ଖୋର୍ଦ୍ଧା: ଆଜି ଜିଲ୍ଲା କଂଗ୍ରେସର ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲାରେ କୋର୍ଟଙ୍କ ରାୟ ଓ ପରବର୍ତୀ ସାଂସଦ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ଜିଲ୍ଲା ନେତୃବୃନ୍ଦ କେନ୍ଦ୍ର ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧୀ ସଂସଦରେ ଆଦାନୀ ପ୍ରସଙ୍ଗ ଉତ୍ଥାପନ କରିବାର ମାସକ ଭିତରେ ଏହି ଦଣ୍ଡାଦେଶ ଶୁଣାଯାଇଛି ବୋଲି ଅଭିଯୋଗ କରାଯାଇଛି। ଆଜି ଅପରାହ୍ନରେ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରଦେଶ କଂଗ୍ରେସ କମିଟି ଅବଜରଭେର ଚିନ୍ମୟ ଦାସ, ଖୋର୍ଦ୍ଧା ଓକିଲ ସଂଘ ସଭାପତି ସର୍ବେଶ୍ୱର ସାହୁ, ଲିଙ୍ଗରାଜ ସାହୁ, ଶିଶିର କୁମାର ପରିଡ଼ା, ସ୍ୱାଗତିକା ପଟ୍ଟନାୟକ, ପଦ୍ମଚରଣ ରାୟ, ଅଶୋକ କୁମାର ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ। ସେଠାରେ ଶ୍ରୀ ରାଉତରାୟ ମାନହାନୀ ମାମଲାର ବିଚାର ପ୍ରକ୍ରିୟାର ସମୟସାରଣୀ ସମ୍ପର୍କରେ ସୂଚିତ କରିବା ସହ ୧୪ଟି ପ୍ରସଙ୍ଗ ଉତ୍ଥାପନ କରିଥିଲେ।

Advertisment

ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ୭ ଫେବ୍ରୁଆରୀ ୨୦୨୩ରେ ଲୋକସଭାରେ, ଆଦାନୀ ସମୂହରେ ବିଦେଶରେ ଆଦାନୀ ପରିବାର ଦ୍ୱାରା ପରିଚାଳିତ ହେଉଥିବା ସେଲ୍ କମ୍ପାନୀଙ୍କ ଦ୍ୱାରା ୨୩ ହଜାର କୋଟି ଟଙ୍କା ପୁଂଜି ନିବେଶ ହୋଇଛି ବୋଲି ଦର୍ଶାଇ ଏହାର ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ଯାଂଚ କରିବାକୁ ଦାବି କରିଥିଲେ। କେନ୍ଦ୍ର ସରକାର ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତେ ଆଦାନୀ-ମୋଦୀ ସମ୍ପର୍କକୁ ଲୁଚାଇବା ପାଇଁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରାଇବା ଅଗଣତାନ୍ତ୍ରିକ। ସେହିଭଳି "ମୋଦୀ' ସଂଜ୍ଞାକୁ ବ୍ୟବହାର କରି ଦେଶରେ ବିଜେପି ଓ ଆର୍ଏସ୍ଏସ୍ ମିଛରେ ଜାତିଆଣ ଭାବ ସୃଷ୍ଟି କରୁଛି ବୋଲି ଅବଜେରଭର ଶ୍ରୀ ଦାସ ଅଭିଯାଗ କରିଥିଲେ। କେବଳ ଏହାନୁହେଁ, ଏଭଳି ଅଗଣତାନ୍ତ୍ରିକ ପଦକ୍ଷେପ ବିରୋଧରେ ସମସ୍ତ ବିରୋଧୀ ରାଜନୈତିକ ଦଳ ଏକଯୁଟ ହେବା ବେଳେ ବିଜୁ ଜନତା ଦଳ ଚୁପ ରହିଛି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।