ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା କଂଗ୍ରେସର ପ୍ରସ୍ତୁତି: ଗାଁକୁ ଯାଅ, କଂଗ୍ରେସର ପୂର୍ବ ଗୌରବକୁ ଫେରାଇ ଆଣ: ମୀନାକ୍ଷୀ

ଜୟପୁର: ଗୋଟିଏ ପଟେ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅନ୍ୟ ପକ୍ଷରେ ଏବେ ସବୁ ରାଜନୈତିକ ଦଳ ଏହି ନିର୍ବାଚନରେ ନିଜ ନିଜ ଦଳ ସମର୍ଥନର ପ୍ରାର୍ଥୀ ସରପଞ୍ଚ, ସମିତିସଭ୍ୟ, ୱାର୍ଡସଭ୍ୟ, ଜିଲ୍ଲାପରିଷଦ ସଭ୍ୟଙ୍କୁ ଜିତାଇ ସବୁ ଅଧ୍ୟକ୍ଷ ପଦବୀକୁ ନିଜ ଅକ୍ତିଆରରେ ରଖିବାକୁ ରଣନୀତି ଆରମ୍ଭ କରିଛନ୍ତି। ଆଜି ଏହି କ୍ରମରେ କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ରାଣୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଆଗାମୀ ନିର୍ବାଚନକୁ ନେଇ ରଣନୀତି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ପଞ୍ଚାୟତ, ଏବଂ ୱାର୍ଡରେ ବୁଥ ସ୍ତରୀୟ କମିଟି ତୁରନ୍ତ ଗଠନ କରିବାକୁ ସଭାନେତ୍ରୀ ପରାମର୍ଶ ଦେଇଥିଲେ। ଯେଭଳି ଏହି ନିର୍ବାଚନରେ ୧୦ଟି ଯାକ ବ୍ଲକରେ ଅଧିକାରୁ ଅଧିକା ପଂଚାୟତରେ କଂଗ୍ରେସର ପତିଆରା ବଢ଼ାଇବା ସହ ସରପଞ୍ଚ, ସମିତିସଭ୍ୟ,ୱାର୍ଡସଭ୍ୟ, ଜିଲ୍ଲାପରିଷଦ ସଭ୍ୟମାନଙ୍କୁ ଜିତାଇବାକୁ ଆହ୍ବାନ ଦେଇଥିଲେ।

ସଂପୁର୍ଣ୍ଣ ତ୍ରିସ୍ତରୀୟ ପଂଚାୟତିରାଜରେ କଂଗ୍ରେସର ପତିଆରା ବୃଦ୍ଧି ପାଇଁ ଦଳର ନେତା ମାନେ ଗାଁକୁ ଚାଲ୍ ଅଭିଯାନ ଆରମ୍ଭ କରିବା ସହ ପୁଣି କଂଗ୍ରେସର ସେହି ପୁରୁଣା ଦିନକୁ ଫେରାଇ ଆଣିବାକୁ ସଭାନେତ୍ରୀ ପରାମର୍ଶ ଦେଇଥିଲେ। ମତାନ୍ତର, ମନାନ୍ତର ସବୁ ଛାଡ଼ି ସବୁ ଏକଜୁଟ ହୋଇ କଂଗ୍ରେସର ସ୍ଥିତି ଜାହିର କରିବାକୁ ସଭାନେତ୍ରୀ ଆହ୍ବାନ ଦେଇଥିଲେ।

ଏଥିରେ ଜୟପୁର ବ୍ଲକ ସଭାପତି ବସନ୍ତ ନାୟକ, ଜୟପୁର ନଗର ସଭାପତି ନରେନ୍ଦ୍ର ମହାନ୍ତି, ବୋରିଗୁମ୍ମା ବ୍ଲକ ସଭାପତି ଅଶୋକ ଗନ୍ତାୟତ, କୁନ୍ଦୁରା ବ୍ଲକ୍ ସଭାପତି ଗୋକୁଳ ଚନ୍ଦ୍ର ପଟ୍ଟନାୟକ, ବୈପାରିଗୁଡ଼ା ବ୍ଲକ ସଭାପତି ଗୌର ଚନ୍ଦ୍ର ପାତ୍ର, ଲମତାପୁଟ ବ୍ଲକ ସଭାପତି କୃପା ମୁଦୁଲି, ପଟାଙ୍ଗୀ ବ୍ଲକ ସଭାପତି ଅର୍ଜୁନ ବାଙ୍କା, କୋଟପାଡ ବ୍ଲକ ସଭାପତି ପ୍ରକାଶ ମହାନ୍ତି, କୋଟପାଡ ବିଜ୍ଞାପିତ ଅଞ୍ଚଳ ସଭାପତି ସିଦ୍ଧାର୍ଥ ତ୍ରିପାଠୀ, ଲକ୍ଷ୍ମୀପୁର ବ୍ଲକ ସଭାପତି କୌଳାସ ଖୋସ୍ଲା, ସେମିଳିଗୁଡା ବ୍ଲକ ସଭାପତି ସନିଆ ମାଝୀ, ଦଶମନ୍ତପୁର ବ୍ଲକ ସଭାପତି ବେଣୁଧର ପାତ୍ର, ବନ୍ଧୁଗାଁ ବ୍ଲକ ସଭାପତି ଡି. ଭେଙ୍କେଟି, ନାରାୟଣପାଟଣା ବ୍ଲକ ସଭାପତି ବିଭିଷଣ ମହାନନ୍ଦିଆ, କୋରାପୁଟ ବ୍ଲକ୍ ସଭାପତି ରମେଶ ଚନ୍ଦ୍ର ବାଙ୍କ୍ୟା ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ନଳିନୀ ରଥ, କୃଷକ ସେଲ୍ ସଭାପତି ଭବାନୀ ଶଙ୍କର ରଥ ଆଦି ଭାଗ ନେଇଥିଲେ। ସଭାନେତ୍ରୀଙ୍କ ନେତୃତ୍ବରେ ଦଳ ନିଜର ଦକ୍ଷତା ପ୍ରତିପାଦନ କରି ଦେଖାଇବ ବୋଲି ବ୍ଲକ ସଭାପତିମାନେ ମତ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର