ବେଗୁନିଆ/ଖୋର୍ଦ୍ଧା: ବେଗୁନିଆ କଡ଼ବ ଗାଁର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କୁ ରାଷ୍ଟ୍ରୀୟ ସାମାଜିକ ନ୍ୟାୟମଂଚ ଓ ମାନବବାଦୀ ସଂଗଠନର ସଦସ୍ୟ ମାନେ ଅପହରଣ କରି ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ଆଜି କଂଗ୍ରେସର ଅନୁସୂଚିତ ଜାତି ସେଲ୍ର ରାଷ୍ଟ୍ରୀୟ ସଂଯୋଜକ ଓ ସେଲ୍ର ଓଡ଼ିଶା ପ୍ରଭାରୀ ହିତେନ୍ଦ୍ର ବିଥାଡିଆଙ୍କ ନେତୃତ୍ୱରେ ଏକ ଟିମ୍ ପୀଡ଼ିତ ଓ ତାଙ୍କ ପରିବାରକୁ ଭେଟିଛନ୍ତି। ଆଜି ପୀଡ଼ିତ ଓ ତାଙ୍କ ପରିବାର ସହ ଆଲୋଚନା କରିବା ପରେ ହିତେନ୍ଦ୍ର ଗଣମାଧ୍ୟମକୁ କହିଛନ୍ତି ଯେ ସେ ଓଡ଼ିଶା ରାଜ୍ୟପାଳଙ୍କୁ ଭେଟି ଓଡ଼ିଶାରେ ଦଳିତଙ୍କ ଉପରେ ହେଉଥିବା ଆକ୍ରମଣ ଓ ଅତ୍ୟାଚାର ସମ୍ପର୍କରେ ଚିନ୍ତାପ୍ରକଟ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କଡ଼ବ ଘଟଣା ସମ୍ପର୍କରେ ସେ ବିଭିନ୍ନ ସାମାଜିକ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ। ଏହାପରେ ସେ ସେମାନଙ୍କ ସହ ସାକ୍ଷାତ କରି ସମସ୍ତ ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି। ସରକାରଙ୍କ ଗୁରୁଜୀ, ଶାସକ ଦଳର ନେତାଙ୍କ ସଂରକ୍ଷଣରେ ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି।
ଅପରାଧୀ ପୁଲିସର ସୁରକ୍ଷାରେ ଜଣେ ଦଳିତଙ୍କୁ ହତ୍ୟା ମଧ୍ୟ କରିଛନ୍ତି। ଏଥିପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ। ରାଜ୍ୟରେ ଶାସନ ଓ ସମ୍ବିଧାନିକ ବ୍ୟବସ୍ଥା ଭୁଷୁଡ଼ିଯାଇଛି। ବିଜେପି ଓ ଆଇଏସ୍ଏସ୍ ଭଳି ବିଜେଡି ରାଜ୍ୟରେ ଗୁଣ୍ଡାଶାସନ କରିବାକୁ ଚାହୁଁଛି। ଏକ ଦଳ ଭାବେ ଏଭଳି ଘଟଣାକୁ ନିନ୍ଦା କରୁନାହିଁ ଏକ ମଣିଷ ଭାବେ ପୀଡ଼ିତଙ୍କ ପରିବାରଙ୍କୁ ସମର୍ଥନ କରୁଛି। ଯଦି ପୀଡ଼ିତଙ୍କ ନ୍ୟାୟ ନମିଳେ ତେବେ କଂଗ୍ରେସ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ। ଏହି ଗସ୍ତରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ଅନୁସୂଚିତ ଜାତି ସେଲ୍ର ବାଙ୍କନିଧୀ ବେହେରା, ସ୍ଥାନୀୟ କଂଗ୍ରେସ ନେତା ପ୍ରଦୀପ ସାହୁ ଓ ଅନ୍ୟ କଂଗ୍ରେସ ସଦସ୍ୟ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/AICC-SC-cell-coordinator-at-Begunia-khordha-1.jpeg)