ଜଗନ୍ନାଥଙ୍କ ମୂର୍ତ୍ତି ଧରି ପ୍ରଚାରକୁ ବିରୋଧ କଲା କଂଗ୍ରେସ, ସମ୍ବିତ ପାତ୍ରଙ୍କ ନାଁରେ ଆଣିଲା ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ୱର/ପୁରୀ: ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରି ନିର୍ବାଚନ ପ୍ରଚାରକୁ କଂଗ୍ରେସ ବିରୋଧ କରିଛି। ଏ ନେଇ କଂଗ୍ରେସ ପୁରୀ ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୋଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ଆଣିଛି।

ସୂଚନାଯୋଗ୍ୟ ନିର୍ବାଚନ ପ୍ରଚାର ବେଳେ ସମ୍ବିତ ପାତ୍ର ଭଗବାନ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରି ପ୍ରଚାର କରିଥିଲେ। ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ସୋମବାର ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକ ଠାରୁ ଏକ ଶୋଭାଯାତ୍ରାରେ ପିପିଲି, ସାକ୍ଷୀଗୋପାଳ ଦେଇ ପୁରୀରେ ପହଞ୍ଚି ଥିଲେ। ଶତାଧିକ ସମର୍ଥକଙ୍କ ସହିତ ଶ୍ରୀମନ୍ଦିର ଦର୍ଶନ କରି ଫେରିଯାଇଥିଲେ।

ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରି ନିର୍ବାଚନ ପ୍ରଚାର କରିବା ଆଚରଣ ବିଧିର ଉଲ୍ଲଂଘନ ବୋଲି କହିଛି କଂଗ୍ରେସ। ଏ ନେଇ ପ୍ରଦେଶ କଂଗ୍ରେସର ୬ ଜଣିଆ ପ୍ରତିନିଧି ଦଳ ସିଇଓଙ୍କ ନିକଟରେ ଫେରାଦ ହୋଇ ସମ୍ବିତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି । ପୂର୍ବରୁ ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ନିର୍ବାଚନରେ କୌଣସି ରାଜନୈତିକ ଦଳର ପ୍ରାର୍ଥୀ ଠାକୁରଙ୍କ ମୂର୍ତ୍ତି କିମ୍ବା ଫଟୋ ଧରି ପ୍ରଚାର କରିପାରିବେ ନାହିଁ ବୋଲି ପ୍ରତିବନ୍ଧକ ଲଗାଇଛନ୍ତି । କିନ୍ତୁ ଏହାକୁ ଖୋଲାଖୋଲି ଉଲଂଘନ କରିଛନ୍ତି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ।

ସେହିଭଳି ନିକଟରେ ଭୋପାଳରେ ମଧ୍ୟ ଏଭଳି ଭାବେ ରାମଙ୍କ ଫଟୋ ଧରି ପ୍ରଚାର କରିଥିବାରୁ ସମ୍ବିତ ପାତ୍ରଙ୍କ ନାଁରେ ୱାରେଣ୍ଟ ଆସିଛି ତେଣୁ ତୁରନ୍ତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି କଂଗ୍ରେସ ବୋଲି କହିଛନ୍ତି ମୁଖପାତ୍ର ନିଶିକାନ୍ତ ପାତ୍ର ।

ସମ୍ବନ୍ଧିତ ଖବର