ଗୁଣପୁରରେ ୧୫ ୱାର୍ଡରେ ପ୍ରାର୍ଥୀ ଦେଇ ପାରିଲାନି କଂଗ୍ରେସ

ରାୟଗଡ଼ାରେ ବିଜେପି ଗୋଟିଏ, କଂଗ୍ରେସ ୩ ୱାର୍ଡରେ ଦେଇ ପାରିଲାନି ପ୍ରାର୍ଥୀ

ରାୟଗଡ଼ା: ନିଜ ଗଡ଼ରେ ଧରାଶାୟୀ ହେବାରେ ଲାଗିଛି କଂଗ୍ରେସ। ଏକଦା ଗୁଣପୁର ପୌର ପରିଷଦରେ ଏକତରଫା ବିଜୟ ହାସଲ କରୁଥିବା କଂଗ୍ରେସ ଶିବିରରେ ଏବେ ପ୍ରାର୍ଥୀ ସଙ୍କଟ ଦେଖିବାକୁ ମିଳିଛି। ଚଳିତ ପୌର ନିର୍ବାଚନରେ ଗୁଣପୁର ପୌର ପରିଷଦର ୧୯ଟି ୱାର୍ଡରୁ ଦଳ ମାତ୍ର ୪ଟି ୱାର୍ଡରେ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇଛି। ଅନ୍ୟ ୧୫ଟି ୱାର୍ଡରେ କଂଗ୍ରେସ ପକ୍ଷରୁ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି। ଯାହା କଂଗ୍ରେସ ନେତୃତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗୁଣପୁର ପୌର ପରିଷଦର ୧୯ଟି ୱାର୍ଡରେ ନିର୍ବାଚନ ପାଇଁ ଶେଷ ହୋଇଥିବା ନାମାଙ୍କନ ଦାଖଲ ପ୍ରକ୍ରିୟାରେ ସବୁଠୁ ପଛରେ ପଡିଛି କଂଗ୍ରେସ। ପୌରାଧ୍ୟକ୍ଷ ପଦବି ପାଇଁ ରୀନା ଶବର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ମାତ୍ର ୪ଟି ୱାର୍ଡରେ କାଉନସିଲର ପାଇଁ ପ୍ରାର୍ଥପତ୍ର ଦାଖଲ ହୋଇଛି। ୬ନଂ ୱାର୍ଡରୁ ସୁନୀଲ କୁମାର ପାତ୍ର, ୧୧ ନଂ ୱାର୍ଡରୁ ଶିବ ପ୍ରସାଦ ଗୌଡ, ୧୬ ନଂ ୱାର୍ଡରୁ ସନ୍ତୋଷ ନିମାଲା, ୧୭ ନଂ ୱାର୍ଡରୁ ଭବାନୀ ଶବର ପ୍ରାର୍ଥୀ ହୋଇଛନ୍ତି। ଅନ୍ୟ ୧୫ଟି ୱାର୍ଡରେ ନିର୍ବାଚନ ପୂର୍ବରୁ ହିଁ ଦଳୀୟ ପ୍ରାର୍ଥୀ ଆତ୍ମସମର୍ପଣ କଲା ଭଳି ନାମାଙ୍କନ ଦାଖଲ ପ୍ରକ୍ରିୟାରୁ ଦୂରେଇ ରହିଛନ୍ତି।

୨୦୧୩ରେ ଅନୁଷ୍ଠିତ ପୌର ନିର୍ବାଚନରେ କଂଗ୍ରେସ ସମସ୍ତ ୱାର୍ଡରେ ପ୍ରାର୍ଥୀ ଦେଇଥିଲା। ମାତ୍ର ୨ଟି ୱାର୍ଡରେ ବିଜୟୀ ହୋଇଥିଲେ ମଧ୍ୟ ଅନ୍ୟ ସମସ୍ତ ୱାର୍ଡରେ ଶାସକ ବିଜେଡିକୁ କଡା ଟକର୍ ଦେଇଥିଲା। ଚଳିତ ନିର୍ବାଚନରେ ଦଳ ଲଢ଼ିବା ପରିବର୍ତ୍ତେ ନିର୍ବାଚନରୁ ସଂପୂର୍ଣ୍ଣ ଓହରିଯିବା ସମସ୍ତଙ୍କୁ ଚକିତ କରିଛି। ରାଜ୍ୟର ଅନ୍ୟ ଜିଲ୍ଲା ଭଳି ରାୟଗଡ଼ାରେ କଂଗ୍ରେସ ସଂଗଠନ ଅତ୍ୟନ୍ତ ଦୁର୍ବଳ ନୁହେଁ। ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଦଳ ୬ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଥିବା ବେଳେ ଗୁଣପୁର ବ୍ଲକର ୨ ଆସନରେ ବିଜେଡିର ହେଭିୱେଟ୍ ନେତାଙ୍କୁ ପରାଜୟର ସ୍ବାଦ ଚଖାଇଛି। ଏହା ସତ୍ତ୍ବେ କେଉଁ କାରଣ ପାଇଁ ଗୁଣପୁର ପୌର ପରିଷଦରେ ପ୍ରାର୍ଥୀ ଦେବାରୁ କଂଗ୍ରେସ ଦୂରେଇ ରହିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏ ସଂପର୍କରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗଙ୍କୁ ପଚାରିବାରୁ ପୌରାଧ୍ୟକ୍ଷା ପଦବି ପାଇଁ ଆମେ ଅଧିକ ଗୁରୁତ୍ବ ଦେଉଛୁ। ବିଭିନ୍ନ ସମସ୍ୟା ଯୋଗୁ ୧୫ଟି ୱାର୍ଡରେ ଆମେ ପ୍ରାର୍ଥୀ ଦେଇପାରୁନି ବୋଲି କହିଛନ୍ତି। ପୂର୍ବ ନିର୍ବାଚନରେ ଦଳର ମଙ୍ଗ ସମ୍ଭାଳୁଥିବା ବରିଷ୍ଠ କଂଗ୍ରେସ ନେତା ପୁରୁଷୋତ୍ତମ ଗମାଙ୍ଗଙ୍କ ୨୦୨୦ ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପରଠୁ ଗୁଣପୁର କଂଗ୍ରେସରେ ନେତୃତ୍ବ ସଙ୍କଟ ଦେଖା ଦେଇଛି। ପୁରୁଷୋତ୍ତମଙ୍କ ଅବର୍ତ୍ତମାନରେ ଦଳ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗଙ୍କ ହାତରେ ଦଳୀୟ ସଂଗଠନକୁ ନ୍ୟସ୍ତ କରିଛି। କିନ୍ତୁ ଦୃଢ଼ ସଂଗଠନ ଅଭାବରୁ ଦିନକୁ ଦିନ ଗୁଣପୁର କଂଗ୍ରେସ ଦୁର୍ବଳ ହେବାରେ ଲାଗିଛି। ୧୯୯୫ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଗୁଣପୁରରେ କଂଗ୍ରେସର ଦବଦବା ରହିଥିଲା। ୧୯୯୨ରେ ପୌରାଧ୍ୟକ୍ଷ ପାଇଁ ଅନୁଷ୍ଠିତ ସିଧାସଳଖ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏହା ପରଠୁ ଉଭୟ ଗୁଣପୁର ବିଧାନସଭା ଓ ପୌର ପରିଷଦରେ ବିଜୟୀ ପାଇଁ ଦଳ ସଂଘର୍ଷ କରି ଆସୁଛି।

ସମ୍ବନ୍ଧିତ ଖବର