ମାଲକାନଗିରି: ପୋଲାଭରମ ପ୍ରକଳ୍ପକୁ ନେଇ ଜିଲ୍ଲା କଂଗ୍ରେସ ଆଜି ଗର୍ଜିଛି। ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଆୟୋଜିତ ସାମ୍ବିଦକ ସମ୍ମିଳନୀରେ ପୋଲାଭରମକୁ ନେଇ ବିଜେପିକୁ ଉତ୍ତର ଦେଇଛି। ୨୦୦୪ ମସିହାରେ କଂଗ୍ରେସ ପୋଲାଭରମ ପ୍ରକଳ୍ପ ପାଇଁ ଟଂକା ମଞ୍ଜୁର କରିଥିଲେ। ଉଦେଶ୍ୟ ଥିଲା ପାନୀୟ ଜଳ, କୃଷି ଓ ବିଦ୍ୟୁତ ପ୍ରକଳ୍ପ ପାଇଁ ଏହି ପ୍ରୋଜେକ୍ଟ ବିଶେଷ ଲାଭଦାୟକ ହେବ। କିନ୍ତୁ ୨୦୧୪ରେ ମୋଦୀ ସରକାର ଏହାକୁ ଜାତୀୟ ପ୍ରକଳ୍ପ ବୋଲି ଘୋଷଣା କରିଥିଲେ। ଏଥିସହ ଏହି ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ବଢାଇବାକୁ ସହଯୋଗ କରିଥିଲେ।
ଏହି ପ୍ରକଳ୍ପର ଉଚ୍ଚତାକୁ ବଢାଇଥିଲେ, ଯାହାଫଳରେ ପୋଲାଭରମ ଦ୍ବାରା ଏବେ ଛତିଶଗଡ଼ ଏବଂ ମାଲାକନଗିରି ଜିଲ୍ଲାର ବହୁ ଅଂଚଳ କ୍ଷତିଗ୍ରସ୍ତ ହେବ। ଗତବର୍ଷ ଗୋଦାବରୀର ତଳିଆ ଅଂଚଳର ପାଣି ମାଲକାନଗିରିର ମୋଟୁ ଅଂଚଳରେ ପଶିବା ଫଳରେ ବହୁ ଗ୍ରାମ ଜଳମଗ୍ନ ହୋଇଥିଲା। ଏବେ ମଧ୍ୟ ଲୋକେ ଭୟ ଓ ଆତଙ୍କ ମଧ୍ୟରେ ରହିଛନ୍ତି। କୌଣସି ମୁହର୍ତ୍ତରେ ପୋରାଭରମର ପାଣି ଆସିଲେ ସମଗ୍ର ମୋଟୁ ଅଂଚଳ ପାଣିରେ ବୁଡିଯିବ। ଚଳିତ ବର୍ଷ ବହୁ ଚାଷୀ ଚାଷ ମଧ୍ୟ କରିନାହାନ୍ତି। ଗତବର୍ଷ ଶହ ଶହ ହେକ୍ଟର ଜମିରେ ପାଣି ମାଡିଯିବା ଫଳରେ ଚାଷ ନଷ୍ଟ ହୋଇଥିଲା।
କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହି ନିଜର ଦୋଷ ଲୁଚାଇବାକୁ ଯାଇ କଂଗ୍ରେସ ଉପରେ ଦୋଷ ଏବେ ଲଦୁଛନ୍ତି। ଏହା ଦୁର୍ଭାଗ୍ୟର ବିଷୟ ବୋଲି କଂଗ୍ରେସ ନେତା ଶ୍ରୀ ପାତ୍ର କହିଥିଲେ। ବିଜେପିର ଏହି ଚିନ୍ତାଧାରାକୁ କଂଗ୍ରେସ ବିରୋଧ କରୁଛି ବୋଲି ସେ କହିଥିଲେ। ଭବିଷ୍ୟତରେ ଯଦି ପୋଲାଭରମ ପ୍ରକଳ୍ପ ଯୋଗୁଁ ଜିଲ୍ଲାରେ କ୍ଷୟକ୍ଷତି ହୁଏ ତେବେ ଆଗାମୀ ଦିନରେ ଅଂଚଳବାସୀ ଏବଂ ଜିଲ୍ଲାବାସୀ ମିଳିତ ଭାବେ ଆନ୍ଦୋଳନ ଡାକରା ଦେବ ବୋଲି ଚେତାବନୀ ଦେଇଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ମାଲା ମାଢି, ଜି.ଶ୍ରୀନିବାସ ରାଓ, ପଦ୍ମ ପାଙ୍ଗୀ, କେଶୁ ରାଓ, ପ୍ରାଣକୃଷ୍ଣ ମଣ୍ଡଳ, ସରୋଜ ପାତ୍ର, ବାବୁ ପାଳ ପ୍ରମୁଖ ଉପସ୍ଥିତ ଥିଲେ।