କୁଜଙ୍ଗ: ଓଡ଼ିଶା ବିଶେଷକରି ଉପକୂଳବର୍ତ୍ତି ଓଡ଼ିଶାର କୁଜଙ୍ଗ, ପାରାଦୀପ ଅଂଚଳ ବାତ୍ୟା ପ୍ରବଣ ଅଂଚଳଭାବେ ଜଣାଶୁଣା। ୧୯୯୯ ମହାବାତ୍ୟା ପରେ ଜନସାଧାରଣ ଏବଂ ସରକାର ସଚେତନ ହେଲେ। ଫଳରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଂଚଳରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା। ସେଠାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନ ମାନଙ୍କୁ ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ଯୋଗାଇଦେବାକୁ ତାଲିମ ପ୍ରାପ୍ତ ସ୍ବେଚ୍ଛାସେବୀ ମାନଙ୍କୁ ନିଯୁକ୍ତ କରାଯାଇଥିଲା। ସେହିପରି ଭାବେ ବିଭିନ୍ନ ଆନୁସଙ୍ଗିକ ସାଜ, ସରଞ୍ଜାମ ମଧ୍ୟ ଯୋଗାଇ ଦିଆଯାଇଥିଲା। ମାତ୍ର ଏବେ ୨୩ ବର୍ଷ ପରେ ଏବେ ଏହାର ସ୍ଥିତି କଣ ଅଛି? ଏହା କଣ ଏବେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନ ମାନଙ୍କ କାର୍ଯ୍ୟରେ ଲାଗି ପାରିବ? ତାହାକୁ ନେଇ ଅନେକ ପ୍ରଶ୍ନ ମୁଣ୍ଡ ଟେକୁଛି।
୧୯୯୯ ମହାବାତ୍ୟାରେ ଏରସମା ଓ କୁଜଙ୍ଗ ବ୍ଳକର ଅନେକ ପଂଚାୟତ ଧ୍ବଂସ ସ୍ତୁପରେ ପରିଣତ ହୋଇଥିଲା। ତେବେ ଏହା ପରଠାରୁ ବିଭିନ୍ନ ଅଂଚଳରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ବାତ୍ୟା ପ୍ରବଣ ଅଂଚଳରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା। ସେଠାରେ ଓସ୍ଡମା ପକ୍ଷରୁ ବାତ୍ୟା ତଥା ବନ୍ୟା ସମୟରେ ବିପନ୍ନ ମାନଙ୍କୁ ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ଯୋଗାଇବା ପାଇଁ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ଓ ବିଭିନ୍ନ ସରଞ୍ଜାମ ରଖାଯାଇଥିଲା। କୁଜଙ୍ଗ ବ୍ଳକର ୧୪ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା। ପାରାଦୀପ ଲକ ଥାନା ସନ୍ନିକଟ, ନୂଆଗଡ, ନିମିଢି, ପିପଳ, ମଙ୍ଗରାଜପୁର, ଫତେପୁର, ଗଣ୍ତକିପୁର, ବଉଳାଙ୍ଗ, ପାନପଲ୍ଲୀ, ବଡବନ୍ଧ, ସାହାରାଡିଆ, ଜିଲ୍ଲାନାସୀ, ବଡବାଲିକଣୀ, କାଠକୋଟ(ବାଣେସରା) ଆଦି ୧୪ଟି ସ୍ଥାନରେ ଏହା ନିର୍ମାଣ କରାଯାଇଥିଲା। ପରେ ଉକ୍ତ କେନ୍ଦ୍ର ମାନଙ୍କରେ ଦୁଇଟି ଲେଖାଏ ଆସ୍କା ଲାଇଟ, (ଦାମ ୬ ଲକ୍ଷ), ଦୁଇଟା ଚେନସ(କଟର), ଡ଼ିଜି ସେଟ, ସାଇରନ , କ୍ୟାଟରିଙ୍ଗ ସେଟ(୧୫୦୦–୨୦୦୦ ଲୋକଙ୍କ ପାଇଁ), ଲାଇଫ ଜାକେଟ, ଲାଇଫ ବୟ ଆଦି ସାଜ, ସରଞ୍ଜାମ ଯୋଗାଇ ଦିଆଯାଇଥିଲା। ଏହାର ମୂଲ୍ୟ ଆକଳନ କଲେ ପ୍ରତ୍ୟେକ କେନ୍ଦ୍ର ପାଇଁ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ଏହି ସରଞ୍ଜାମ ପ୍ରଦାନ କରାଯାଇଥିଲା।
ବାତ୍ୟା ଆଶ୍ରୟସ୍ଥଳୀ ଓ ଏହି ସରଞ୍ଜାମର ରକ୍ଷଣାବେକ୍ଷଣ ପାଇଁ ବାତ୍ୟାଶ୍ରୟ ରକ୍ଷଣାବେକ୍ଷଣ କମିଟି ଗଠନ କରାଯାଇଥିଲା। ପ୍ରତ୍ୟେକ କେନ୍ଦ୍ର ଅଧୀନରେ ସ୍ବେଚ୍ଛାସେବୀ ମାନେ ତାଲିମପ୍ରାପ୍ତ ହୋଇ ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ଯୋଗାଇବାକୁ ପ୍ରସ୍ତୁତ ହୋଇ ରହିଥିଲେ। କିନ୍ତୁ ଏବେ ଏସବୁ ଉପକରଣ ଗୁଡିକ ପ୍ରାୟତଃ ଆଉ କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ଅନେକ କେନ୍ଦ୍ର ମାନଙ୍କରେ ଏହାକୁ ବିକ୍ରି କରିଦିଆଯାଇଥିବାବେଳେ କେଉଁଠାରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ବି ଆଉ ନାହାନ୍ତି। କେବଳ ବାତ୍ୟାଶ୍ରୟ ରକ୍ଷଣାବେକ୍ଷଣ କମିଟି ନାମକୁ ମାତ୍ର ରହିଛି। ଏହାର ସମ୍ପାଦକ ମାନଙ୍କ ହେପାଜତରେ ଏହି ସମସ୍ତ ସରଞ୍ଜାମ ରଖାଯାଇଛି। କେତେକ ବାତ୍ୟା ଆଶ୍ରୟସ୍ଥଳୀରେ ସମ୍ପାଦକ ମାନେ ୨୨ ବର୍ଷ ପର୍ଯ୍ୟନ୍ତ ଦାୟିତ୍ବରେ ରହିଛନ୍ତି। ରାଜନୈତିକ ଚାପ ଫଳରେ ସେମାନଙ୍କୁ ବଦଳା ଯାଇ ପାରୁ ନଥିବା ମଧ୍ୟ ଅଭିଯୋଗ ହେଉଛି। ମହାବାତ୍ୟା ପରେ ଗତ ୨୩ ବର୍ଷ ମଧ୍ୟରେ ଫାଇଲିନ, ହୁଡହୁଡ ଅମ୍ଫାନ, ତିତିଲ, ଫନି ପରି ଅନେକ ଛୋଟବଡ ବାତ୍ୟା ସହିତ ଅନେକ ପ୍ରଳୟଙ୍କାରୀ ବନ୍ୟା ମଧ୍ୟ ହୋଇଛି। ମାତ୍ର ଏହି ଆଶ୍ରୟସ୍ଥଳୀ ଓ ସାଜ ସରଞ୍ଜାମ କେଉଁ କାମରେ ଲାଗି ନାହିଁ। ତେବେ ସରକାର ତୁରନ୍ତ ଏହି କେନ୍ଦ୍ରଗୁଡିକ କାର୍ଯ୍ୟକ୍ଷମ କରିବ ସହିତ ସମସ୍ତ ସାଜସରଞ୍ଜାମକୁ ମଧ୍ୟ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି। ଏ ସମ୍ପର୍କରେ କୁଜଙ୍ଗ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ ସମସ୍ତ ବାତ୍ୟ ଓ ବନ୍ୟା ଆଶ୍ରୟସ୍ଥଳ ସହିତ ସରଞ୍ଜାମ ସମୂହ ଠିକ ଅବସ୍ଥାରେ ଅଛି ବୋଲି କହିଛନ୍ତି। ଯେଉଁଠାରେ ରକ୍ଷଣାବେକ୍ଷଣ ଆବଶ୍ୟକ ରହିଛି ତାହା ତୁରନ୍ତ କରାଯିବ। ତେବେ ଏନେଇ ସରକାରଙ୍କ ପକ୍ଷରୁ ଯାହା ନିେର୍ଦ୍ଦଶ ଆସିବ ଆମେ ତାହା ପାଳନ କରିବୁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/CYCLONE-SHELTER_6.jpg)