ଜିଲ୍ଲା ସଭାପତିଙ୍କ ନାମରେ ଠକେଇ ଅଭିଯୋଗ, ତଦନ୍ତ ପାଇଁ ଏସ୍‌ଡିପିଓଙ୍କୁ ନିର୍ଦ୍ଦେଶ 

ଝାରସୁଗୁଡ଼ା: ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ ଚାକିରି କରାଇ ଦେବାକୁ କହି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ରହୁଥିବା ଜଣେ ମହିଳା ଅନିତା ହେମ୍ବ୍ରମଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଠକି ନେଇଥିବା ନେଇ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ଉକ୍ତ ମହିଳା ଝାରସୁଗୁଡ଼ା ଏସ୍‌ପିଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଉପରେ ତଦନ୍ତ କରିବାକୁ ଏସ୍‌ପି ବିକାଶ ଚନ୍ଦ୍ର ଦାଶ ନିର୍ଦ୍ଦେଶ ଦେଇଥିବା ବେଳେ ଝାରସୁଗୁଡ଼ା ଏସ୍‌ଡିପିଓ ନିର୍ମଳ ଚନ୍ଦ୍ର ମହାପାତ୍ର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ମହିଳାଙ୍କ ଅଭିଯୋଗରୁ ପ୍ରକାଶ ଯେ, ତାଙ୍କ ଘର ବ୍ରଜରାଜନଗର ସହରରେ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରେ ତାଙ୍କ ଶ୍ୱଶୁରଙ୍କ ଘର। ତାଙ୍କ ପୁଅକୁ ଚାକିରିରେ ଲଗାଇ ଦେବାକୁ ବିଜେପି ସଭାପତି ଶ୍ରୀ ସାହୁ ତାଙ୍କ ଠାରୁ ୨୦୧୯ ମାର୍ଚ୍ଚ ମାସରେ ଦେଢ଼ ଲକ୍ଷ ଟଙ୍କା ନେଇଥିଲେ। ଏହାରି ମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ସେ ପୁଅକୁ ଚାକିରି କରାଇ ଦେଇ ନଥିଲେ। ଫଳରେ ଉକ୍ତ ମହିଳା ତାଙ୍କୁ ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରୁଥିଲେ ମଧ୍ୟ ସେ ତାଙ୍କୁ ଧରାଛୁଆଁ ଦେଉନଥିବା ମହିଳା ଅଭିଯୋଗରେ ଦର୍ଶାଇଛନ୍ତି। ବିଭିନ୍ନ ସମୟରେ ଟଙ୍କା ଫେରାଇ ଦେବାକୁ କହି ସେ ଟଙ୍କା ନଦେବାରୁ ମହିଳା ଜଣକ ଶେଷରେ ବାଧ୍ୟ ହୋଇ ଝାରସୁଗୁଡ଼ା ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଥିବା ଜଣାଯାଇଛି।

ଏହି ଘଟଣା ସଂପର୍କରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ସାହୁ ତାଙ୍କୁ ବଦନାମ କରିବା ପାଇଁ ଏହା ବିରୋଧୀଙ୍କ ଏକ ଷଡ଼ଯନ୍ତ୍ର ବୋଲି କହିଥିବା ବେଳେ ସେ ମହିଳାଙ୍କ ଠାରୁ ଟଙ୍କା ନେବା କଥାକୁ ଅସ୍ୱୀକାର କରିଛନ୍ତି। ଏହି ଘଟଣା ଏବେ ସାରା ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୁଲିସ ଏହି ଅଭିଯୋଗ ଉପରେ ତନାଘନା ଆରମ୍ଭ କରିଛି। ଅଭିଯୋଗକାରିଣୀ ମହିଳା ଓ ବିଜେପି ସଭାପତି ମଙ୍ଗଲ ସାହୁ ତଥା ଏଥିରେ ସଂପୃକ୍ତ ଅନ୍ୟ କିଛି ଲୋକଙ୍କ କଲ ରେକର୍ଡ଼ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ପୁଲିସ ଗଣମାଧ୍ୟମ ଆଗରେ ବିଶେଷ ତଥ୍ୟ ପ୍ରଦାନ କରିନାହିଁ। ଏହି ଘଟଣା ପରେ ଏବେ ଜିଲ୍ଲା ବିଜେପିର ଭାବମୂର୍ତ୍ତି ଉପରେ ଆଞ୍ଚ ଆସିବା ସମ୍ଭାବନା ଥିବାରୁ  ଏହାକୁ ନେଇ ରାଜନୀତି ଯୋର ଧରିଲାଣି। ସୋସିଆଲ ମିଡିଆରେ ବିଜେପି ତଥା ଅନ୍ୟାନ୍ୟ ଦଳୀୟ ଲୋକ ଏହା ଉପରେ ନାନା ଟିପ୍ପଣୀ ଦେଉଥିବା ଦେଖା ଯାଇଛି।

ସମ୍ବନ୍ଧିତ ଖବର