ଭିସୁଟ୍‌ରେ ଅଧ୍ୟାପକ ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ

ବୁର୍ଲା: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଜନୈକ ଅଧ୍ୟାପକଙ୍କ ମଧ୍ୟରେ ବିବାଦ ଉପୁଜିଥିବା ଜଣାପଡିଛି। ତେବେ ଏହି ବିବାଦ ଯେ ଏବେ ଉପୁଜିଛି ତାହା ନୁହେଁ ଏହା ପୂର୍ବରୁ ମଧ୍ୟ ଉକ୍ତ ଅଧ୍ୟାପକ ଜଣକ ଅନେକ ଥର କୁଳପତି, କୁଳସଚିବ ତଥା ଶିକ୍ଷାନୁଷ୍ଠାନ ବିରୁଦ୍ଧରେ ବିଭ୍ରାନ୍ତିକର ମିଥ୍ୟା ବିବୃତି ବିଭିନ୍ନ ସୋସିଆଲ ମିଡିଆରେ ଦେଇଥିବା ଜଣାପଡିଛି। କିନ୍ତୁ ସେ ସମୟରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉକ୍ତ ଅଧ୍ୟାପକଙ୍କୁ ମୌଖିକ ଭାବେ ଚେତାବନୀ ଦେଇ ଛାଡି ଦିଆଯାଉଥିଲା। କିନ୍ତୁ ବାରମ୍ବାର ମନା କରିବା ସତ୍ତ୍ୱେ ସେ ଅନୁଷ୍ଠାନକୁ  ବଦନାମ କରିବା ଉଦ୍ଦେଶ୍ୟରେ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରୁଥିବାରୁ ତାଙ୍କୁ ଏନେଇ ଲିଖିତ ଭାବରେ ଏକ କାରଣ ଦର୍ଶାଅ ନୋଟିସ୍ ଗତ ଶନିବାର ଦିନ ଜାରି କରାଯାଇଛି।

ଆଗାମୀ ୭ ଦିନ ମଧ୍ୟରେ ଅର୍ଥାତ ୧୦ ତାରିଖ ମଧ୍ୟରେ କାରଣ ଦର୍ଶାଅ ନୋଟିସର ଉପଯୁକ୍ତ ଉତ୍ତର ସହିତ ଅଭିଯୋଗ କରିଥିବା ଅଧିକାରୀ ଓ ଅନିୟମିତତା ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିବେ ଏବଂ ଯଦି ଏହାର ସନ୍ତୋଷଜନକ ଉତ୍ତର ନମିଳେ ତେବେ ନିୟମ ଅନୁଯାୟୀ ଉକ୍ତ ଅଧ୍ୟାପକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ସୂଚନା ଅନୁସାରେ ଅଧ୍ୟାପକ ଜଣକ ଇ-ମେଲ୍ ଜରିଆରେ ବିଶ୍ଵବିଦ୍ୟାଳୟର ରାଇଟ୍ ଅପ୍ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ। ରାଇଟ୍ ଅପ୍ ପ୍ରକ୍ରିୟା ଗୋଟିଏ ପ୍ରକ୍ରିୟାରେ ଯେଉଁଥିରେ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗ ପାଇଁ ଆବଶ୍ୟକ ଥିବା ଉପକରଣ କିଣାବିକା କରାଯାଇଥାଏ। କିନ୍ତୁ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରକ୍ରିୟାରେ ଏକ କମିଟି ଗଠନ କରା ଯାଇଥିଲା। କମିଟିର ଅନୁମୋଦନ ପରେ ଉକ୍ତ ଉପକରଣମାନ କିଣାବିକା ହୋଇଥିଲା। ଏ ସମ୍ବନ୍ଧରେ ଭିସୁଟ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା କଥାକୁ ସ୍ବୀକାର କରିବା ସହିତ ଏହା ଅନୁଷ୍ଠାନର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିବାରୁ ଏ ବିଷୟରେ ଆଲୋଚନା କରିବା ପାଇଁ ମନା କରିଥିଲେ। ପ୍ରକ‌ାଶ ଥାଉକି ସଂପୃକ୍ତ ଅଧ୍ୟାପକ ଭିସୁଟର ପୂର୍ବତନ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କ କାର୍ଯ୍ୟକାଳ ବେଳେ ଅନେକ ସମୟ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ।

ସମ୍ବନ୍ଧିତ ଖବର