୫-ଟି ରୂପାନ୍ତରଣ କାର୍ଯ୍ୟରେ ଅନିୟମିତତା, ବିଡିଓଙ୍କୁ ଅଭିଯୋଗ

ନିଆଳି: ନିଆଳି ବ୍ଲକ୍‌ ବିଳାସୁଣୀସ୍ଥିତ ଶ୍ରୀଗୋପାଳଜିଉ ଉଚ୍ଚବିଦ୍ୟାଳୟ ୫-ଟି ରୂପାନ୍ତରଣ କାର୍ଯ୍ୟରେ ଅନିୟମିତତା ଏବଂ ନିମ୍ନମାନର କାର୍ଯ୍ୟ ନେଇ ନିଆଳି ବିଡିଓଙ୍କ ନିକଟରେ ଅଭିଯୋଗ କରାଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଅଭିଯୋଗ ମୁତାବକ, ଶ୍ରୀଗୋପାଳଜିଉ ଉଚ୍ଚବିଦ୍ୟାଳୟର ଉନ୍ନତୀକରଣ ନିମନ୍ତେ ୫-ଟି ଯୋଜନାରେ ୧୭ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହାର କାର୍ଯ୍ୟାଦେଶ ବିଭାଗୀୟ ଅଧିକାରୀଙ୍କ ନାମରେ ରହିଥିଲା। ଏହି ଅନୁଦାନ ଅର୍ଥରେ ଦୁଇଟି ସ୍ମାର୍ଟ ଶ୍ରେଣୀ କକ୍ଷ, ଗୋଟିଏ ବିଜ୍ଞାନ ଲାବୋରେଟୋରି ସହ ଉନ୍ନତ ଶୌଚାଳୟ, ପାଚେରି ଉନ୍ନତୀକରଣ ଆଦି କାର୍ଯ୍ୟରେ ଅନିୟମିତତା ହୋଇଥିବା ଏବଂ କାମ ଅତି ନିମ୍ନମାନର ହୋଇଥିବା ନେଇ ଅଭିଯୋଗ କରାଯାଇଛି। ଶ୍ରେଣୀଗୃହ, ଅନ୍ୟ ଗୃହ ଓ ପାଚେରିରେ ଦିଆଯାଇଥିବା ରଙ୍ଗ ନିମ୍ନମାନର ଥିବା, ଗ୍ରିଲ କାମରେ ଗ୍ରେଡ୍ ନ ଥିବା ଷ୍ଟିଲ୍ ଓ ଆଇରନ୍‌ ବ୍ୟବହାର କରାଯାଇଥିବାରୁ ଏହାର ସ୍ଥାୟିତ୍ବ ନେଇ ସନ୍ଦେହ ରହିଥିବା ଦର୍ଶାଯାଇଛି।

ସାମାଜିକ କର୍ମୀ ନାରାୟଣ ଡାଳୁଆଙ୍କ ନେତୃତ୍ବରେ ରାଜକିଶୋର ମହାନ୍ତି, କପିଳ ଯେନା, ଆକାଶ ପ୍ରଧାନ, ଯୁଦ୍ଧିଷ୍ଠିର ମହାନ୍ତି, କାହ୍ନୁ ମହାନ୍ତି, ବିଶ୍ମୟ କୁମାର ଦାସ, ମନୋଜ ଜେନା, ମୋହନ ମହାନ୍ତି, ତାପସ କୁମାର ଯେନା, ସୁମନ୍ତ କୁମାର ସ୍ବାଇଁ, କାଳନ୍ଦୀ ବସ୍ତିଆ, ରଶ୍ମିରଞ୍ଜନ ଜେନା ପ୍ରମୁଖ ନିଆଳି ବିଡିଓ ଅଶୋକ କୁମାର ଲେଙ୍କାଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିବା ସହ ସମ୍ପୃକ୍ତ ଠିକାଦାରଙ୍କ ମନମୁଖୀ ଓ ନିମ୍ନମାନର କାର୍ଯ୍ୟ କରୁଥିବା ଅଭିଯୋଗ କରିଥିବା ଜଣାଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଅଭିଯୋଗ ସମ୍ପର୍କରେ ବ୍ଲକ୍‌ ସହକାରୀ ଯନ୍ତ୍ରୀ ବସନ୍ତ କୁମାର ରାଉତଙ୍କ ସହ ଯୋଗାଯୋଗ କରିବାରୁ ବିଡିଓ ତିନିଥର କାମ ପରିଦର୍ଶନ କରି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପୁନର୍ବାର କରିବା ଓ ପୁନର୍ବାର ରଙ୍ଗ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର