ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ବୃଦ୍ଧି ଯୋଗୁ ସାଧାରଣ ଜନତା ତ୍ରାହି ତ୍ରାହି ଡାକିଲେଣି: ତାରା

କଂଗ୍ରେସର କର୍ମୀ ସମ୍ମିଳନୀ ଏବଂ ସାଧାରଣ ସଭା

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରେ ଆଜି କଂଗ୍ରେସର କର୍ମୀ ସମ୍ମିଳନୀ ଏବଂ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ବୀରଖମ୍ବ ପୋଲ ନିକଟରୁ ବାଇକ୍ ରାଲିରେ ହାଟପଦା ଯାଏ ପାଛୋଟି ନେଇଥିଲେ। ଆୟୋଜିତ ସାଧାରଣ ସଭାରେ ବୈପାରିଗୁଡା ବ୍ଲକ କଂଗ୍ରେସ ସଭାପତି ଗୈାରଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ତାରା ବାହିନୀପତି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ପୂର୍ବତନ ବାଲୁଗାଁ ବିଧାୟକ ଭୁଜବଳ ମାଝୀ,ନିମାଇ ସରକାର, ବିଧାୟକ ପ୍ରାର୍ଥୀ କୃଷ୍ଣ କୁଲଦୀପ, ରୂପକ୍ ତୁରୁକୁ, ନଳିନୀ ରଥ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟନାୟକ, କୁନ୍ଦୁରା ବ୍ଲକ ଅଧ୍ୟକ୍ଷ ସୁରେନ୍ଦ୍ର ପରଜା, କୁନ୍ଦୁରା କଂଗ୍ରେସ ବ୍ଲକ ସଭାପତି ଗୋଲକ ପଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।

ମୁଖ୍ୟ ଅତିଥି ଶ୍ରୀ ବାହିନୀପତି ନିଜ ବକ୍ତବ୍ୟରେ କେନ୍ଦ୍ରରେ ଚାଲିଥିବା ବିଜେପି ସରକାରଙ୍କ ଗରିବ ମାରଣା ନୀତିର ତୀବ୍ର ସମାଲୋଚନା କରିଥିଲେ। ଗ୍ୟାସ, ପେଟ୍ରୋଲ, ଡିଜେଲ ଏବଂ ଖାଇବା ତେଲ ଠାରୁ ଆରମ୍ଭ କରି ଡାଲି,ଆଳୁ ଓ ପିଆଜ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ବୃଦ୍ଧି ଯୋଗୁ ସାଧାରଣ ଜନତା ତ୍ରାହି ତ୍ରାହି ଡାକିଲେଣି। ବିଜେପିର ଏହି ଗରିବମାରଣା ନୀତିର ଉଚିତ ଜବାବ ଦିଆଯିବାର ସମୟ ଆସି ପହଞ୍ଚିଛି। ରାଜ୍ୟର ବିଜେଡ଼ି ସରକାର ପୂର୍ବରୁ ବିଜେପି ସହ ମିଶି ରାଜ୍ୟକୁ ଲୁଟିଥିବା ବେଳେ ଏବେ ଅଲଗା ହୋଇ ମଧ୍ୟ ରାଜ୍ୟକୁ ଲୁଟି ଚାଲିଛନ୍ତି ବୋଲି ପ୍ରକାଶ କରିଥିଲେ। ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ସମସ୍ତ କଂଗ୍ରେସ କର୍ମୀଙ୍କୁ ଏକଜୁଟ ହେବାସହ ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ କରିବା ପାଇଁ ଆହ୍ୱାନ ଦେବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀମାନଙ୍କୁ ବିଜୟୀ କରାଇବା ପାଇଁ ପରାମର୍ଶ ଦେଇଥିଲେ।

ବରିଷ୍ଠ କଂଗ୍ରେସ ନେତା ପି. ରମେଶ ପାତ୍ର ପ୍ରଧାନମନ୍ତ୍ରୀଙ୍କ ଅଛେଦିନ ଆଏଗା ସଂପର୍କରେ ଆଲୋଚନା କରି ଏବେ ସମସ୍ତଙ୍କ ପାଇଁ କିପରି ଅଛେଦିନ ଆସିଛି ବୋଲି ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ୪୫୦ ଜଣ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଚାରି ହଜାରରୁ ଉର୍ଦ୍ଧ୍ଵ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ଗାୟତ୍ରୀ ନାୟକଙ୍କୁ ବ୍ଲକ ମହିଳା ସଭାନେତ୍ରୀ ଏବଂ ଧନେଶ୍ଵର ମାଝୀଙ୍କୁ ବ୍ଲକ କଂଗ୍ରେସ କୃଷକ ସେଲର ସଭାପତି ରୂପେ ମନୋନୀତ କରାଯାଇଥିଲା। ଏହାଛଡ଼ା ବରିଷ୍ଠ କଂଗ୍ରେସ ନେତା ପି. ରମେଶ ପାତ୍ରଙ୍କୁ ଜିଲ୍ଲାପରିଷଦ ୧ ପ୍ରାର୍ଥୀ ରୂପେ ଚୟନ କରାଯାଇଥିବା ଘୋଷଣା କରାଗଲା। ଏହି ବିପୁଳ ଜନସମାଗମକୁ ଲକ୍ଷ୍ୟ କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ବ୍ଲକର ରାଜନୈତିକ ଚକ୍ର ବଦଳିଯାଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି। ଏହି କଂଗ୍ରେସ କର୍ମୀ ସମ୍ମିଳନୀରେ ସତ୍ୟନାରାୟଣ ମହାନ୍ତି, ବାଲାଜୀ ରାଓ, ମହେନ୍ଦ୍ର ଦଳେଇ, ଜଗନ୍ନାଥ ବିଷୋୟୀ, ରଘୁନାଥ ମାଳି, ଏମ୍. ଅଶୋକ କୁମାର, ଜିତୁ ମହାପାତ୍ର, ଧନପତି ଖିଲ, ବଳରାମ ନାୟକ,ମୋହନ ଶ୍ରୀକର୍ଲିଆ, ଘାସି ନାଗ,ବବୁଲୁ ପାଳ,ଅଭି ଗୈାଡ, କର୍ଣ୍ଣ ଖରା, କେଶବ ବାରିକ, ରଘୁରାମ ନାୟକ, ଅରୁଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର