କୋଇଡ଼ା: ସର୍ବଭାରତୀୟ କଂଗ୍ରେସ କମିଟିର ନିର୍ଦେଶକ୍ରମେ ଆଜି ପ୍ରେସ୍ବିଜ୍ଞପ୍ତି ଜରିଆରେ ରାଜ୍ୟର ୧୦ଟି ଜିଲ୍ଲା କମିଟି ସଭାପତି ଚୟନ କରାଯାଇଛି। ସେଥିମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲା କମିଟି ସଭାପତି ଭାବେ ବରିଷ୍ଠ କଂଗ୍ରେସନେତା ତଥା ବଣାଇର ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀଙ୍କୁ ଦାୟିତ୍ବ ମିଳିଛି। ଏହି ଅବସରରେ ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହ ଲୋକଙ୍କ ନିକଟତର ହେବାକୁ ପ୍ରାଧାନ୍ୟ ଦିଆଯିବ ବୋଲି ଶ୍ରୀ ଦେହୁରୀ କହିଛନ୍ତି।
୧୯୫୪ ମସିହା ଜୁନ୍ ୧୧ରେ କୋଇଡ଼ା ବ୍ଲକ୍ କମଣ୍ଡରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଦେହୁରୀଙ୍କ ରାଜନୈତିକ କ୍ୟାରିୟର ବେଶ୍ ଜଣାଶୁଣା। ଉଚ୍ଚଶିକ୍ଷା ପରେ ସେ କାଲଟା ସେଲ୍ ଖଣିରେ ସୁପରଭାଇଜର ଭାବେ ଚାକିରି କରିଥିଲେ ଓ ତାହାରି ମଧ୍ୟରେ ମାଇନିଂ ପାଠପଢ଼ି ସେହି ଖଣିରେ ମାଇନିଂ ମେଟ୍ ଭାବେ କାର୍ଯ୍ୟରତ ହେଲେ। ପରେ ପଦୋନ୍ନତି ପାଇ ବରସୁଆଁ ସେଲ୍ ଲୌହଖଣିରେ ମାଇନିଂ ଚାର୍ଜମ୍ୟାନ୍ ଭାବେ କାର୍ଯ୍ୟଭାର ତୁଲାଉଥିଲେ। ସେହି ସମୟରୁ ଶ୍ରମିକ ସଂଗଠନ ଦାୟିତ୍ଵ ତୁଲାଇଥିଲେ ଶ୍ରୀ ଦେହୁରୀ। ରାଜନୀତିରେ ରୁଚି ଯୋଗୁ ଚାକିରି ଛାଡ଼ି ସେ ୧୯୮୪ ମସିହାରେ ସରପଞ୍ଚ ପଦ ପାଇଁ କୋଇଡ଼ାରେ ନାମାଙ୍କନ କରି ନିର୍ବାଚିତ ହୋଇଥିଲେ। ନିଜର ଲୋକପ୍ରିୟତା ଯୋଗୁ ପାଞ୍ଚବର୍ଷ ପରେ ପୁନଃନିର୍ବାଚିତ ହୋଇଥିଲେ। ୧୦ ବର୍ଷ ସରପଞ୍ଚ ରହିଲା ପରେ ହିନ୍ଦ୍ ମଜ୍ଦୁର ସଭାର ସମ୍ପାଦକ ରହିଲେ। ଏହାସହିତ ବ୍ଲକ୍ ଯୁବକଂଗ୍ରେସ ସଭାପତି ୧୦ ବର୍ଷ ଓ ବ୍ଲକ୍ କଂଗ୍ରେସ ସଭାପତି ଭାବେ ୧୫ କାର୍ଯ୍ୟ ସମ୍ପାଦନ କଲେ। ପରେ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଭାବେ ୫ ବର୍ଷ ଦାୟିତ୍ବ ନେଇଥିଲେ। ୧୯୯୮ ମସିହାରେ ବଣାଇରୁ ବିଧାୟକ ହୋଇଥିଲେ। କଂଗ୍ରେସର ବରିଷ୍ଠକର୍ମୀ ଭାବେ ଆଜି ଯାଏଁ ସେ ରାଉରକେଲା ଶ୍ରମିକ ସଂଗଠନ ଉପସଭାପତି, ରାଜ୍ୟ ଆଇଏନ୍ଟିୟୁସିର ସମ୍ପାଦକ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି।
ରାଜନୀତି ବ୍ୟତୀତ ଶ୍ରୀ ଦେହୁରୀଙ୍କ ଶିକ୍ଷା ଓ ସମାଜସେବା ଅବଦାନ ରହିଛି। ଜିଲ୍ଲା କଂଗ୍ରେସ କମିଟି ସଭାପତି ଚୟନ ପରେ ତାଙ୍କୁ ସାରାରାଜ୍ୟରୁ ଶୁଭେଚ୍ଛାର ସୁଅ ଛୁଟିଛି। ହେଲେ ଶ୍ରୀ ଦେହୁରୀ କହିଛନ୍ତି ଯେ ଜୀବନସାରା କଂଗ୍ରେସ ପାଇଁ କାମକରି ଲୋକଙ୍କ ନିକଟତର ହୋଇପାରିଛି ଓ ସଭାପତି ଚୟନ ପରେ ଏବେ ଗୁରୁଦାୟିତ୍ଵ ମିଳିଛି। ଅନ୍ୟ ବରିଷ୍ଠ ସଦସ୍ୟଙ୍କୁ ନେଇ ଦଳୀୟ ସଂଗଠନ ସୁଦୃଢ଼ କରିବା ସହ ଲୋକଙ୍କ ପାଇଁ ସବୁବେଳେ କାର୍ଯ୍ୟ କରିବେ ବୋଲି ସେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/୧୨-1.jpg)