ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଞ୍ଚଳରେ ସେ ସ୍ବୀକୃତିପ୍ରାପ୍ତ ପଥର ଖଣି ହେଉ କିମ୍ବା ବେଆଇନ, ଏହାର ନକାରତ୍ମକ ପ୍ରଭାବ ଗାଁ ଠାରୁ ଆରମ୍ଭ କରି ଜଙ୍ଗଲର ପଶୁପକ୍ଷୀଙ୍କ ଉପରେ ପଡ଼ିବା ଆରମ୍ଭ ହେଲାଣି। ବେଆଇନ ପଥର ଖଣି ଯୋଗୁଁ ଜଙ୍ଗଲ କ୍ଷୟ ଓ ହାତୀଙ୍କ ଚଲାପଥ ନଷ୍ଟ ହୋଇଯାଉଥିବା ବେଳେ ନିଲାମ ପାଇଥିବା ପଥର ଖଣିର ପରିଚାଳନା ପ୍ରତି ପ୍ରଶାସନର ଉଦାସୀନତା ଯୋଗୁଁ ଆଖପାଖର ଗାଁ, ଚାଷ ଜମି, ସଡ଼କ ନଷ୍ଟ ହେବାକୁ ଲାଗିଛି। ଆଜି ଶୁକ୍ରବାର ଏନେଇ ଧଉଳିମୁହଁ ଗାଁର ଚାଷୀମାନେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଚାଷୀଙ୍କ ଅଭିଯୋଗ ହେଲା, ନିଜିଗଡ଼ ତାପଙ୍ଗ ମୌଜାର ପ୍ଲଟ ନମ୍ବର ୨୦୫୬ ଚାଷ ଜମିକୁ ଯିବା ପାଇଁ ଏକମାତ୍ର ରାସ୍ତା ଅଟେ। ଏହି ରାସ୍ତାର ଅପରମୁଣ୍ଡରେ ଥିବା ପଥର ଖଣି ଯୋଗୁଁ ନିୟମିତ ଭାବେ ପଥର ନେଇ ଭାରୀଯାନ, ପୋକ୍ଲିନ୍ ଆଦି ଚଳାଚଳ କରୁଛି। ଫଳରେ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି।
ବର୍ତ୍ତମାନ ଚାଷ କାମ ଆରମ୍ଭ ହୋଇଥିବାରୁ ଚାଷୀମାନେ ନିଜ ଚାଷ ଜମିକୁ ଯାଇ ପାରୁନାହାନ୍ତି। ଏନେଇ ସେମାନେ ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକଙ୍କୁ ଲିଖିତ ଅଭିଯୋଗ କରିଥିଲେ, କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ନିୟମାନୁସାରେ, ଖଣି ଖାଦାନ ଅଞ୍ଚଳରେ ଆଖପାଖର ଚାଷଜମିର ସୁରକ୍ଷା, ରାସ୍ତାଘାଟର ସୁରକ୍ଷା ଓ ପରିବେଶ ପ୍ରତି ଖଣି ମାଲିକ ଯତ୍ନବାନ ହେବେ। ଏନେଇ ପ୍ରଶାସନ ନିୟମିତ ଯାଞ୍ଚ କରି ଖିଲାପ ହୋଇଥିଲେ ଅନୁମତି ବାତିଲ କରିପାରିବ। ଏହାସତ୍ବେ ପ୍ରଶାସନ ପକ୍ଷରୁ ଖଣି ମାଲିକଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଏଣୁ ସେମାନେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Pathar-Khani-pain-chasjami-khyatiigrast-Nijigada-tapang-khordha.jpeg)