ରାଉରକେଲା: ରାଉରକେଲା ଜେଲ ରୋଡସ୍ଥ ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ (ୟୁଜିଆଇଇ) ପରିସରରେ ଚାଲିଛି କଂକ୍ରିଟ ମିକ୍ସ ପ୍ଲାଣ୍ଟ। ବର୍ଷ ବର୍ଷ ଧରି ଠିକାସଂସ୍ଥା ପକ୍ଷରୁ ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ୍। ପ୍ରତିବାଦରେ ଗତ ଦେଢ଼ମାସ ତଳେ ଜିଲ୍ଲା କଂଗ୍ରେସର ପ୍ରତିନିଧି ଦଳ ୟୁଜିଆଇଇ ଅଧ୍ୟକ୍ଷାଙ୍କୁ ଭେଟିଥିଲେ। କାହା ଅନୁମତିରେ ଶିକ୍ଷାନୁଷ୍ଠାନ ପରିସରରେ ଏମିତି ବେଆଇନ କାର୍ଯ୍ୟ ଚାଲିଛି ବୋଲି ପ୍ରଶ୍ନ କରିଥିଲେ। ଶିକ୍ଷାନୁଷ୍ଠାନ ତରଫରୁ ଏହି ପ୍ଲାଣ୍ଟକୁ ହଟାଇବା ପାଇଁ ସ୍ଥାନୀୟ ବିଧାୟକ ତଥା ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ଜିଲ୍ଲାପାଳ, ତହସିଲଦାର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଅଧ୍ୟକ୍ଷା କଂଗ୍ରେସ ନେତାଙ୍କୁ କହିଥିଲେ। ଅସାନ୍ତା ଦୁଇ ସପ୍ତାହ ମଧ୍ୟରେ ପ୍ଲାଣ୍ଟକୁ ନ ହଟାଇଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସର ନେତାମାନେ ଚେତାବନୀ ଦେଇଥିଲେ।
କଂଗ୍ରେସର ଚେତାବନୀ ସତ୍ବେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ପରିସରରୁ ପ୍ଲାଣ୍ଟ ହଟିଲାନି। ଠିକାସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନି। ଅପରପକ୍ଷେ ବ୍ୟାପକ ଆନ୍ଦୋଳନ ଚେତାବନୀ ଦେଇଥିବା ଜିଲ୍ଲା କଂଗ୍ରେସର ନେତାମାନେ ଏବେ ଚୁପ୍। ସେମିତି ୟୁଜିଆଇଇ ଅଧ୍ୟକ୍ଷା କଂକ୍ରିଟ ମିକ୍ସ ପ୍ଲାଣ୍ଟକୁ ଶିକ୍ଷାନୁଷ୍ଠାନ ପରିସରରୁ ହଠାଇବାକୁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି କାମ ସାରିଦେଇଛନ୍ତି। ଯାହାର ଭରପୁର ଫାଇଦା ଉଠାଉଛନ୍ତି ଠିକାସଂସ୍ଥା। କେବଳ କଂକ୍ରିଟ ମିକ୍ସ ପ୍ଲାଣ୍ଟ ନୁହେଁ ଶହ ଶହ ଟ୍ରିପ୍ ବାଲି ଓ ଚିପ୍ ଜମା ହୋଇଛି। ଠିକା ସଂସ୍ଥା ଠିକାକାମରେ ବ୍ୟବହାର କରୁଥିବା ଗାଡ଼ି ମଧ୍ୟ ଶିକ୍ଷାନୁଷ୍ଠାନରେ ରହୁଛି। ଦୁଇ ପାର୍ଶ୍ବ ପାଚେରୀଭୁ ଭାଙ୍ଗି ଶିକ୍ଷାନୁଷ୍ଠାନ ଭିତରକୁ ରାସ୍ତା କରାଯାଇଛି।
ପ୍ଲାଣ୍ଟରୁ ନିର୍ଗତ ଧୂଆଁ ଶିକ୍ଷାନୁଷ୍ଠାନ ସହ ଏହାର ଚତୁଃପାର୍ଶ୍ବକୁ ପ୍ରଦୂଷିତ କରୁଛି। ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନରେ ବାଧା ଉପୁଜିଛି। ତା’ଠାରୁ ଅଧିକ ସମସ୍ୟା ଭୋଗୁଛନ୍ତି ପ୍ଲାଣ୍ଟର ଚତୁଃପାର୍ଶ୍ବରେ ବସବାସ କରୁଥିବା ସ୍ଥାନୀୟ ବାସିନ୍ଦା। ଏହା ସତ୍ବେ ଉଭୟ ଜିଲ୍ଲା ପ୍ରଶାସନ, ଶିକ୍ଷାନୁଷ୍ଠାନ ନୀବରଦ୍ରଷ୍ଟା ସାଜିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେବଳ ଏତିକି ନୁହେଁ ଏଭଳି ବେଆଇନ କାମକୁ ବିରୋଧ କରୁଥିବା ଜିଲ୍ଲା କଂଗ୍ରେସର ନେତାମାନେ ଚୁପ୍ ରହିବାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ୟୁଜିଆଇଇର ଅଧ୍ୟକ୍ଷା ପ୍ରଗତୀ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, କଂକ୍ରିଟ ମିକ୍ସ ପ୍ଲାଣ୍ଟକୁ ଶିକ୍ଷାନୁଷ୍ଠାନ ପରିସରରୁ ହଟାଇ ନେବାକୁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଜିଲ୍ଳା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି କହିଛନ୍ତି।