ଦିଆଯାଇଥିବା ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ। ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ରାୟଗଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। ଗୁଣପୁର କଲେଜ ରାସାୟନିକଶାସ୍ତ୍ର ବିଭାଗରେ ଗତ ୩୨ ବର୍ଷ ହେଲା ଅଧ୍ୟାପନା ଦାୟିତ୍ବ ତୁଲାଇ ଆସୁଛନ୍ତି ଏହି ପ୍ରାଧ୍ୟାପକ । କଲେଜରେ ପାଠ ପଢ଼ାଇବା ବଦଳରେ ଅଧିକ ସମୟ ଟ୍ୟୁସନ୍ କରି ଆଦିବାସୀ ଛାତ୍ରଛାତ୍ରୀଙ୍କ ନିକଟରୁ ଟ୍ୟୁସନ୍ ଫି’ ବାବଦକୁ ମାସିକ ୧ ହଜାର ଟଙ୍କା ଆଦାୟ କରୁଛନ୍ତି। ଏଥି ସହିତ ଟ୍ୟୁସନରେ ସୁଯୋଗ ଦେଖି ଛାତ୍ରୀଙ୍କ ଅଶ୍ଳୀଳ ଇଙ୍ଗିତ କରିବା ସହ ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଉଛନ୍ତି।

Advertisment

ପରୀକ୍ଷା ଏବଂ ପ୍ରାକ୍ଟିକାଲରେ ମାର୍କ କମ୍ କରି ଦେବା ନେଇ ପ୍ରାଧ୍ୟାପକ ଧମକ ଦେଉଥିବାରୁ ଏ ନେଇ ଛାତ୍ରୀମାନେ କୌଣସି ମୁହଁ ଖୋଲୁ ନାହାନ୍ତି। ଗତ କିଛି ବର୍ଷ ମଧ୍ୟରେ ବହୁ ଛାତ୍ରୀ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ବେଳେ ନିଜ ସମ୍ମାନ ଦୃଷ୍ଟିରୁ ଅଭିଯୋଗ କରିନଥିବା ଆଦିବାସୀ ସୁରକ୍ଷା ମଞ୍ଚ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି। ଏପରିକି ପରୀକ୍ଷା ସମୟରେ ପ୍ରାକ୍ଟିକାଲରେ ଅଧିକ ମାର୍କ ଦେବା ପାଇଁ ପ୍ରାଧ୍ୟାପକ ଜଣକ ଛାତ୍ରୀଙ୍କ ନିକଟରୁ ୧ ହଜାର ଟଙ୍କା ଲେଖାଁଏ ଆଦାୟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ତାଙ୍କ ନିକଟକୁ ଟ୍ୟୁସନ୍ ଆସୁଥିବା ଛାତ୍ରୀଙ୍କୁ ପରୀକ୍ଷାରେ ସ୍ବତନ୍ତ୍ର ରୁମରେ ପରୀକ୍ଷା ଦେବାକୁ ଅନୁମତି ସହ ମୋବାଇଲ୍ ଓ କପି କରିବାକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି।

୩୨ ବର୍ଷ ହେଲା ଗୋଟିଏ କଲେଜରେ ରହି ଅଧ୍ୟାପନା କରୁଥିବା ପ୍ରାଧ୍ୟାପକଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରିବାକୁ ଦାବି କରିଛି ଆଦିବାସୀ ସୁରକ୍ଷା ମଞ୍ଚ। ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଉଚ୍ଚ ଶିକ୍ଷା ବିଭାଗ କୋରାପୁଟ, ରାୟଗଡ଼ା ବଦଳରେ ଅନ୍ୟ ଜିଲ୍ଲାର ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ଦାବି ହୋଇଛି। ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଅନ୍ୟତ୍ର ବଦଳି ନ କରାଗଲେ ସୁରକ୍ଷା ମଞ୍ଚ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ସୁରକ୍ଷା ମଞ୍ଚର ଅଭିଯୋଗ ଆଧାରରେ ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।