ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ଶୋକ

ବାରିପଦା: ବିଶିଷ୍ଟ ଭୂବିଜ୍ଞାନୀ, ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ଶ୍ରୀଯୁକ୍ତ ମହାପାତ୍ର ବାର୍ଦ୍ଧକ୍ୟ ଜନିତ ରୋଗରେ ଚିକିତ୍ସାଧୀନ ଥିବାବେଳେ ଆଜି ପରଲୋକ ଗମନ କରିଛନ୍ତି। ୧୯୩୬ ମସିହାରେ ବାରିପଦାରେ ଜନ୍ମିତ ଶ୍ରୀଯୁକ୍ତ ମହାପାତ୍ର ଆଇ.ଆଇ.ଟି ଖଡଗପୁରରୁ ଭୂତତ୍ତ୍ବ ଓ ଭୂଭୌତିକ ଶାସ୍ତ୍ରରେ ସ୍ନାତକପ୍ରାପ୍ତ ହୋଇ ୧୯୫୭ ମସିହାରେ ଓଡିଶା ରାଜ୍ୟ ଖଣି ଏବଂ ଭୂବିଜ୍ଞାନ ବିଭାଗରେ ଜିଓଲୋଜିଷ୍ଟ ଭାବରେ ଯୋଗ ଦେଇଥିଲେ। ୧୯୯୪ ମସିହାରେ ନିର୍ଦ୍ଦେଶକ (ଖଣି ଏବଂ ଭୂବିଜ୍ଞାନ) ଭାବରେ ଅବସର ନେଇଥିଲେ ।

ଆଇ.ଆଇ.ଟି ଖଡଗ୍‌ପୁର ତରଫରୁ ସେ “ବିଶିଷ୍ଟ ଆଲୁମ୍‌ନସ୍‌” ପୁରସ୍କାର ପାଇବାର ବିରଳ ଗୌରବ ଅର୍ଜ୍ଜନ କରିଥିଲେ । ଏକ ସଫଳ ଭୂବିଜ୍ଞାନୀଠୁ ବେଶୀ ପରିଚୟ ତାଙ୍କର ଥିଲା ଏକ  କାଳଜୟୀ ସଙ୍ଗୀତ ନିର୍ଦ୍ଦେଶକ ହିସାବରେ । ପିଲାଦିନୁ ସଙ୍ଗୀତ ପ୍ରତି ରୁଚି ରଖିଥିବା ଶ୍ରୀଯୁକ୍ତ ମହାପାତ୍ର ସଙ୍ଗୀତ ନାରାୟଣ ବାଞ୍ଛାନିଧି ପଣ୍ଡାଙ୍କ ଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ । ଦୀର୍ଘ ଛଅ ଦଶନ୍ଧି ଧରି ସେ ଓଡ଼ିଶାର ସଙ୍ଗୀତ ଜଗତରେ ପ୍ରଭାବ ବିସ୍ତାର କରି ଖାଲି ଓଡ଼ିଆ ସହିତ ହିନ୍ଦୀ, ବଙ୍ଗାଳୀ, ଅହମିୟା ଓ ତେଲୁଗୁ ଭାଷାରେ ସଙ୍ଗୀତ ସୃଷ୍ଟି କରିଥିଲେ । ମୟୂରଭଞ୍ଜର ଛଉ ନୃତ୍ୟର ପ୍ରସାରରେ ସେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ । ତାଙ୍କର ବିୟୋଗ ଓଡିଶାର ଭୂବିଜ୍ଞାନ ଜଗତ ଓ ସଙ୍ଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କିଶୋର କୁମାର ବସା ମତପ୍ରକାଶ କରିଛନ୍ତି। ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ତରଫରୁ ଶ୍ରୀଯୁକ୍ତ ମହାପାତ୍ରଙ୍କ ଅମର ଆତ୍ମାର ସଦ୍‌ଗତି କାମନା ପୂର୍ବକ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି।

ସାହିତ୍ୟ ସଂସ୍କୃତି ବିକାଶମଞ୍ଚ

ବାରିପଦା: ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ମଞ୍ଚ କାର୍ଯ୍ୟାଳୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ସଭାପତି ସରୋଜ କୁମାର ନାୟକ, କବି ଅମିତାଭ ମିଶ୍ର, ଅଧ୍ୟାପକ ଅଶୋକ କୁମାର ପୃଷ୍ଟି, ବରିଷ୍ଠ ସଭ୍ୟ ଅନୁପ କୁମାର ଦାଶ, ବାବି କୁମାର ମହାନ୍ତ ପ୍ରମୁଖ ସ୍ବର୍ଗତଃ ମହାପାତ୍ରଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ବର୍ଗତଃ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନ କରାଯାଇଥିଲା।

ସମ୍ବନ୍ଧିତ ଖବର