ଜୟପୁର: ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପର ବିଭାଗ ପକ୍ଷରୁ ୨୦୧୯ ମସିହାରେ ନିର୍ମାଣ ଆରମ୍ଭ ହୋଇଥିବା ଜୟପୁର ଫୁଲବାଡ଼ଠାରେ ସମନ୍ବିତ କ୍ରୀଡ଼ା କମ୍ପ୍ଲେକ୍ସର କାମ ବର୍ଷକ ମଧ୍ୟରେ ସାରିବାକୁ ଥିବା ଲକ୍ଷ୍ୟ ୩ବର୍ଷ ସରି ୪ବର୍ଷରେ ପାଦ ଥାପୁଥିବା ବେଳେ ଏହା ସରିବା ନାଁ ନେଉନି। କୋରାପୁଟ ଜିଲ୍ଲାର କ୍ରୀଡାବିତ୍ ମାନଙ୍କୁ ଉନ୍ନତମାନର କୋଚିଂ ସହ ଅତ୍ୟାଧୁନିକ ଭିତ୍ତିଭୁମି, ବୈଷୟିକ ପ୍ରଣାଳୀ ସହ ଉନ୍ନତମାନର ତାଲିମ ଦେବା ଲକ୍ଷ୍ୟ ରହିଥିଲା। ୧୨ଏକର ପରିମିତ ଜମିରେ ୨୬କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଫୁଟବଲ ପଡ଼ିଆ, ଚାରି ପଟେ ସିନ୍ଥେଟିକ୍ ଟ୍ରାକ, ଇଣ୍ଡୋର ଷ୍ଟାଡିୟମ, ଅତ୍ୟାଧୁନିକ ଜିମ୍ , ସୁଇମିଂ ଫୁଲ, ଦର୍ଶକ ବସିବା ପାଇଁ ଗ୍ୟାଲେରୀ ଓ ପ୍ରଶାସନିକ ଭବନ ନିର୍ମାଣ କରାଯିବା ଯୋଜନା ରହିଛି। ନିର୍ମାଣାଧୀନ ଅତ୍ୟାଧୁନିକ ଫୁଟବଲ ପଡିଆ ସମ୍ମୁଖରେ ‌ଗୋଟିଏ ଦର୍ଶକ ଗ୍ୟାଲେରୀ, ସୁଇମିଂ ଫୁଲ ନିକଟରେ ୨ଟି ଦର୍ଶକ ଗ୍ୟାଲେରୀ ନିର୍ମାଣ କାମ ସରିଛି। ସଂପ୍ରତି ସ୍ବାଗତ ଗେଟ୍‌ ସହ ଜିମ୍ ଓ ପ୍ରଶାସନିକ ଭବନ ଆଦି ଅର୍ଦ୍ଧନିର୍ମିତ ଅବସ୍ଥାରେ ଧିରେ ସୁସ୍ଥେ ନିର୍ମାଣ ଜାରି ରହିଛି। ଆହୁରି ପଡିଆ ଚାରିପଟେ ଦର୍ଶକ ଗ୍ୟାଲେରୀ, ସୁଇମିଂ ଫୁଲର କାମ ସହ ଅତ୍ୟାଧୁନିକ ଫୁଟବଲ ପଡିଆ, ସିନ୍ଥେଟିକ୍ ଟ୍ରାକ୍ କାମ ଆଦି ବି କରିବା ବାକି ରହିଛି। ଆସନ୍ତା ୩୧ତାରିଖ ଦିନ ଜୟପୁର ବିକ୍ରମ ଦେବ ମହାବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ଥିବାରୁ ଏହି ସୁଯୋଗରେ ଏବଂ ହକି ବିଶ୍ବକପ ଚାଲିଥିବାରୁ ଏହି ମାହୋଲରେ ଏହି କ୍ରୀଡା କମ୍ପ୍ଲେକ୍ସର ଉଦଘାଟନ କରାଇବା ଲକ୍ଷ୍ୟ ରହିଥିଲା ତାହା ଫେଲ ମାରିଲା ବୋଲି କହି ବିଗିଡ଼ିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି। ଧିରେ ସୁସ୍ଥେ ନିର୍ମାଣକୁ ନେଇ ଚିଠି କରିବା, ବିଧାନସଭାରେ ପ୍ରଶ୍ନ ଉଠାଇବା ଏବଂ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଅବଗତ କରିବା ପରେ ସେ ଗତ ମାସରେ ଏଠାକୁ ଗସ୍ତ କରି ଏହାର ଉନ୍ନୟନ କାମର ତଦାରଖ କରି ମାର୍ଚ୍ଚ ମାସ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

publive-image Sambad

ଏହା ବାଦେ ବି ଧିରେ ସୁସ୍ଥେ କାମ ଚାଲିଥିବାରୁ ଏହାର ନିର୍ମାଣ କାମ ସରିବାକୁ ଆଉ ବର୍ଷକ ଲାଗିପାରେ ବୋଲି କହିଛନ୍ତି ବିଧାୟକ। ରାଜ୍ୟ ସରକାର ପୁରୁଷ ହକି ବିଶ୍ବକପ ପାଇଁ ବର୍ଷକ ମଧ୍ୟରେ ରାଉରକେଲାରେ ବିର୍ସାମୁଣ୍ଡା ଷ୍ଟାଡ଼ିୟମ ନିର୍ମାଣ କରାଇଦେଲେ। ଅପରପକ୍ଷରେ କୋରାପୁଟ ଜିଲ୍ଲା ଜୟପୁର କ୍ରୀଡା କମ୍ପ୍ଲେକ୍ସ କାମ ପାଇଁ ଯେଭଳି ଗୁରୁତ୍ବ ନେଇ କରାଇବା କଥା କରାଉ ନାହାନ୍ତି ବୋଲି ବିଧାୟକ ଅଭିଯୋଗ କରିଛନ୍ତି। ନୂଆଦିଲ୍ଲୀର ଗୋଟିଏ ଠିକା ସଂସ୍ଥା ଏହାର ନିର୍ମାଣ କାମ ନେଇ ବିଭିନ୍ନ ଆଳ ନେଇ କାମ ସାରୁନାହିଁ। ୨୦୨୨ମସିହା ଡିସେମ୍ବର ମାସ ସୁଦ୍ଧା ନିର୍ମାଣ କାମ ସାରି ହସ୍ତାନ୍ତର କରିବା ଧାର୍ଯ୍ୟ ହୋଇଥିଲା ତେବେ ତାହା ହୋଇ ପାରିନି ବୋଲି କହିଛନ୍ତି ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନଜିତ ତ୍ରିପାଠୀ। ରାଜ୍ୟ କ୍ରୀଡାମନ୍ତ୍ରୀଙ୍କ ଗସ୍ତ ସମୟରେ ଉକ୍ତ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସାରିବାକୁ ପ୍ରତିଶ୍ରୃତି ଦେଇଥିଲେ ତେବେ ତାହା ମାର୍ଚ୍ଚ ସୁଦ୍ଧା ସରିବାର ସମ୍ଭାବନା କମ୍ ଲାଗୁଛି, ମେ’ କିମ୍ବା ଜୁନ୍ ମାସ ସୁଦ୍ଧା ସରିବାର ଆଶା ରହିଛି ବୋଲି କହିଛନ୍ତି ଜିଲ୍ଲା କ୍ରୀଡା ଅଧିକାରୀ। ଏହି ପରିସରକୁ କୋରାପୁଟରୁ ଜିଲ୍ଲା କ୍ରୀଡା ଅଧିକାରୀଙ୍କ କାର୍ଯ୍ୟାଳୟ ବି ସ୍ଥାନାନ୍ତର କରାଯିବା ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା କ୍ରୀଡାଅଧିକାରୀ।