ମାଲକାନଗିରି: ମାଲକାନଗିରି ସଦର ମହକୁମାର ବାଲିସାଗର ତଳି ଅଂଚଳରେ ରହୁଥିବା ୨୨ ପରିବାର ବର୍ଷା ଦିନେ ନାହିଁ ନଥିବା ହଇରାଣ ହେଉଥିଲେ।ବର୍ଷା ପାଣି ପ୍ରତିବର୍ଷ ତଳି ଅଂଚଳରେ ରହିଥିବା ସାହି ଦେଇ ବର୍ଷା ଜଳ ବାଲିସାଗରରେ ଭର୍ତ୍ତି ହେଉଥିଲା।ଏବେ ବାଲିସାଗର ପୁନଃଉଦ୍ଧାର ଚାଲିଥିବା ବେଳେ ଏହାର ହିଡ ପ୍ରାୟ ୨୦ ଫୁଟ ଉଚ୍ଚ ହୋଇଯାଇଛି।ଯାହା ଫଳରେ ପାଣି ବାଲିସାଗର ଭିତରେ ଭର୍ତ୍ତି ନହୋଇପାରି ତଳି ଅଂଚଳରେ ବାସ କରୁଥିବା ଘରଗୁଡିକରେ ପାଣି ପଶିଯାଉଛି।ବାଲିସାଗର ତଳି ଅଂଚଳରେ ରହୁଥିବା ସମସ୍ତ ପରିବାରର ଜିନିଷ ପତ୍ର ପାଣିରେ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି।ଏନେଇ ଜିଲ୍ଲା କଂଗ୍ରେସ ବାରମ୍ବାର ଜିଲ୍ଲା ପ୍ରଶାସନ ଏବଂ ପୌର ପରିଷଦ ନିକଟରେ ଫେରାଦ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା।

Advertisment

ଆଜି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଏକ ଟିମ ଜିଲ୍ଲାପାଳ ସଚିନ ପାଵାରଙ୍କୁ ଭେଟି ସମସ୍ତ ବିଷୟରେ ଅବଗତ କରାଇଥିଲେ।ନିଜେ ଜିଲ୍ଲାପାଳ ଶ୍ରୀ ପାଵାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବେ ବୋଲି କହିବା ପରେ କଂଗ୍ରେସର ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ।ଜିଲ୍ଲାପାଳ ଆସି ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ତୁରନ୍ତ ପୌର ପରିଷଦ ଏବଂ ତହସିଲଦାରଙ୍କୁ ତଳି ଅଂଚଳରେ ବାସ କରୁଥିବା ୨୨ ପରିବାରକୁ ଆଶ୍ରୟ ସ୍ଥଳୀଗୁଡିକରେ ଥଇଥାନ କରିବା ସହ ସକାଳର ଜଳଖିଆ ଓ ଦିନରାତି ଖାଦ୍ୟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ।୨୨ ପରିବାକକୁ ଅନ୍ୟତ୍ର ଥଇଥାନ ନକରିବା ପର୍ଯ୍ୟନ୍ତ ସମସ୍ତେ ଆଶ୍ରୟ ସ୍ଥଳୀରେ ରହିବା ସହ ମାଗଣାରେ ଖାଦ୍ୟ ପାଇପାରିବେ ବୋଲି କୁହାଯାଇଛି।ତେବେ କଂଗ୍ରେସର ଏହି ପଦକ୍ଷେପକୁ ଲୋକମାନେ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ।କଂଗ୍ରେସର ଏହି ଟିମରେ ଜି.ଶ୍ରୀନିବାସ ରାଓ,ପର୍ଶୁରାମ ଭକ୍ତ,କେସୁ ରାଓ,କୃଷ୍ଣ ଚନ୍ଦ୍ର ଅନୁଗୁ ପ୍ରମୁଖ ଉପସ୍ଥିତ ଥିଲେ।